Onn 3

ବିଦ୍ୟୁତ୍ କର୍ମଚାରୀଙ୍କ ଛଟେଇକୁ ତୀବ୍ର ବିରୋଧ, ଟାଟା ପାୱାର ଶ୍ରମିକ ମାରଣ ନୀତି ବିରୁଦ୍ଧରେ ଆନ୍ଦୋଳନ ଧମକ

State

ବାରିପଦା : ନେସ୍କୋ ପାୱାର ଏମ୍ପେପ୍ଲଇଜ ୟୁନିୟନ୍ ଏକ ଜରୁରୀ କାଳୀନ ବୈଠକ ସଂଘର ଜିଲ୍ଲା ସଭାପତି ସୁବ୍ରମଣ୍ୟମ ମହାନ୍ତିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି। ସଂଘର ଉପଦେଷ୍ଟା ତଥା ପୂର୍ବତନ ଉପବାଚସ୍ପତି ସାନନ୍ଦ ମାରାଣ୍ଡି ଓ ସଂଘର ପରାମର୍ଶଦାତା ପୌରପରିଷଦ ଅଧ୍ୟକ୍ଷ କୃଷ୍ଣାନନ୍ଦ ମହାନ୍ତି ଟାଟା ପାୱାରର ମନମୁଖୀ ଶାସନ, ବିଦ୍ୟୁତ୍ କର୍ମଚାରୀଙ୍କ ଛଟେଇ ଓ ନିୟମ ବିରୋଧି କାର୍ଯ୍ୟକୁ ବିରୋଧ କରାଯାଇ ଏକ ୭ ଦଫା ଦାବିପତ୍ର ଅଧିକ୍ଷଣ ଯନ୍ତ୍ରୀ ବାରିପଦା, ନିର୍ବାହୀ ଯନ୍ତ୍ରୀ ବାରିପଦା, ଉଦଳା ଏବଂ ରାଇରଙ୍ଗପୁର ଉଦ୍ଦେଶ୍ୟରେ ଦିଆଯାଇଅଛି। ଟାଟା ପାୱାର ଆସିବା ଦିନ ଠାରୁ ସ୍ୱଳ୍ପ ଦରମାରେ କାମ କରି ପରିବାର ଚଳାଉଥିବା କର୍ମଚାରୀଙ୍କୁ ହଠାତ୍ ମନମୁଖୀ ଭାବେ ଛଟେଇ କରିବାର ଯୋଜନା କରିବା ଏବଂ କର୍ମଚାରୀଙ୍କ କାର୍ଯ୍ୟ ସର୍ତ୍ତାବଳୀ ବିରୋଧରେ କାମ କରେଇବାକୁ କର୍ମଚାରୀ ମହଲରେ ଅସନ୍ତୋଷ ପ୍ରକାଶ ପାଇଛି। ଯେଉଁଠି ଓଡ଼ିଶା ସରକାର ଠିକା କର୍ମଚାରୀଙ୍କୁ ନିୟମିତ କରିବା ପାଇଁ ବିଭିନ୍ନ ପ୍ରକାର ଯୋଜନା କରୁଛନ୍ତି ସେହିଠାରେ ସ୍ୱଳ୍ପ ଦରମାରେ କାର୍ଯ୍ୟକରି ଟାଟା ପାୱାର ଭିତ୍ତିଭୂମି ସଜାଡ଼ିବା ଓ ଉତ୍ତମ ଗ୍ରାହକ ସେବାରେ ଅଗ୍ରଣୀ ଭୂମିକା ଗ୍ରହଣ କରିଥିବା କର୍ମଚାରୀଙ୍କ ଛଟେଇ କରିବାକୁ ପ୍ରୟାସ କରିବା ଅତ୍ୟନ୍ତ ନିନ୍ଦନୀୟ ବୋଲି ସଂଘ ପ୍ରକାଶ କରିଛି।

ଦାବି ଗୁଡ଼ିକ ମଧ୍ୟରେ ମିଟର ରିଡର ମାନଙ୍କର ଇପିଏଫ ଏବଂ ଇଏସ୍‌ଆଇ କାର୍ଡ ଦେବାରେ ଅନିୟମିତତା, ମିଟର ରିଡର ଏବଂ ବିଲ କଲେକ୍ଟର ମାନଙ୍କୁ କୁଶଳୀ ଶ୍ରେଣୀରେ ଅନ୍ତର୍ଭୁକ୍ତ କରିବା, ସଦ୍ୟ ସମୂହ ବଦଳି ହୋଇଥିବା ଲାଇନ ମ୍ୟାନ ପାଇଁ ଉପୁଜୁଥିବା ବିଦ୍ୟୁତ୍ ବିଭ୍ରାଟ ଏବଂ ଦୁର୍ଘଟଣାର ପ୍ରତିକାରରେ ସୁଗମ ଏବଂ ସ୍ଥିର ବିଦ୍ୟୁତ୍ ଯୋଗାଣ ପାଇଁ ସଠିକ୍ ଭାବରେ ପୁନର୍ଗଠନ ଓ ଓ ପୁନଃ ପରିବର୍ତ୍ତନ ତୁରନ୍ତ କରିବା। ପ୍ରତ୍ୟେକ କର୍ମଚାରୀ କାର୍ଯ୍ୟ କରିବା ପାଇଁ ଦିନକୁ ୮ ଘଣ୍ଟା କାର୍ଯ୍ୟସୂଚୀ ପ୍ରଦାନ କରିବା ଅଥବା ଅତିରିକ୍ତ ସମୟ ପାଇଁ ଅତିରିକ୍ତ ମଜୁରୀ ଯୋଗାଇବା ପାଇଁ ବ୍ୟବସ୍ଥା କରିବା ପ୍ରଭୃତି ଦାବି ଗୁଡ଼ିକ ଅନ୍ୟତମ। ଉକ୍ତ ଦାବି ଗୁଡ଼ିକ ତୁରନ୍ତ ସମାଧାନ କରା ନଗଲେ ସଂଘ କାର୍ଯ୍ୟରେ ଅସହଯୋଗ ଏବଂ ଆନ୍ଦୋଳନ କରିବ । ଏହାପାଇଁ ଯାହାବି ଅପ୍ରୀତିକର ପରିସ୍ଥିତି ସୃଷ୍ଟି ହେବ ତାହାପାଇଁ ବିଭାଗୀୟ ଅଧିକାରୀ ମାନେ ଦାୟୀ ରହିବେ । ଉକ୍ତ ବୈଠକରେ ସଂଘର ଉପସାଧାରଣ ସମ୍ପାଦକ ଜ୍ୟୋତିକୃଷ୍ଣ ବେହେରା, ଡିଭିଜନ ସମ୍ପାଦକ ଚନ୍ଦନ କୁମାର ମହାନ୍ତି, ସଂଗଠକ ଦେବାଶିଷ ବେହେରା, ଜ୍ଞାନ ରଞ୍ଜନ ପରିଡ଼ା, ପାର୍ଥ ସାରଥି ଦାସ, ଜ୍ୟୋତିଲାଲା ବିଶ୍ୱାଳ, କୃଷ୍ଣପଦ ମହାନ୍ତ, ପ୍ରମୋଦ ପାତ୍ର, ସୁମନ ସଞ୍ଜିତ୍ ମହାନ୍ତ, ଦୀନେଶ ଗୁପ୍ତା, ସଞ୍ଜୟ ଘୋଷ, ପ୍ରଦୀପ ନାଥ, ନବୀନ ଦତ୍ତ, ରାଜନାରାୟଣ ସିଂ, ବୁଦ୍ଧେଶ୍ୱର ମାରାଣ୍ଡି, ପ୍ରଭୃତି ଶତାଧିକ କର୍ମଚାରୀ ଉପସ୍ଥିତ ହୋଇ ସ୍ମାରକପତ୍ର ପ୍ରଦାନ କରିଥିଲେ ।