Onn 3

କ୍ଷମା ମାଗିବା ସହିତ ‘ଜନସଂଖ୍ୟା ନିୟନ୍ତ୍ରଣ ଟିପ୍ପଣୀ’ ପ୍ରତ୍ୟାହାର କଲେ ନୀତୀଶ କୁମାର

National & International

 

nitis

ପାଟନା: କ୍ଷମାପ୍ରାର୍ଥନା କରିବା ସହିତ ଜନସଂଖ୍ୟା ନିୟନ୍ତ୍ରଣ ବିଷୟରେ ଦେଇଥିବା ଟିପ୍ପଣୀକୁ ଆଜି ବିହାରର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ପ୍ରତ୍ୟାହାର କରି ନେଇଥିବା କଥା ନିଉଜ୍‌ ଏଜେନ୍‌ସି ‘ଏଏନ୍‌ଆଇ’ ରିପୋର୍ଟ କରିଛି। ଆଜି ‘ବିଜେପି’ ବିଧାୟକମାନେ ନୀତୀଶଙ୍କୁ ବିଧାନସଭା ମଧ୍ୟକୁ ନ ଛାଡ଼ିବାରୁ ସାମ୍ବାଦିକମାନଙ୍କୁ ସେ କହିଛନ୍ତି, କ୍ଷମାପ୍ରାର୍ଥନା କରି ମୁଁ ମୋର ମନ୍ତବ୍ୟ ପ୍ରତ୍ୟାହାର କରି ନେଉଛି।

ଉଲ୍ଲେଖଯୋଗ୍ୟ, ଜନସଂଖ୍ୟା ନିୟନ୍ତ୍ରଣ କରିବା ଲାଗି ନାରୀଶିକ୍ଷା ଉପରେ ଗୁରୁତ୍ବାରୋପ କରି ମଙ୍ଗଳବାର ଦିନ ବିଧାନସଭାରେ କହିବା ବେଳେ ମୁଖ୍ୟମନ୍ତ୍ରୀ କୁମାର ଖୁବ୍‌ ଅରୁଚିକର କଥା କହିପକାଇଥିଲେ। ସଙ୍ଗମ ସମୟରେ ଜଣେ ଶିକ୍ଷିତା ନାରୀ କିଭଳି ପୁରୁଷକୁ ପ୍ରତିରୋଧ କରିପାରିବ ସେ ବିଷୟରେ କୁମାର ବିଧାନସଭାରେ ପ୍ରାଞ୍ଜଳ ଭାବେ ବର୍ଣ୍ଣନା କରିଥିଲେ।

ଏଭଳି ବିବାଦୀୟ ବକ୍ତବ୍ୟକୁ ବିରୋଧୀ ଦଳ ‘ବିଜେପି’ ଓ ଜାତୀୟ ମହିଳା କମିସନ୍‌ ମଧ୍ୟ ତୀବ୍ର ସମାଲୋଚନା କରିଥିଲେ। କିନ୍ତୁ, କୁମାରଙ୍କ ଉପମୁଖ୍ୟମନ୍ତ୍ରୀ ତେଜସ୍ବୀ ଯାଦବ ସ୍ପଷ୍ଟୀକରଣ ଦେଇ କହିଥିଲେ ଯେ, କୁମାର ଯୌନଶିକ୍ଷା ସମ୍ବନ୍ଧରେ କହିଥିଲେ। ତାଙ୍କ ମନ୍ତବ୍ୟକୁ କଦର୍ଥ କରାଯାଉଛି।

ଆଜି କ୍ଷମାପ୍ରାର୍ଥନା କରିବା ବେଳେ ନୀତୀଶ କୁମାର ମଧ୍ୟ କହିଛନ୍ତି ଯେ, ତାଙ୍କ କଥାକୁ ବୁଲେଇ ବଙ୍କାଇ ଉପସ୍ଥାପନ କରାଯାଇଛି। ସେ ଯାହାହେଉ, ଯଦି ମୋ ବିବୃତି କାହାକୁ ଆଘାତ ଦେଇଥାଏ ତାଙ୍କୁ ମୁଁ କ୍ଷମାଭିକ୍ଷା କରୁଛି। କିନ୍ତୁ, ନୀତୀଶ କୁମାରଙ୍କ କ୍ଷମାଯାଚନାରେ ସନ୍ତୁଷ୍ଟ ନ ହୋଇ ବିରୋଧୀ ନେତାମାନେ ବିଧାନସଭା ଭିତରେ ପ୍ରତିବାଦ ପ୍ରଦର୍ଶନ କରି ତାଙ୍କର ଇସ୍ତଫା ଦାବି କରୁଛନ୍ତି।