Onn 3

ମହାରାଜା ଶ୍ରୀରାମଚନ୍ଦ୍ର ଭଞ୍ଜଦେଓ ବିଶ୍ୱବିଦ୍ୟାଳୟରେ କ୍ୟାରିୟର କାଉନ୍‌ସେଲିଂ କର୍ମଶାଳା

State
ବାରିପଦା: ମହାରାଜା ଶ୍ରୀରାମଚନ୍ଦ୍ର ଭଞ୍ଜଦେଓ ବିଶ୍ୱବିଦ୍ୟାଳୟରେ ଛାତ୍ରଛାତ୍ରୀ ମାନଙ୍କ ପାଇଁ ଏକ କ୍ୟାରିୟର କାଉନ୍‌ସେଲିଂ କର୍ମଶାଳା ବୁଧବାର ଦିନ କୁଳପତି ପ୍ରଫେସର ସନ୍ତୋଷ କୁମାର ତ୍ରିପାଠୀଙ୍କ ଦ୍ୱାରା ଉଦ୍‌ଘାଟିତ ହୋଇଯାଇଛି । ବିଶ୍ୱବିଦ୍ୟାଳୟର କ୍ୟାରିୟର କାଉନ୍‌ସେଲିଂ ସେଲ୍‌ ଓ ପ୍ଲେସ୍‌ମେଣ୍ଟ୍‌ ସେଲ୍‌ର ମିଳିତ ଆନୁକୁଲ୍ୟରେ ଆୟୋଜିତ ଏହି ତ୍ରିଦିବସୀୟ କର୍ମଶାଳାରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ କୁଳପତି ପ୍ରଫେସର ତ୍ରିପାଠୀ ନିଜ ବକ୍ତବ୍ୟରେ ଛାତ୍ରଛାତ୍ରୀମାନଙ୍କୁ ଭୟକୁ ଏକ ଆହ୍ୱାନ ରୂପେ ଗ୍ରହଣ କରି ନିପୁଣତା ଓ ଜ୍ଞାନକୁ ପାଥେୟ କରି ନିଜର କ୍ୟାରିୟର ଗଢ଼ିବାକୁ ଛାତ୍ରଛାତ୍ରୀମାନଙ୍କୁ ପରାମର୍ଶ ଦେଇଥିଲେ । ପୁଣି ଅନ୍ୟମାନଙ୍କ ଆଶା ଆକାଂକ୍ଷା ଦ୍ୱାରା ପ୍ରଭାବିତ ନ ହୋଇ ନିଜର ସ୍ୱପ୍ନକୁ ସାକାର କରିବା ପାଇଁ ସଙ୍କଳ୍ପବଦ୍ଧ ହେବା ପାଇଁ ସେ ଆହ୍ୱାନ କରିଥିଲେ । ବିଶ୍ୱବିଦ୍ୟାଳୟ ସ୍ନାତକୋତ୍ତର ପରିଷଦର ଅଧ୍ୟକ୍ଷ ପ୍ରଫେସର ହେମନ୍ତ କୁମାର ସାହୁ ଏହି କାର୍ଯ୍ୟକ୍ରମରେ ପୌରହିତ୍ୟ କରି ନିଜ ବକ୍ତବ୍ୟରେ ଛାତ୍ରଛାତ୍ରୀଙ୍କ କ୍ୟାରିୟର ଗଢ଼ିବାରେ ବିଶ୍ୱବିଦ୍ୟାଳୟର ପ୍ରତିବଦ୍ଧତା ସମ୍ପର୍କରେ ନିଜର ବକ୍ତବ୍ୟ ରଖିଥିଲେ । ସମ୍ମାନିତ ଅତିଥି ଭାବେ ଯୋଗଦେଇ ପଶ୍ଚିମବଙ୍ଗ ବାରାକପୁରର ସି.ଆଇ.ଏଫ୍‌.ଆର୍‌.ଇ ର ନିର୍ଦ୍ଦେଶକ ଡ. ବି.କେ. ଦାସ ଛାତ୍ରଛାତ୍ରୀମାନଙ୍କୁ କ୍ୟାରିଅର ଗଢ଼ିବା ସହିତ ନିଜ ପରିବାରକୁ ନ ଭୁଲି ଯିବାପାଇଁ ପରାମର୍ଶ ଦେଇଥିଲେ ।
ସ୍ୱତନ୍ତ୍ର ଅତିଥି ଭାବେ ଆଇକ୍ୟୁଏସି ନିର୍ଦ୍ଦେଶିକା ପ୍ରଫେସର ଏମ୍‌. ହିମବିନ୍ଦୁ ଯୋଗଦେଇ ଛାତ୍ରଛାତ୍ରୀମାନଙ୍କୁ ନିଜର ଶକ୍ତି, ଦୁର୍ବଳତା, ସୁଯୋଗପ୍ରବଣତା ଓ ସାମ୍ନାକରୁଥିବା ଆହ୍ୱାନ୍‌ ଗୁଡ଼ିକ ଚିହ୍ନିବା ହିଁ ଏକ ସଫଳ କ୍ୟାରିୟର ଗଠନର ଲକ୍ଷଣ ବୋଲି କହିଥିଲେ । ବିଶ୍ୱବିଦ୍ୟାଳୟର କ୍ୟାରିୟର କାଉନ୍‌ସେଲିଂ ସେଲ୍‌ର ସଂଯୋଜକ ତଥା ଜୈବପ୍ରଯୁକ୍ତି ବିଦ୍ୟା ବିଭାଗର ସହଯୋଗୀ ପ୍ରଫେସର ଡ. ସୁକାନ୍ତ କୁମାର ନାୟକ ସ୍ୱାଗତ ଭାଷଣ ପ୍ରଦାନ କରି ଏହି ତିନିଦିନିଆ କର୍ମଶାଳାର ଉଦ୍ଦେଶ୍ୟ ଓ ଆଭିମୁଖ୍ୟ ବିଷୟରେ ଆଲୋକପାତ କରିଥିଲେ । ବିଶ୍ୱବିଦ୍ୟାଳୟ ପ୍ଲେସ୍‌ମେଣ୍ଟ୍‌ ସେଲ୍‌ର ସଂଯୋଜିକା ତଥା ଅର୍ଥନୀତି ବିଭାଗର ସହଯୋଗୀ ପ୍ରଫେସର ଡ. କବିତା କୁମାରୀ ସାହୁ ଅତିଥି ପରିଚୟ ଓ ଧନ୍ୟବାଦ ଅର୍ପଣ କରିଥିଲେ । କାର୍ଯ୍ୟକ୍ରମକୁ ଅର୍ଥନୀତି ବିଭାଗର ଅଧ୍ୟାପକ ଡ. ପ୍ରତାପ କୁମାର ଜେନା, କମ୍ପ୍ୟୁଟର ବିଜ୍ଞାନ ବିଭାଗର ଅଧ୍ୟାପକ ଡ. ଜନ୍ମେଞ୍ଜୟ ନାୟକ, ବ୍ୟବସାୟ ପ୍ରଶାସନ ବିଭାଗର ଅଧ୍ୟାପକ ଡ. ସୀତାରାମ ଦାସ ପ୍ରମୁଖ ପରିଚାଳନା କରିଥିଲେ । ଏହି କର୍ମଶାଳାରେ ବିଶ୍ୱବିଦ୍ୟାଳୟର ୩୦୦ରୁ ଉର୍ଦ୍ଧ୍ୱ ଛାତ୍ରଛାତ୍ରୀ ଭାଗନେଉଛନ୍ତି । ଆଗାମୀ ତିନିଦିନ ଧରି ଛାତ୍ରଛାତ୍ରୀମାନଙ୍କୁ ରାଜ୍ୟ ଓ ରାଜ୍ୟବାହାରର ବିଭିନ୍ନ ବିଶିଷ୍ଟ ବ୍ୟକ୍ତି ତଥା ବିଶ୍ୱବିଦ୍ୟାଳୟର ଅଧ୍ୟାପକ ଅଧ୍ୟାପିକାମାନେ ଛାତ୍ରଛାତ୍ରୀ ମାନଙ୍କୁ କ୍ୟାରିୟର ସମ୍ପର୍କିତ ପରାମର୍ଶ ଦେବା ସହ ଭାବ ବିନିମୟ କରିବେ ।