ପାଖେଇ ଆସିଲାଣି ରାଜସ୍ଥାନ ନିର୍ବାଚନ। ଏଥିପାଇଁ ଆଜି ବିଜେପି ତା’ର ଘୋଷଣାପତ୍ର ବା ନିର୍ବାଚନୀ ଇସ୍ତାହାର ଜାରି କରିଛି। ଏକ କୋଟି ଲୋକଙ୍କ ମତାମତ ନେଇ ଏହି ମେନିଫେଷ୍ଟୋ ତିଆରି କରାଯାଇଥିବା ଦଳ କହିଛି। ଏହି ଅବସରରେ ଦଳର ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା ମଧ୍ୟ ଉପସ୍ଥିତ ଥିଲେ। ଘୋଷଣାପତ୍ର ଜାରି କରି ସେ କଂଗ୍ରେସକୁ ଜୋରଦାର ଟାର୍ଗେଟ୍ କରିଛନ୍ତି କରିଛନ୍ତି। ରାଜସ୍ଥାନ ଶାସନ ଗାଦିରୁ କଂଗ୍ରେସ ହଟିବା ନିହାତି ଆବଶ୍ୟକ ବୋଲି ସେ କହିଛନ୍ତି।
ଦୁର୍ନୀତି ତାଲିକାରେ କଂଗ୍ରେସ ସବୁଠୁ ଶୀର୍ଷରେ ରହିଛି। ବିଜେପିର ଘୋଷଣା ପତ୍ର ଆମ ପାଇଁ ରୋଡମ୍ୟାପ୍ ଭଳି। ବିଜେପି ଯାହା କହି ନଥିଲା ତାହା କରି ଦେଖାଇଛି। ଆଜି ରାଜସ୍ଥାନର ଯାହା ସ୍ଥିତି ରହିଛି ତାକୁ ଦେଖିଲେ ଲାଗୁଛି ଏଠି ସରକାର ବଦଳିବା ନିହାତି ଆବଶ୍ୟକ। ଏଠାକାର ମହିଳା, ଯୁବକ ଓ କୃଷକମାନେ କଂଗ୍ରେସକୁ ତିରସ୍କାର କରିସାରିଲେଣି। ବିଜେପିର ଘୋଷଣା ପତ୍ର ସବ୍କା ସାଥ ସବ୍କା ବିକାଶ ମନ୍ତ୍ର ଉପରେ ଆଧାରିତ ବୋଲି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା କହିଛନ୍ତି।
ସେ ଆହୁରି କହିଛନ୍ତି, ରାଜସ୍ଥାନକୁ କେନ୍ଦ୍ର ସରକାର ଭରପୂର ସହାୟତା କରିଛନ୍ତି। ଯଦି ଢ଼ାଞ୍ଚାଗତ ବିକାଶର କଥା କୁହାଯାଏ ତେବେ ରାଜସ୍ଥାନରେ କେନ୍ଦ୍ର ସରକାର ବେଶ୍ ଭଲ କାମ କରିଛନ୍ତି। ଗତ ୯ ବର୍ଷ ଭିତରେ କେନ୍ଦ୍ର ସରକାରଙ୍କ ସହାୟତାରେ ରାଜ୍ୟରେ ୨୩ଟି ନୂଆ ମେଡିକାଲ କଲେଜ ଖୋଲିଛି। ରାଜସ୍ଥାନରେ ଯଦି ବିଜେପି ସରକାରକୁ ଆସେ ତେବେ ପ୍ରଶ୍ନପତ୍ର ଲିକ୍ ବା ଅନ୍ୟ ଦୁର୍ନୀତି ମାମଲାର ଯାଞ୍ଚ କରାଯିବ । ଏଥିପାଇଁ ଏସ୍ଆଇଟି ଗଠନ କରାଯିବ ବୋଲି ଜେପି ନଡ୍ଡା ଘୋଷଣା ପତ୍ର ଜାରି କରି ଲୋକଙ୍କୁ ଏଭଳି କିଛି ପ୍ରତିଶ୍ରୁତି ଦେଇଛନ୍ତି।