Onn 3

ଚିକିତ୍ସା ପାଇଁ ବାପାଙ୍କୁ ବସାଇ ୩୫ କିଲୋମିଟର ଟ୍ରଲି ଟାଣିଲେ ଝିଅ

State

zxz

ଭଦ୍ରକ:  ଭଦ୍ରକ ଜିଲ୍ଲା ଧୁଷୁରୀ ଅଞ୍ଚଳରେ ବାପାଙ୍କ ଚିକିତ୍ସା ପାଇଁ ଜଣେ ଝିଅ ଯେଉଁ କାମ କରିଛନ୍ତି, ତାଙ୍କୁ ଚାରିଆଡେ ପ୍ରଶଂସା କରିବା ସହିତ ବାଃ ବାଃ କହୁଛନ୍ତି। ଗୁରୁତର ବାପାଙ୍କ ଚିକିତ୍ସା ପାଇଁ ଝିଅ ୩୫ କିଲୋମିଟର ପର୍ଯ୍ୟନ୍ତ ଟ୍ରଲି ଟାଣିଛନ୍ତି। ନଦୀଗାଁରୁ ଧାମନଗର ଓ ସେଠାରୁ ଭଦ୍ରକ ଜିଲ୍ଲା ମୁଖ୍ୟ ଡାକ୍ତରଖାନାକୁ ନେଇଛନ୍ତି।
ଅତ୍ୟାଧୁନିକ ଯୁଗରେ ମଧ୍ୟ ଅନେକ ଲୋକ କହିଥାନ୍ତି ଯେ, ବାପା-ମା’ଙ୍କ ସେବା ପାଇଁ ପୁଅ ଟିଏ ଦରକାର। ହେଲେ ସେ କଥାକୁ ଆଜି ଭୁଲ ପ୍ରମାଣିତ କରିଛନ୍ତି ଭଦ୍ରକ ଜିଲ୍ଲା ଧାମନଗର ବ୍ଲକ ନଦୀଗାଁରୁ ସୁଜାତା ସେଠୀ। ସେ ହେଉଛନ୍ତି ବାପା-ମା’ଙ୍କର ବଡ଼ ଝିଅ। ବାପା ଶମ୍ଭୁନାଥ ସେଠୀ (୮୪)। ପରିବାରର ଦାରିଦ୍ର୍ୟତା ପାଇଁ ପାଠପଢ଼ାରେ ଡୋରି ବନ୍ଧା ହୋଇଥିଲା। ସୁଜାତା ପରିବାର ପ୍ରତି ପୋଷଣ ହେଉ କିମ୍ବା ରୋଗଗ୍ରସ୍ତ ବାପାଙ୍କର ସେବା ପାଇଁ ହେଉ, ସବୁ କିଛିର ବୋଝ ସୁଜାତାଙ୍କ ପିଠି ଉପରେ।

ନିକଟରେ ଶମ୍ଭୁନାଥଙ୍କ ପରିବାର ମଧ୍ୟରେ ଏକ ଜମିବାଡ଼ି ଘଟଣାକୁ ନେଇ ବିବାଦ ଲାଗିଥିଲା। ଏଇ ଘଟଣା ପରେ ତାଙ୍କୁ ଶକ୍ତ ଧକ୍କା ଲାଗିଥିଲା, ଯେଉଁ କାରଣରୁ ସେ ଅସୁସ୍ଥ ହୋଇପଡ଼ିଥିଲେ। ବାପାଙ୍କର ଅବସ୍ଥା ଦେଖି ଝିଅ ସୁଜାତା ବ୍ୟସ୍ତ ହୋଇପଡ଼ିଥିଲେ। ତାଙ୍କର ଗରିବ ପଣିଆ ଓ ନିରକ୍ଷରତା ପାଇଁ ସେ ୧୦୮ ଆମ୍ବୁଲାନ୍ସକୁ ଫୋନ୍ କରି ପାରି ନଥିଲେ। ଶେଷରେ ବାଧ୍ୟ ହୋଇ ଅସୁସ୍ଥ ବାପାଙ୍କୁ ଏକ ଟ୍ରଲି ଯୋଗେ ବୁହାଇ ଭଦ୍ରକ ମୁଖ୍ୟ ଡାକ୍ତରଖାନାକୁ ଆଣି ଚିକିତ୍ସା କରି ପୁଣି ଟ୍ରଲି ଯୋଗେ ନିଜ ଘେରକୁ ଫେରିଥିଲେ।
ସୁଜାତା ଘରକୁ ଫେରୁଥିବା ବେଳେ ତାଙ୍କୁ ବାଟରେ ଭଦ୍ରକ ସହରର ମହତାବ ଛକ ନିକଟରେ କିଛି ଲୋକ ଦେଖି ଅଟକାଇ ପଚରା ଉଚରା କରିଥିଲେ। ଏଇ ଘଟଣା ଜଣା ପଡ଼ିବା ପରେ ତାଙ୍କ ନିକଟରେ ଭଦ୍ରକ ବିଧାୟକ ସଞ୍ଜୀବ ମଲ୍ଲିକ ଓ ଧାମନଗରର ପୂର୍ବତନ ବିଧାୟକ ରାଜେନ୍ଦ୍ର ଦାସ ପହଞ୍ଚିଥିଲେ। ବିଧାୟକ ଶ୍ରୀ ମଲ୍ଲିକ ସିଡିଏମ୍‌ଓଙ୍କ ସହ ଆଲୋଚନା କରି ତାଙ୍କର ଚିକିତ୍ସା କଥା ବୁଝାସୁଝା କରିଥିଲେ। ତାଙ୍କୁ ଏକ ଗାଡ଼ି ଯୋଗେ ଘରକୁ ପଠାଇବା ସହ ସହାୟତା ଯୋଗାଇ ଦେଇଥିଲେ।