Onn 3

ଚାଲିଛି ଉଦ୍ଧାର କାର୍ଯ୍ୟ, ପୁଷ୍କର ଧାମୀଙ୍କ ସହିତ କଥା ହେଲେ ପ୍ରଧାନମନ୍ତ୍ରୀ ମୋଦୀ

National & International

tunnel-1

ନୂଆଦିଲ୍ଲୀ: ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଉତ୍ତରାଖଣ୍ଡର ମୁଖ୍ୟମନ୍ତ୍ରୀ ପୁଷ୍କର ସିଂହ ଧାମୀଙ୍କ ସହିତ ଫୋନ୍‌ ଯୋଗେ କଥାବାର୍ତ୍ତା କରି ଉତ୍ତରକାଶୀ ଅନ୍ତର୍ଗତ ସିଲ୍‌କ୍ୟାରା-ବଡ଼କୋଟ ସୁଡ଼ଙ୍ଗ ଅଘଟଣସ୍ଥଳରେ ଚାଲିଥିବା ଉଦ୍ଧାର କାର୍ଯ୍ୟ ବିଷୟରେ ପଚାରି ବୁଝିଛନ୍ତି।
ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ କହିଛି, ଏ ସଂକ୍ରାନ୍ତରେ ପ୍ରଧାନମନ୍ତ୍ରୀ ମୋଦୀ ମୁଖ୍ୟମନ୍ତ୍ରୀ ଧାମୀଙ୍କୁ ୨ ଥର ଫୋନ୍‌ କରିଛନ୍ତି। ବିଭିନ୍ନ ରାଜ୍ୟ ଓ କେନ୍ଦ୍ରୀୟ ଏଜେନ୍‌ସି ରିଲିଫ୍‌ ଓ ଉଦ୍ଧାର କାର୍ଯ୍ୟରେ ନିୟୋଜିତ ଥିବା କଥା ପ୍ରଧାନମନ୍ତ୍ରୀଙ୍କୁ ସୂଚାଇ ଦିଆଯାଇଛି। ପ୍ରଧାନମନ୍ତ୍ରୀ ମଧ୍ୟ ସମସ୍ତ ସମ୍ଭାବ୍ୟ ସହାୟତା ଯୋଗାଇ ଦେବା ଲାଗି ପ୍ରତିଶ୍ରୁତି ଦେଇଛନ୍ତି।
ସେହିପରି, କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ଓ ରେଳମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ ମଧ୍ୟ ମୁଖ୍ୟମନ୍ତ୍ରୀ ଧାମୀଙ୍କ ସହିତ କଥାବାର୍ତ୍ତା କରିଛନ୍ତି।
ଉଲ୍ଲେଖଯୋଗ୍ୟ, ସୁଡ଼ଙ୍ଗ ମଧ୍ୟରେ ଫସି ରହିଥିବା ୪୦ଜଣ ଲୋକଙ୍କୁ ଆଜି ସନ୍ଧ୍ୟାସୁଦ୍ଧା ଉଦ୍ଧାର କରାଯିବ ବୋଲି ଆଶା କରାଯାଉଛି। ସମ୍ବାଦ ସରବରାହ ସଂସ୍ଥାନ ‘ଏଏନ୍‌ଆଇ’କୁ ପୁଲିସ ସୁପରିଣ୍ଟେଣ୍ଡେଣ୍ଟ୍‌ ଅର୍ପଣ ଯଦୁବଂଶୀ କହିଛନ୍ତି, ଟ୍ରକ୍‌ରେ ୯୦୦ ମିଲିମିଟର୍‌ ଗୋଲେଇବିଶିଷ୍ଟ ପାଇପ୍‌ ସବୁ ଆସି ସିଲ୍‌କ୍ୟାରାରେ ପହଞ୍ଚିଛି। ଫସି ରହିଥିବା ଶ୍ରମିକମାନଙ୍କୁ ଉଦ୍ଧାର କରିବା ଲାଗି ଉଦ୍ୟମ ଚାଲିଛି।
ସେ ଆହୁରି ମଧ୍ୟ କହିଛନ୍ତି, ୬୦ ମିଟର୍‌ ଯାଏଁ ପଡ଼ିଥିବା ଭଗ୍ନାଂଶରୁ ୨୦ ମିଟର୍‌ ପର୍ଯ୍ୟନ୍ତ ପରିଷ୍କାର କରାଗଲାଣି। ଫସି ରହିଥିବା ୪୦ଜଣ ଲୋକଙ୍କୁ ଆଜି ସନ୍ଧ୍ୟାସୁଦ୍ଧା ଉଦ୍ଧାର କରିବୁ। ପାଇପ୍‌ଦ୍ବାରା ଅକ୍ସିଜେନ୍‌, ଖାଦ୍ୟ ଓ ଜଳ ଭଳି ଜୀବନ ରକ୍ଷାକାରୀ ସାମଗ୍ରୀ ଯୋଗାଇ ଦିଆଯାଉଛି। ଫସି ରହିଥିବା ଶ୍ରମିକମାନଙ୍କର ପରିବାରବର୍ଗଙ୍କ ସହିତ ମଧ୍ୟ ଯୋଗାଯୋଗ ରକ୍ଷା କରାଯାଉଛି। ଏହି ଶ୍ରମିକ ସବୁ ବିହାର, ଝାଡ଼ଖଣ୍ଡ, ଉତ୍ତର ପ୍ରଦେଶ, ପଶ୍ଚିମବଙ୍ଗ, ଓଡ଼ିଶା, ଉତ୍ତରାଖଣ୍ଡ ଓ ହିମାଚଳ ପ୍ରଦେଶର ବାସିନ୍ଦା।