Onn 3

ରାସ୍ତା ଉପରେ ଆଣ୍ଠେଇଲେ, ନିଜ କାନ ନିଜେ ମୋଡିଲେ, ଚାପୁଡା ଖାଇଲେ ‘ଗାଁ ସାଥୀ’

State

 

muk

ଭୁବନେଶ୍ବର:ରାସ୍ତା ମଝିରେ ଧାରଣା ଦେଲେ । ଚପଲ ଖୋଲି ଆଣ୍ଠେଇ ବସିଲେ। ନିଜ କାନକୁ ନିଜେ ମୋଡିଲେ, ଚାପୁଡା ବି ଖାଇଲେ । ତା ପୁଣି ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ଶୁଣାଣି ପ୍ରକୋଷ୍ଠ ସମ୍ମୁଖରେ ।  ଦେଖିଲେ ତ ଲାଗୁଥିଲା ସତେ ଯେମିତି  କିଛି ଗୋଟାଏ ବଡ ଅପରାଧ କରିଛନ୍ତି ଏମାନେ ।

ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ଶୁଣାଣି ପ୍ରକୋଷ୍ଠ ସମ୍ମୁଖରେ ବସିଛନ୍ତି ଗାଁ ସାଥୀ । ଆସିଥିଲେ, ମୁଖ୍ୟମନ୍ତ୍ରୀଙ୍କୁ ନିଜ ସମସ୍ୟା ଜଣାଇବା ପାଇଁ  । ହେଲେ ଜନ୍ମଦିନରେ ମୁଖ୍ୟମନ୍ତ୍ରୀଙ୍କ ସାକ୍ଷାତ ତ ମିଳିଲାନି । ବରଂ ବରିଷ୍ଠ ଅଧିକାରୀ କହିଲେ ଆଇ ଆମ ସରି । ଶେଷରେ ହତାଶ ହୋଇ ଏଠାକୁ କାହିଁକି ଆସିଲୁ ବୋଲି ନିଜ ଗାଲକୁ ଚାପୁଡା ମାରି ଚାଲିଥିଲେ ଗାଁ ସାଥୀ । ଅଭିନବ ଉପାୟରେ ସରକାର ଏବଂ ତାଙ୍କର ଏ ଜନଶୁଣାଣି ଯୋଜନାର ପ୍ରତିବାଦ କରିଥିଲେ ଗାଁ ସାଥୀ।

ସାରା ଓଡ଼ିଶାର ସମସ୍ତ ପ୍ରାୟ ୭୦ ହଜାରରୁ ଊର୍ଦ୍ଧ୍ୱ  ଗାଁସାଥୀ (ମେଟ୍)ଙ୍କୁ ୧୦,୦୦୦ ଟଙ୍କା ମାସିକ ପ୍ରୋତ୍ସାହନ ଓ ସେମାନଙ୍କ ପାଇଁ ଥିବା ସମସ୍ତ ସାକାରାତ୍ମକ ଚିଠି ଗୁଡ଼ିକ ଗାଁ ଓ ପଞ୍ଚାୟତ ସ୍ତରରେ ସଠିକ କାର୍ଯ୍ୟକାରୀ କରିବା..ଏମିତି ୨ ଦଫା ନେଇ ଚଳିତ ସେପ୍ଟେମ୍ବର ୨୫ ରୁ ଅକ୍ଟୋବର ୧ ଯାଏଁ ଉକ୍ତ ଆନ୍ଦୋଳନ କରିଥିଲେ ଗାଁ ସାଥୀ । ସେପ୍ଟେମ୍ବର ୩୦ ତାରିଖରେ ପଞ୍ଚାୟତରାଜ ମନ୍ତ୍ରୀ ପ୍ରତିଶ୍ରୁତି ଦେଇଥିଲେ, ୭ରୁ ୮ ଦିନ ମଧ୍ୟରେ ସଂଘ ପକ୍ଷରୁ ପ୍ରଶାସନିକ ସ୍ତରରେ ଏକ ମିଳିତ ଆଲୋଚନା ହେବ ।

ଇତିମଧ୍ୟରେ ୧୫ ଦିନ ବିତିଗଲାଣି । ହେଲେ ମିଳିତ ବୈଠକ ବସିଲାନି । ଗାଁସାଥୀ (ମେଟ୍) ସଂଘ ମିଳିତ କ୍ରିୟାନୁଷ୍ଠାନ କମିଟି, ଓଡ଼ିଶା ପ୍ରଦେଶର ସଭାପତି ଲକ୍ଷ୍ମୀଧର ବିଶ୍ଵାଳ ଓ ଅନ୍ୟ ସଂଗଠକଗଣ ଆଜି ଆସିଥିଲେ ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ଶୁଣାଣି ପ୍ରକୋଷ୍ଠକୁ । ଆଜି ସୋମବାର ଅଭିଯୋଗ ଶୁଣାଣି ଥିଲା । ହେଲେ ଗାଁ ସାଥୀଙ୍କ କଥା କେହି ଶୁଣି ନ ଥିଲେ । ପ୍ରଶାସନିକ ଅଧିକାରୀ ‘ସରି’ ବୋଲି କହି ସେମାନଙ୍କୁ ଫେରାଇ ଦେଲେ । ଏହା ପରେ ଗାଁ ସାଥୀମାନେ କାନମୋଡି ଚାପୁଡା ଖାଉଥିଲେ । ଏପରି କରିବାର ଉଦ୍ଦେଶ୍ୟ ଥିଲା, ଏଠିକୁ ଆସିବା ଆମର ଭୁଲ ଥିଲା ବୋଲି କହି ମୁଖ୍ୟମନ୍ତ୍ରୀଙ୍କୁ କ୍ଷମା ମାଗିବା ।

ତେବେ ଏପରି ଅଭିନବ ପ୍ରତିବାଦର ପ୍ରଭାବେ ସରକାରଙ୍କ ଉପରେ କେତେଦୂର ପଡୁଛି ଏବଂ କେବେ ମନ୍ତ୍ରୀ ନିଜ ପ୍ରତିଶ୍ରୁତି ରକ୍ଷା କରି ମିଳିତ କମିଟି ଡାକୁଛନ୍ତି ଏବଂ ଗାଁ ସାଥୀଙ୍କ ସମସ୍ୟା ଦୂର କରୁଛନ୍ତି ତାହା କେବଳ ଦେଖିବାର କଥା ।