Onn 3

ସାଂସଦ ଅପରାଜିତାଙ୍କ ନେତୃତ୍ୱରେ ବିଶାଳ ଜନ ଆନ୍ଦୋଳନ

Politics State

 

as

ଭୁବନେଶ୍ୱର: ପୁଣି ତେଜିଲା ଡେରାସ ଜମି ଦୁର୍ନୀତି ବିରୋଧରେ ଜନ ଆନ୍ଦୋଳନ। ସାଂସଦ ଅପରାଜିତା ଷଡ଼ଙ୍ଗୀଙ୍କ ନେତୃତ୍ୱରେ ଏକାଠି ହୋଇଛନ୍ତି ସ୍ଥାନୀୟ ଅଞ୍ଚଳର ହଜାର ହଜାର ଲୋକ। ଭୁବନେଶ୍ୱର ଉପକଣ୍ଠ ଡେରାସରେ ଚାଲିଛି ବିଶାଳ ଜନ ଆନ୍ଦୋଳନ। ଡେରାସ ଚାଷୀଙ୍କ ଜମି ଦୁର୍ନୀତି ପ୍ରସଙ୍ଗରେ ଚାଷୀଙ୍କ ସହ ଆଲୋଚନା କରୁଛନ୍ତି ସାଂସଦ ଅପରାଜିତା ଷଡ଼ଙ୍ଗୀ।

ସୂଚନା ଅନୁସାରେ ଡେରାସ ଅଞ୍ଚଳରେ ଶହ ଶହ ଏକର ଜମି ଦୀର୍ଘ ୨ ବର୍ଷ ଧରି ପଡିଆ ପଡିଥିଲା। ଏହି ଜମିକୁ ଜଳସେଚିତ କରୁଥିବା କେନାଲକୁ ଜବରଦଖଲ କରାଯାଇ ଏହାକୁ ପୋତି ଦିଆଯାଇଥିଲା । ସ୍ଥାନୀୟ ଲୋକଙ୍କ ଅଭିଯୋଗ ପାଇବା ପରେ ସାଂସଦ ଅପରାଜିତା ଷଡଙ୍ଗୀ ଘଟଣାସ୍ଥଳକୁ ଯାଇ ଯାଞ୍ଚ କରିଥିଲେ । କୃତିକା ପ୍ରଭାକରନ୍ ଓ ତାଙ୍କ ସଂସ୍ଥା କେନାଲକୁ ଅବରୋଧ କରିବା ସହ ସରକାରୀ ଜମି, ସ୍ଥାନୀୟ ଚାଷୀଙ୍କ ଜମି ଜବରଦଖଲ କରି ନେଇଥିବା ଅଭିଯୋଗ ହୋଇଥିଲା । ଏହି ଅଭିଯୋଗ ପାଇବା ପରେ ପୂର୍ବରୁ ରାଜ୍ୟ ସରକାରଙ୍କୁ ଘେରିଥିଲେ ଭୁବନେଶ୍ୱର ସାଂସଦ।

ଅଭିଯୋଗକାରୀମାନେ ଆବଦ୍ଧ ହୋଇଥିବା ଏହି ଜମିକୁ ‘ପାଣ୍ଡିଆନ ପ୍ରୋଜେକ୍ଟ ଜମି’ ବୋଲି କହିଥିଲେ। ଭୁବନେଶ୍ୱର ଓ ଏହାର ଉପକଣ୍ଠରେ ୧୫୦ ଏକର ଜମି ହଡ଼ପ କରାଯାଉଥିବା ନେଇ ସଂଗୀନ ଅଭିଯୋଗ କରିଥିଲେ। ଡେରାସ ଡ୍ୟାମର କ୍ଷୁଦ୍ର ଜଳସେଚନ ପ୍ରକଳ୍ପର କେନାଲ, ୩ଶହ ଏକର ଚାଷ ଜମିରେ ପାଣି ଯୋଗାଉଥିଲା । କିନ୍ତୁ ୨ ବର୍ଷ ହେଲା କେନାଲ ଅବରୋଧ କରାଯାଇଥିବାରୁ ଜମିକୁ ପାଣି ଯାଉନଥିଲା । ଫଳରେ ଚାଷକାମ ବାଧାପ୍ରାପ୍ତ ହୋଇଥିବା ଅଭିଯୋଗ କରିଥିଲେ ଗିରିଙ୍ଗାପୁଟ ଗାଁ ଲୋକ।

ଅଭିଯୋଗ ପରେ ଜମି ଜବର ଦଖଲ ହଟାଇବା ନେଇ ମୁଖ୍ୟମନ୍ତ୍ରୀ, ଜିଲ୍ଲାପାଳ, ଜଳସେଚନ ବିଭାଗକୁ ଚିଠି ଲେଖିବା ସହ ବାରମ୍ବାର ରିମାଇଣ୍ଡର ପଠାଇ ସ୍ଥାନୀୟ ଲୋକଙ୍କ ଏହି ଲଢ଼େଇର ମଙ୍ଗ ଧରିଥିଲେ ଅପରାଜିତା। ଭୁବନେଶ୍ୱରରୁ ମାତ୍ର ୨୦ କିଲୋମିଟର ଦୂରରେ ରାଜ୍ୟ ସରକାରଙ୍କର ସହାୟତାରେ ଏହି ଜମି ଦୁର୍ନୀତି ଜନସାଧାରଣଙ୍କ ମନରେ ଗଭୀର ଅସନ୍ତୋଷ ସୃଷ୍ଟି କରିଛି। ଶ୍ରୀମତୀ କିରୁଥିକା ପ୍ରଭାକରନଙ୍କର ଏହି ଦୁର୍ନୀତିକୁ ପ୍ରଶ୍ରୟ ଦେବାରେ ତଥା ତାଙ୍କୁ ସୁରକ୍ଷା ଦେବାରେ ରାଜ୍ୟ ସରକାରଙ୍କ ନିନ୍ଦନୀୟ ଭୂମିକା ଜନସାଧାରଣଙ୍କ ଦ୍ୱାରା ସମାଲୋଚିତ ହେଉଛି।

ଏହି କାରଣରୁ ଆଜି ପ୍ରାୟ ୧୫୦୦୦ ଜନସାଧାରଣଙ୍କ ଦ୍ୱାରା ଏକ ‘ଜନ ଆନ୍ଦୋଳନ’ ମୁଣ୍ଡ ଟେକିଛି। ଏହି ଜନ ଆନ୍ଦୋଳନକୁ ଏକ ଶାନ୍ତିପୂର୍ଣ୍ଣ ଜନ ଅଭିଯୋଗର ରୂପ ଦେବାପାଇଁ ଚେଷ୍ଟା କରାଯାଇଛି ଓ ଆନ୍ଦୋଳନକାରୀମାନେ ନିମ୍ନ ମତେ ସିଦ୍ଧାନ୍ତ ନେଇଛନ୍ତି। “ଅବରୋଧ କରାଯାଇଥିବା ପ୍ରାୟ ୧୫୦ ଏକର ଜମିକୁ ସ୍ପର୍ଶ କରାଯିବନାହିଁ। ଏହା ରାଜ୍ୟ ସରକାରଙ୍କର ୨୩ ବର୍ଷ ଭ୍ରଷ୍ଟାଚାରର ଏକ ସ୍ମାରକୀ ରୂପେ ଦଣ୍ଡାୟମାନ ରହିବ। ଏହି ଦୁର୍ନୀତିପୂର୍ଣ୍ଣ ସ୍ମାରକୀ ଓଡିଶା ତଥା ଓଡିଶା ବାହାରୁ ଆସୁଥିବା ଟୁରିଷ୍ଟ ମାନଙ୍କ ପାଇଁ ବିଜେଡି ସରକାରଙ୍କର ‘ଜମି ଦୁର୍ନୀତିର ପ୍ରତୀକ’ ରୂପେ ପରିଗଣିତ ହେବ। ଏହା ରାଜ୍ୟ ସରକାରଙ୍କର ‘କୁଶାସନର ଏକ ନଗ୍ନ ନମୁନା’ ଭାବେ ଦଣ୍ଡାୟମାନ ରହିବ ବୋଲି ଜନ ସାଧାରଣମାନେ ନିଷ୍ପତ୍ତି ନେଇଛନ୍ତି।