Onn 3

ଭିଡ ନିୟନ୍ତ୍ରଣ କରିବାକୁ ଯାଇ ଆହତ ହୋଇଥିବା ମହିଳା ଏଏସଆଇଙ୍କ ମୃତ୍ୟୁ

Crime State

 

acc

ରାଉରକେଲା: ରାଉରକେଲା ଉଦିତନଗର ଥାନାର ଜଣେ ମହିଳା ଏଏସ୍ଆଇଙ୍କ ମୃତ୍ୟୁ ଘଟିଛି। ମୃତକଙ୍କ ନାଁ ଆଲିଶ ନରମି ଲୁଗୁନ(36)। ସେ ଭିଡ ନିୟନ୍ତ୍ରଣ କରିବାକୁ ଯାଇଥିବା ବେଳେ ଠେଲାପେଲାର ଶିକାର ହୋଇ ଆହତ ହୋଇଥିଲେ ପରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଛି।

ମିଳିଥିବା ସୂଚନା ଅନୁଯାୟୀ, ସିଂହାସନୀ ମନ୍ଦିର ନିକଟରେ ଥିବା ରିଂ ରୋଡରେ ଏକ ବସ୍ ଏକ କାରକୁ ପଛପଟୁ ଧକ୍କା ଦେବା ଫଳରେ ଉତ୍ତେଜନା ଦେଖାଦେଇଥିଲା। ବସକୁ ଅଟକାଇ ଡ୍ରାଇଭରଙ୍କ ସହ ମୁହାଁମୁହିଁ ହୋଇଥିଲେ ଅଟୋ ଚାଳକ। ଏହାପରେ ପାଖରେ ଥିବା  ଯୁବକ ଘଟଣାସ୍ଥଳରେ ପହଞ୍ଚି ବସ୍ ଡ୍ରାଇଭର ଓ ତାଙ୍କ ପୁଅଙ୍କୁ ମାଡ଼ ମାରିଥିଲେ।

ଦୁର୍ଘଟଣାସ୍ଥଳରେ ସ୍ଥିତି ଜଟିଳ ହୋଇଥିବା ବେଳେ ଭିଡ ନିୟନ୍ତ୍ରଣ କରିବାକୁ ଯାଇଥିବା ଏଏସ୍ଆଇଙ୍କୁ ମଧ୍ୟ ଯୁବକମାନେ ଠେଲାପେଲା କରିଥିଲେ। ଘଟଣାସ୍ଥଳରେ ସେ ତଳେ ପଡିଯାଇଥିଲେ ଏବଂ ତାଙ୍କୁ ରାଉରକେଲା ସରକାରୀ ଡାକ୍ତରଖାନାକୁ ନିଆଯାଇଥିଲା, ସେଠାରେ ତାଙ୍କୁ ମୃତ ଘୋଷଣା କରାଯାଇଛି। ବସ୍ ଡ୍ରାଇଭରଙ୍କ ଅଭିଯୋଗ କ୍ରମେ ପୁଲିସ କିଛି ଯୁବକଙ୍କୁ ଅଟକ ରଖିଛି। ମହିଳା ଏଏସ୍ଆଇଙ୍କ ମୃତ୍ୟୁର ପ୍ରକୃତ କାରଣ ଜଣାପଡ଼ି ନାହିଁ।

ଏହି ଘଟଣାକୁ ନେଇ ରାଉରକେଲାରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଥିବା ବେଳେ ଦୋଷୀଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ପାଇଁ ସାଧାରଣରେ ଦାବି ହୋଇଛି। ଅନ୍ୟପଟେ ପୋଲିସ ମଧ୍ୟ ତଦନ୍ତ ଆରମ୍ଭ କରିଥିବା ସୂଚନା ରହିଛି।