Onn 3

ପଞ୍ଜାବ ଓ ତାମିଲନାଡୁ ରାଜ୍ୟପାଳଙ୍କ ଉପରେ ମନଇଚ୍ଛା ବର୍ଷିଲେ ସୁପ୍ରିମକୋର୍ଟ

State

ନିର୍ବାଚିତ ରାଜ୍ୟ ସରକାରଙ୍କ ନିଷ୍ପତ୍ତି ବିରୋଧରେ ପଦକ୍ଷେପ ନେଉଥିବା ଅଭିଯୋଗରେ ଫସିଥିବା ପଞ୍ଜାବ ଓ ତାମିଲନାଡୁ ରାଜ୍ୟପାଳଙ୍କ ଉପରେ ଆଜି ଅସନ୍ତୋଷ ଝାଡ଼ିଛନ୍ତି ସୁପ୍ରିମକୋର୍ଟ। ଦୁଇ ରାଜ୍ୟର ରାଜ୍ୟପାଳ ରାଜ୍ୟ ସରକାର ପାରିତ କରିଥିବା ବିଲ୍‌ ଉପରେ ମୋହର ମାରିବାରେ ବିଳମ୍ବ କରୁଥିବା ଅଭିଯୋଗ ହୋଇଛି। ଏହା ଉପରେ ଶୁଣାଣି କରୁଥିବା ବେଳେ ସର୍ବୋଚ୍ଚ ଅଦାଲତ ତୀବ୍ର ଅସନ୍ତୋଷ ପ୍ରକାଶ କରିଛନ୍ତି।

ପ୍ରଧାନ ବିଚାରପତି ଜଷ୍ଟିସ ଡିୱାଇ ଚନ୍ଦ୍ରଚୂଡ଼ଙ୍କ ନେତୃତ୍ୱାଧୀନ ଖଣ୍ଡପୀଠ ଉଭୟ ରାଜ୍ୟର ରାଜ୍ୟପାଳଙ୍କୁ ବିଧାନସଭାରେ ପାରିତ ହୋଇଥିବା ବିଲ୍‌ ଉପରେ ମୋହର ମାରିବାରେ ଆଦୌ ବିଳମ୍ବ କରନ୍ତୁ ନାହିଁ ବୋଲି କହିଛନ୍ତି।

ସିଜେଇଆଇ ଜଷ୍ଟିସ ଚନ୍ଦ୍ରଚୂଡ଼ କହିଛନ୍ତି, “ ନିର୍ବାଚିତ ବିଧାନସଭା ଦ୍ୱାରା ପାରିତ ବିଲ୍‌କୁ ଦୟା କରି ଚାପି ରଖନ୍ତୁ ନାହିଁ। ଏହା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ଓ ଚିନ୍ତାର ବିଷୟ। ଆପଣମାନେ ନିଆଁ ସହିତ ଖେଳୁଛନ୍ତି। ଜଣେ ରାଜ୍ୟପାଳ କେମିତି ଏଭଳି ଭାଷା ବା କଥା କହିପାରିବେ? ପଞ୍ଜାବରେ ଏବେ ଯାହା ସବୁ ହେଉଛି, ସେଥିରେ ଆମେ ଆଦୌ ଖୁସି ନାହୁଁ। କ’ଣ ଆମେ ସଂସଦୀୟ ଗଣତନ୍ତ୍ରକୁ ଚାଲୁ ରଖିପାରିବା ନାହିଁ? ଆମ ଦେଶ ପ୍ରଚଳିତ ପରମ୍ପରା ଆଧାରରେ ଚାଲିଥାଏ। ଏହାକୁ ପାଳନ କରିବା ପାଇଁ ସମସ୍ତେ ବାଧ୍ୟ।”

ଶୁଣାଣି ବେଳେ ପଞ୍ଜାବ ସରକାରଙ୍କ ଓକିଲ ଅଭିଷେକ ମନୁ ସିଙ୍ଘଭୀ କହିଥିଲେ ଯେ “ବର୍ତ୍ତମାନ ଯିଏ ରାଜ୍ୟପାଳ ଅଛନ୍ତି, ତାଙ୍କ ସମୟରେ ବିଧାନସଭାର ଅଧିବେଶନ ଡାକିବା ଏକପ୍ରକାରର ଅସମ୍ଭବ।” ଏହା ଶୁଣି ସିଜେଆଇ ଜଷ୍ଟିସ ଚନ୍ଦ୍ରଚୂଡ଼ ପଞ୍ଜାବ ରାଜ୍ୟପାଳଙ୍କ ଓକିଲଙ୍କୁ କହିଥିଲେ ଯେ “ଯଦି ବିଧାନସଭାର କୌଣସି ଅଧିବେଶନକୁ ଅବୈଧ ଘୋଷଣା କରାଯାଉଛି, ତଥାପି ବିଧାନସଭା ଦ୍ୱାରା ପାରିତ ବିଲ୍‌ କେମିତି ବେଆଇନ ବୋଲି କୁହାଯିବ?”

ସୁପ୍ରିମକୋର୍ଟ ଦେଇଥିବା କିଛି ବଡ଼ ବୟାନ

କ’ଣ ରାଜ୍ୟପାଳ ଜାଣି ପାରୁଛନ୍ତି ଯେ ସେ ଗୋଟିଏ ନିଆଁ ସହ ଖେଳୁଛନ୍ତି?

ଯଦି କୌଣସି ବିଲ୍‌ ବେଆଇନ ଭାବେ ପାରିତ ହୋଇଛି ବୋଲି ରାଜ୍ୟପାଳ ଭାବୁଛନ୍ତି, ତା’ହେଲେ ଏହାର ବିଚାର ପାଇଁ ଏହାକୁ ବିଧାନସଭାର ଅଧ୍ୟକ୍ଷଙ୍କ ପାଖକୁ ପଠାପାରିବେ।

ଯଦି ରାଜ୍ୟପାଳ ଏପରି ଢଙ୍ଗରେ ବିଧାନସଭା ଦ୍ୱାରା ପାରିତ ବିଲ୍‌କୁ ଅବୈଧ କହିବେ, ତା’ହେଲେ ଦେଶର ପ୍ରଚଳିତ ସଂସଦୀୟ ଗଣତନ୍ତ୍ର ବଞ୍ଚିବ ତ?

ରାଜ୍ୟପାଳ ହେଉଛନ୍ତି ଗୋଟିଏ ରାଜ୍ୟର ସାମ୍ବିଧାନିକ ମୁଖ୍ୟ। କିନ୍ତୁ ପଞ୍ଜାବ ଘଟଣା ଦେଖିଲା ବେଳକୁ ଲାଗୁଛି ଯେ ସରକାର ଓ ରାଜ୍ୟପାଳଙ୍କ ମଧ୍ୟରେ ବଡ଼ଧରଣର ମତଭେଦ ରହିଛି। ଏହା ଗଣତନ୍ତ୍ର ପାଇଁ ଆଦୌ ଶୁଭଙ୍କର ନୁହେଁ।

ରାଜ୍ୟପାଳ କେମିତି କୌଣସି ବିଲ୍‌କୁ ଅନିର୍ଦ୍ଦିଷ୍ଟ କାଳ ପାଇଁ ନିଜ ପାଖରେ ପକାଇ ରଖିପାରିବେ?

ରାଜ୍ୟ ବିଧାନସଭାରେ ପାରିତ ହେଉଥିବା ବିଲ୍‌ ଉପରେ ପଞ୍ଜାବ ରାଜ୍ୟପାଳ ବନୱାରିଲାଲ ପୁରୋହିତ ମୋହର ମାରୁ ନଥିବାରୁ ଏହା ବିରୋଧରେ ଆପ୍‌ ସରକାର ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ।

ତାମିଲନାଡୁରେ ମଧ୍ୟ କ୍ଷମତାସୀନ ଡିଏମକେ ଓ ରାଜ୍ୟପାଳଙ୍କ ମଧ୍ୟରେ ତିକ୍ତତା ଚାଲିଛି। ତାମିଲନାଡୁ ରାଜ୍ୟପାଳ ଜାଣିଶୁଣି ବିଧାନସଭାରେ ପାରିତ ବିଲ୍‌ ଉପରେ ମୋହର ମାରୁ ନଥିବା ଡିଏମକେ ପକ୍ଷରୁ ଅଭିଯୋଗ କରାଯାଇଛି। ଏବେ ଏହି ଦୁଇ ରାଜ୍ୟର ଆବେଦନ ଉପରେ ସୁପ୍ରିମକୋର୍ଟ ଶୁଣାଣି କରୁଛନ୍ତି।

ଶୁଶାଣି ବେଳେ ସର୍ବୋଚ୍ଚ ଅଦାଲତ ସଲିସିଟର ଜେନେରାଲ ତୁଷାର ମେହେଟାଙ୍କୁ ବଡ଼ ନିର୍ଦ୍ଦେଶ ଦେଇଥିଲେ। ବିଧାନସଭାରେ ପାରିତ ବିଲ ଗୁଡ଼ିକ ଉପରେ ରାଜ୍ୟପାଳମାନେ କ’ଣ ସବୁ ପଦକ୍ଷେପ ନେଇଛନ୍ତି, ତା’ର ଷ୍ଟାଡସ ରିପୋର୍ଟ ଦେବାକୁ ସୁପ୍ରିମକୋର୍ଟ କହିଥିଲେ।