Onn 3

ହିମାଚଳ ପ୍ରଦେଶର କାଁଗଡ଼ାରେ ‘ପରାଗ୍ଲାଇଡର୍‌’ ନିଖୋଜ; ଠାବ କରିବାକୁ ହେଲିକପ୍ଟର୍‌ ମୁତୟନ

National & International

pg-1-750x430

ଶିମ୍‌ଲା: ହିମାଚଳ ପ୍ରଦେଶର କାଁଗଡ଼ା ଜିଲ୍ଲା ଅନ୍ତର୍ଗତ ବୀଡ଼ରୁ(ବୀର୍‌) ଉଡ଼ାଣ ଆରମ୍ଭ କରି ଅନ୍ୟୂନ ୨ ଦିନ ହେବ ନିଖୋଜ ହୋଇଯାଇଥିବା ପୋଲାଣ୍ଡ୍‌ର ଜଣେ ‘ପାରାଗ୍ଲାଇଡର୍‌’ଙ୍କୁ ଠାବ କରିବା ଲାଗି ୨ଟି ହେଲିକପ୍ଟର୍‌ ମୁତୟନ କରାଯାଇଛି।
ପ୍ରାପ୍ତ ସୂଚନା ଅନୁସାରେ,ସୋମବାର ଦିନ ୪ଜଣ ପୋଲାଣ୍ଡବାସୀ ବୀଡ଼ରୁ ‘ପାରାଗ୍ଲାଇଡ୍‌’ଯୋଗେ ଉଡ଼ାଣ ଆରମ୍ଭ କରି ଧର୍ମଶାଳା ନିକଟରେ ନିଖୋଜ ‌ହୋଇଯାଇଥିଲେ।
କାଁଗଡ଼ା ଜିଲ୍ଲାର ଉଦ୍ଧାରକାରୀ ଟିମ୍‌ ୪ଜଣ ନିଖୋଜ ବିଦେଶୀଙ୍କ ମଧ୍ୟରୁ ୩ଜଣଙ୍କୁ ଉଦ୍ଧାର କରିଥିଲା। କିନ୍ତୁ, ଆଣ୍ଡ୍ରେଜ୍‌ ନାମରେ ଆଉ ଜଣେ ବିଦେଶୀ ପାରାଗ୍ଲାଇଡର୍‌ଙ୍କର ସନ୍ଧାନ ମିଳୁନାହିଁ ବୋଲି ବୁଧବାର ଦିନ ପୁଲିସ ସୁପରିଣ୍ଟେଣ୍ଡେଣ୍ଟ୍‌ ଶାଳିନୀ ଅଗ୍ନିହୋତ୍ରୀ କହିଛନ୍ତି।
ତାଙ୍କୁ ଖୋଜି ବାହାର କରିବା ଲାଗି ଧର୍ମଶାଳା ଆଖପାଖ ଅଞ୍ଚଳ ଓ ଇଦ୍ରୁନାଗରେ ବ୍ୟାପକ ଅନୁସନ୍ଧାନ ଚାଲିଛି। ସେ ନିଖୋଜ ହୋଇଯାଇଥିବା କଥା ସାମାଜିକ ଗଣମାଧ୍ୟମରେ ତାଙ୍କ ଝିଅ ସୂଚନା ଦେବା ପରେ ଘଟଣା ଲୋକଲୋଚନକୁ ଆସିଥିଲା ବୋଲି ‘ଏସ୍‌ପି’ କହିଛନ୍ତି।
ମଙ୍ଗଳବାର ଦିନ ଇଦ୍ରୁନାଗ ନିକଟରୁ ଉଦ୍ଧାର କରାଯାଇଥିବା ୩ ବିଦେଶୀ ‘ପାରାଗ୍ଲାଇଡର୍‌’ଙ୍କର ସ୍ବାସ୍ଥ୍ୟ ପରୀକ୍ଷା କରାଯାଇଛି ଓ ସେମାନେ ସୁସ୍ଥ ଅଛନ୍ତି। ଉଡ଼ି ଉଡ଼ି ସେମାନେ ଶାହପୁର ଯିବାକୁ ଯୋଜନା କରିଥିବା ବେଳେ ବାଟବଣା ହୋଇ ହଜିଯାଇଥିଲେ।
ଉଲ୍ଲେଖଯୋଗ୍ୟ, କାଁଗଡ଼ା ଜିଲ୍ଲା ଅନ୍ତର୍ଗତ ବୀଡ଼-ବିଲିଙ୍ଗ୍‌ରେ ଆଜି ଅକ୍ଟୋବର ୨୬ ତାରିଖରେ ‘ପ୍ରାକ୍‌-ବିଶ୍ବକପ୍‌ ପାରାଗ୍ଲାଇଡିଙ୍ଗ୍‌’ ପ୍ରତି‌ଯୋଗିତା ଆରମ୍ଭ ହେଉଛି। ଆଞ୍ଚଳିକ ପ୍ରଶାସନ କହିଛି ଯେ, ବିଶ୍ବରେ ଖ୍ୟାତି ଅର୍ଜନ କରିଥିବା ଭାରତର ‘ପାରାଗ୍ଲାଇଡିଙ୍ଗ୍‌’ ରାଜଧାନୀ ବୀଡ଼-ବିଲିଙ୍ଗ୍‌ରେ ଆୟୋଜିତ ଏହି ପ୍ରତିଯୋଗିତାରେ କେବଳ ତାଲିମପ୍ରାପ୍ତ ‘ଗ୍ଲାଇଡର୍‌’ମାନେ ଭାଗ ନେଇପାରିବେ।