Onn 3

ନଭେମ୍ବର ୧ରୁ କଳାହାଣ୍ତିରେ ଗଡି଼ବ ‘ଲକ୍ଷ୍ମୀ ବସ୍’

State

 

laxmi bus

କଳାହାଣ୍ଡି: ବିକାଶ ପଥରେ ଆଗଉଛି ଓଡି଼ଶା। ଗାଁ ସହ ଯୋଡି଼ ହେଉଛି ସହର। ଏଣିକି ଦୁର୍ଗମ ଅଞ୍ଚଳରୁ ଆହୁରି ସହଜ ହେବ ଯାତ୍ରା। କାହିଁକିନା ମାଲକାନଗିରି, ଗଜପତି ପରେ ଏବେ କଳହାଣ୍ତି ଜିଲ୍ଲାରେ ଗଡି଼ବ ‘ଲକ୍ଷ୍ମୀ ବସ୍‌’। ଆସନ୍ତା ନଭେମ୍ବର ୧ରୁ କଳାହାଣ୍ତିରେ ଗଡି଼ବାକୁ ଯାଉଛି ‘ଲକ୍ଷ୍ମୀ ବସ୍‌’ । କଳାହାଣ୍ଡି ଗସ୍ତରେ ଆସି ଲକ୍ଷ୍ମୀ ବସ୍‌ ଚଳାଚଳ ସହ ବିଭିନ୍ନ ପ୍ରକଳ୍ପର ଉଦଘାଟନ ଓ ଶିଳାନ୍ୟାସ କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।

ଏଣିକି କଳାହାଣ୍ତିର ପ୍ରତି ପଞ୍ଚାୟତରେ ଗଡି଼ବ ‘ଲକ୍ଷ୍ମୀ ବସ୍‌’। ବସ୍ ଚଳାଚଳ ନେଇ ସମସ୍ତ ପ୍ରସ୍ତୁତି ଶେଷ  ହୋଇଥିବା ବେଳେ ଜିଲ୍ଲାରେ ୬୩ଟି ବସ୍ ପହଞ୍ଚି ସାରିଛି । ଏବଂ ବସ୍ ରହଣୀ ନେଇ ଜିଲ୍ଲାରେ ୩୨୬ଟି ବସ ଷ୍ଟପେଜ୍‌ ନିର୍ମାଣ ହୋଇଛି । ସବୁଠୁ ବଡ଼ କଥା ହେଲା କି ରାଜଧାନୀ ଭୁବନେଶ୍ବର ଓ ପୁରୀକୁ ‘ଲକ୍ଷ୍ମୀ ବସ୍‌’ ଚଳାଚଳ ପାଇଁ ବି ରୋଡମ୍ୟାପ୍‌ ପ୍ରସ୍ତୁତି ଚାଲିଛି।

ସେପଟେ ଜିଲ୍ଲାରେ ଲକ୍ଷ୍ମୀ ବସ୍ ସେବା ଆରମ୍ଭ ହେବାକୁ ଥିବାରୁ ଜିଲ୍ଲାବାସୀଙ୍କ ମଧ୍ୟରେ ଖୁସିର ଲହରୀ ଖେଳି ଯାଇଛି । ଧର୍ମଗଡ ଉପଖଣ୍ଡ ଦେଇ ଯାଇଥିବା ଚାରି ଲେନ୍ ବିଶିଷ୍ଟ ବିଜୁ ଏକ୍ସପ୍ରେସ ଦେଇ ଗଡ଼ିବ ରାଜ୍ୟ ସରକାରଙ୍କ ଲକ୍ଷ୍ମୀ ବସ୍ l ମୁଖ୍ୟମନ୍ତ୍ରୀଙ୍କ ଦ୍ବାରା ଜିଲ୍ଲାରେ ୧୦୦ ସିଟ୍‌ ବିଶିଷ୍ଟ ସହିଦ୍ ରେଣ୍ଡୋ ମାଝୀ ମେଡିକାଲ କଲେଜ, ଭବାନୀପାଟଣାରେ ନୂଆ ବସ ଟର୍ମିନାଲ ସହ ବିଭିନ୍ନ ପ୍ରକଳ୍ପର ଶିଳାନ୍ୟାସ ଓ ଉଦଘାଟନ କାର୍ଯ୍ୟକ୍ରମ ରହିଛି ।

ସୂଚନାଯୋଗ୍ୟ ଯେ, ଚଳିତ ମାସ ୧୨ ତାରିଖରେ ପ୍ରଥମ ପର୍ଯ୍ୟାୟରେ ମାଲକାନଗିରିରେ ‘ଲକ୍ଷ୍ମୀ ବସ୍’ ସେବା ଆରମ୍ଭ ହୋଇଥିଲା । ଯାହାକୁ ବଣ୍ଡାଘାଟିରୁ ଶୁଭାରମ୍ଭ କରିଥିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ସେହିପରି ଅକ୍ଟୋବର ୨୦ ତାରିଖରେ ଗଜପତି ଜିଲ୍ଲାରେ ଏହି ସେବା ଆରମ୍ଭ ହୋଇଥିଲା । ତେବେ ଆଗାମୀ ଦିନରେ ନବରଙ୍ଗପୁର, କୋରାପୁଟ, ରାୟଗଡା ଓ କନ୍ଧମାଳ ଜିଲ୍ଲାରେ ବସ୍ ସେବା ଆରମ୍ଭ ହେବା ନେଇ ସୂଚନା ମିଳିଛି ।