Onn 3

Jet Airwaysର ୫୩୮ କୋଟି ଟଙ୍କାର ସମ୍ପତ୍ତି ଜବତ କଲା ଇଡି

National & International

 

jet

ବ୍ୟାଙ୍କ ଋଣ ଠକେଇ ମାମଲାରେ ଜେଟ୍‌ ଏୟାରୱେଜର ପ୍ରତିଷ୍ଠାତା ନରେଶ ଗୋୟଲ ଏବଂ ଅନ୍ୟ ୫ ଜଣଙ୍କ ବିରୋଧରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି। ଇଡି ଏହି ମାମଲାରେ ୫୩୮ କୋଟି ଟଙ୍କାର ସମ୍ପତ୍ତି ଜବତ କରିଛି। ଆଟାଚ୍‌ ହୋଇଥିବା ସମ୍ପତ୍ତିରେ ବିଭିନ୍ନ କମ୍ପାନୀ ଏବଂ ଲୋକଙ୍କ ନାମରେ ୧୭ଟି ଆବାସିକ ଫ୍ଲାଟ, ବଙ୍ଗଳା ଓ ବ୍ୟବସାୟିକ କ୍ୟାମ୍ପସ୍ ଅନ୍ତର୍ଭୁକ୍ତ ରହିଛି।

ଏହାପୂର୍ବରୁ ଅକ୍ଟୋବର ୩୧ରେ ଇଡି ନରେଶ ଗୋୟଲ ଏବଂ ଅନ୍ୟ ଅଭିଯୁକ୍ତମାନଙ୍କ ବିରୋଧରେ ଏକ ଚାର୍ଜସିଟ ଦାଖଲ କରିଥିଲା। ଏହି ମାମଲା ୫୩୮ କୋଟି ଟଙ୍କାର ବ୍ୟାଙ୍କ ଠକେଇ (ମନି ଲଣ୍ଡରିଂ) ସହିତ ଜଡିତ। ଇଡି ନରେଶ ଗୋୟଲଙ୍କୁ ସେପ୍ଟେମ୍ବର ୧ରେ ଗିରଫ କରିଥିଲା। ବର୍ତ୍ତମାନ ସେ ମୁମ୍ବାଇର ଆର୍ଥର ରୋଡ ଜେଲରେ ଅଛନ୍ତି।

ସିବିଆଇ ଓ ଇଡି ସମ୍ପୃକ୍ତ ବ୍ୟାଙ୍କର ଅଭିଯୋଗ ଆଧାରରେ ନରେଶ ଗୋୟଲ ଏବଂ ଅନ୍ୟମାନଙ୍କ ବିରୋଧରେ ମାମଲା ରୁଜୁ କରିଥିଲେ। ଜେଟ୍‌କୁ ୮୪୮.୮୬ କୋଟି ଟଙ୍କାର କ୍ରେଡିଟ୍‌ ଲିମିଟ୍‌ ଏବଂ ଋଣ ଦିଆଯାଇଥିଲା, ସେଥିମଧ୍ୟରୁ ୫୩୮.୬୨ କୋଟି ଟଙ୍କା ବକେୟା ରହିଛି। ଏହି ଆକାଉଣ୍ଟ ୨୦୨୧ ଜୁଲାଇ ୨୯ରେ ‘ଠକେଇ’ ଘୋଷିତ ହୋଇଥିଲା।

ମେ’ ୫ରେ ଗୋୟଲଙ୍କ ମୁମ୍ବାଇସ୍ଥିତ ଅଫିସ୍‌ ସମେତ ୭ଟି ସ୍ଥାନରେ ସିବିଆଇ ଖୋଜାଖୋଜି କରିଥିଲା। ସିବିଆଇର ଏଫ୍ଆଇଆର୍ ଆଧାରରେ ଇଡି ଜୁଲାଇ ୧୯ରେ ମନି ଲଣ୍ଡରିଂ ମାମଲା ପଞ୍ଜିକୃତ କରିଥିଲା। ମନି ଲଣ୍ଡରିଂ ମାମଲାରେ ସେପ୍ଟେମ୍ବର ୧ରେ ଇଡି ଗୋୟଲଙ୍କୁ ତାଙ୍କ ମୁମ୍ବାଇ କାର୍ଯ୍ୟାଳୟରେ ପଚରାଉଚରା କରିବା ପରେ ଗିରଫ କରିଥିଲା। ସେବେଠାରୁ ସେ ନ୍ୟାୟିକ ହେପାଜତରେ ଅଛନ୍ତି।