ଅପରେସନ୍ ଅଜୟରେ ସ୍ୱଦେଶ ଫେରିବାକୁ ଇଚ୍ଛୁକ ଭାରତୀୟଙ୍କ ଲାଗି ଇସ୍ରାଏଲରୁ ମାଗଣାରେ ଚାର୍ଟର ଫ୍ଲାଇଟ ଓ ଅନ୍ୟ ବନ୍ଦୋବସ୍ତ କରିଛନ୍ତି କେନ୍ଦ୍ର ସରକାର । ସେପଟେ ତେଲ୍-ଅଭିଭ୍ ଓ ରାମାଲାରେ ସହାୟତା ଓ ପଞ୍ଜୀକରଣ ବ୍ୟବସ୍ଥା ହୋଇଥିବା ବେଳେ ଦିଲ୍ଲୀରେ ଖୋଲିଛି ୨୪ ଘଣ୍ଟିଆ କଣ୍ଟ୍ରୋଲରୁମ୍ ।
ସୂଚନା ଅନୁସାରେ, ଇସ୍ରାଏଲରେ ପ୍ରାୟ ୧୮ରୁ ୨୦ ହଜାର ଭାରତୀୟ ରହୁଥିବା ବେଳେ, ସେମାନଙ୍କ ମଧ୍ୟରୁ ପ୍ରାୟ ୧୪ ହଜାର ଲୋକ ଇସ୍ରାଏଲୀ ବୟୋବୃଦ୍ଧଙ୍କ କେୟାର ଗିଭର୍ ଭାବେ କାର୍ଯ୍ୟ କରନ୍ତି। ଅନ୍ୟମାନେ ମୁଖ୍ୟତଃ ହୀରା ବ୍ୟବସାୟୀ, ଆଇଟି ପ୍ରଫେସନାଲ୍ ଓ ଡାକ୍ତରୀ ଛାତ୍ରଛାତ୍ରୀ। ସୁରକ୍ଷିତ ଭାବେ ଇସ୍ରାଏଲରୁ ନିଜ ଦେଶକୁ ଫେରିଥିବା ଭାରତୀୟ କେନ୍ଦ୍ର ସରକାରଙ୍କ ସମେତ ପ୍ରଧାନମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇଛନ୍ତି।
ପୂର୍ବରୁ ମଧ୍ୟ ବିଭିନ୍ନ ଦେଶରେ ଯୁଦ୍ଧସ୍ଥିତି ବେଳେ ଭାରତୀୟଙ୍କୁ ଉଦ୍ଧାର ଲାଗି ବିଭିନ୍ନ ଅପରେସନ ସଫଳ ହୋଇଥିଲା। ଆଫଗାନିସ୍ତାନରୁ ଅପରେସନ ଦେବୀ ଶକ୍ତି, ୟୁକ୍ରେନରୁ ଅପରେସନ ଗଙ୍ଗା ଏବଂ ସୁଦାନରୁ ଅପରେସନ କାବେରୀ ଜରିଆରେ ପ୍ରବାସୀ ଭାରତୀୟଙ୍କୁ ଉଦ୍ଧାର କରାଯାଇଥିଲା । ଆଉ ଏବେ ଇସ୍ରାଏଲରୁ ଉଦ୍ଧାର ପାଇଁ ଆରମ୍ଭ ହୋଇଛି ଅପରେସନ ଅଜୟ ।
ଗତ ଶନିବାରଠୁ ଇସ୍ରାଏଲ ଓ ପାଲେଷ୍ଟାଇନ୍ ମଧ୍ୟରେ ଚାଲିଥିବା ଏହି ଘମାଘୋଟ ଯୁଦ୍ଧରେ ଉଭୟ ପକ୍ଷର ବହୁ ଲୋକଙ୍କ ମୃତ୍ୟୁ ହୋଇ ସାରିଥିବା ବେଳେ ବହୁ ଭାରତୀୟ ବି ସେଠାରେ ଫସି ରହିଛନ୍ତି। ସେମାନଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରି ସ୍ୱଦେଶ ଫେରାଇ ଆଣିବାକୁ ଭାରତ ସରକାର ତତ୍ପରତା ପ୍ରକାଶ କରିଛନ୍ତି।