Onn 3

ରାହୁଲ ଗାନ୍ଧୀଙ୍କ ବିକୃତଚିତ୍ର ପ୍ରଦର୍ଶନ ବିରୋଧରେ କଂଗ୍ରେସର ପ୍ରତିବାଦ

State

Congress-Leader-Rahul-Gandhis-Reaction-After-SC-Stayed-His-Conviction-in-Modi-Surname-Case-750x430

ଭୁବନେଶ୍ୱର, ୭।୧୦ : ପ୍ରଦେଶ କଂଗ୍ରେସ କମିଟି(ପିସିସି) ସଭାପତି ଶରତ ପଟ୍ଟନାୟକଙ୍କ ନିର୍ଦ୍ଦେଶକ୍ରମେ ଭୁବନେଶ୍ୱର ଜିଲା କଂଗ୍ରେସ କମିଟି ପକ୍ଷରୁ ସଭାପତି ବିଶ୍ୱଜିତ ଦାଶଙ୍କ ନେତୃତ୍ୱରେ ଶୁକ୍ରବାର ମୋଦି ସରକାରଙ୍କ ଘୃଣା ଓ ହିଂସା ରାଜନୀତି ପ୍ରତିବାଦରେ ବିକ୍ଷୋଭ କରାଯାଇଛି। ଭାଜପା ଓ ମୋଦି ସରକାରଙ୍କ ପକ୍ଷରୁ କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କ ଛବିକୁ ମଳିନ କରିବା ପାଇଁ ସାମାଜିକ ଗଣମାଧ୍ୟମରେ ଯେଉଁ ହୀନ ଉଦ୍ୟମ କରାଯାଇଛି ତାକୁ ଭୁବନେଶ୍ୱର ଜିଲା କଂଗ୍ରେସ ଦୃଢ଼ ନିନ୍ଦା କରିଛି। ରାହୁଲ ଗାନ୍ଧୀଙ୍କୁ ରାବଣ ରୂପେ ଚିତ୍ରଣ କରିବା ଘୃଣା, ହିଂସା ଓ ଈର୍ଷା ରାଜନୀତିର ଉଦାହରଣ ବୋଲି ବିଶ୍ୱଜିତ କହିଛନ୍ତି।

ଭାରତକୁ ଯୋଡ଼ିବା, ଭାରତର ବିଭିନ୍ନ ଧର୍ମ, ବର୍ଣ୍ଣ, ଭାଷା, ଜାତି ଓ ଅଞ୍ଚଳର ଲୋକଙ୍କୁ ଭାରତୀୟତା ସମ୍ପର୍କରେ ଯୋଡ଼ି ରଖିବା ପାଇଁ ରାହୁଲ ଯେଉଁ ଭାରତ ଯୋଡ଼ୋ ଯାତ୍ରା କରିଥିଲେ ତାହା ଐତିହାସିକ ଏବଂ ଭାରତର ଏକତା ଓ ଅଖଣ୍ଡତା ପାଇଁ ଅଭିପ୍ରେତ। ରାହୁଲଙ୍କ ଜନପ୍ରିୟତା ଏବଂ ସାଧାରଣ ଲୋକଙ୍କୁ ଦେଉଥିବା ସ୍ନେହ, ଶ୍ରଦ୍ଧା ଓ ପ୍ରେମ ଉପରେ ଈର୍ଷାନ୍ବିତ ହୋଇ ଭାଜପା ପକ୍ଷରୁ ଏଭଳି ହୀନ ଉଦ୍ୟମ କରାଯାଇଥିବା ସେ କହିଛନ୍ତି। ଜିଲା କଂଗ୍ରେସ ପକ୍ଷରୁ କଂଗ୍ରେସ ଭବନଠାରୁ ଏକ ବିକ୍ଷୋଭ ଶୋଭାଯାତ୍ରା ମାଷ୍ଟର କ୍ୟାଣ୍ଟିନ ଛକ ପର୍ଯ୍ୟନ୍ତ ଯାଇଥିଲା। ସେଠାରେ ଦୀର୍ଘ ସମୟ ରାସ୍ତା ଅବରୋଧକରି ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା। ଏହି ଅବସରରେ ପ୍ରଧାନମନ୍ତ୍ରୀ ଏବଂ ତାଙ୍କ ସହଯୋଗୀ ଅମିତ ଶାହା, ରାଜନାଥ ସିଂ, ନିର୍ମଳା ସୀତାରମନ, ସ୍ମୃତି ଇରାନୀ, ପ୍ରଜ୍ଞା ଠାକୁର, ସାକ୍ଷୀ ମହାରାଜ, ଅନୁରାଗ ଠାକୁର ପ୍ରମୁଖ ୧୦ ଜଣଙ୍କ ମୁଣ୍ଡର ଚିତ୍ର ସହ କୁଶପୁତ୍ତଳିକା ଦାହ କରାଯାଇଥିଲା।