Onn 3

ମହିଳା ଏସଏଚଜିଙ୍କ ସଂକ୍ରାନ୍ତରେ ବିଧାୟକମାନେ ପଚାରିଥିବା ପ୍ରଶ୍ନର ଉତ୍ତରରେ ତାଳମେଳ ନାହିଁ

State

 

IMAGE_1696077171

ଭୁବନେଶ୍ବର : ମହିଳା ଏସଏଚଜିଙ୍କ ସଂକ୍ରାନ୍ତରେ ଆଜି ଗୋଟିଏ ଦିନରେ ବିଧାନସଭାରେ ବିଧାୟକମାନେ ଯେତିକି ଲିଖିତ ପ୍ରଶ୍ନ ପଚାରିଛନ୍ତି, ସେଥିରୁ ଅଧିକାଂଶର ପ୍ରଶ୍ନ ଓ ଉତ୍ତର ମଧ୍ୟରେ ତାଳମେଳ ନାହିଁ । ଏପରିକି ମିଶନଶକ୍ତି ମନ୍ତ୍ରୀ ବାସନ୍ତୀ ହେମ୍ବ୍ରମଙ୍କ ଉତ୍ତର କେବଳ ଧର୍ମକୁ ଆଖିଠାର ସଦୃଶ ହୋଇଛି ଓ ବିଧାୟକମାନଙ୍କୁ ନିଜ ବିଭାଗ ସଂକ୍ରାନ୍ତ ତଥ୍ୟ ଲୁଚାଇବା ପାଇଁ ମନ୍ତ୍ରୀ ଭରପୂର ପ୍ରୟାସ କରିଛନ୍ତି ତାହା ତାଙ୍କର ଉତ୍ତରରୁ ସ୍ପଷ୍ଟ ହୋଇଛି ।ସୂଚନା ଅନୁସାରେ, ଆଜି ବିଧାନସଭାରେ ମିଶନ ଶକ୍ତି ବିଭାଗୀୟ ମନ୍ତ୍ରୀଙ୍କୁ ବିଧାୟକ ନାଉରୀ ନାୟକ, ସୁରେଶ କୁମାର ରାଉତରାୟ, ମୋହନ ମାଝୀ, ତାରାପ୍ରସାଦ ବାହିନୀପତି, ସୌମ୍ୟରଞ୍ଜନ ପଟ୍ଟନାୟକ ଓ ମୁକେଶ ମହାଲିଙ୍ଗ ପ୍ରମୁଖ ରାଜ୍ୟରେ ‘ମହିଳା ଏସଏଚଜି’ ସଂକ୍ରାନ୍ତରେ ବିଭିନ୍ନ ଲିଖିତ ପ୍ରଶ୍ନ କରିଥିଲେ । ଯାହାର ଲିଖିତ ଉତ୍ତର ବିଭାଗୀୟ ମନ୍ତ୍ରୀ ବାସନ୍ତୀ ହେମ୍ବ୍ରମ ଗୃହରେ ରଖିଛନ୍ତି, କିନ୍ତୁ ପ୍ରଶ୍ନ ଓ ଉତ୍ତର ମଧ୍ୟରେ ସାମାନ୍ୟତମ ତାଳମେଳ ନାହିଁ। ଆଉ ସରକାରଙ୍କ ଉତ୍ତର ଦେଖିଲେ ବିଧାୟକମାନଙ୍କ ପ୍ରଶ୍ନ କରିବାର ଅଧିକାର ଯେଭଳି ଏକ ପ୍ରହସନ ସଦୃଶ ହୋଇଛି । ବିଭାଗୀୟ ମନ୍ତ୍ରୀ ଯେଭଳି ଢଙ୍ଗରେ ଲିଖିତ ଉତ୍ତର ରଖିଛନ୍ତି ସେଥିରୁ ନିର୍ବାଚିତ ଲୋକପ୍ରତିନିଧି(ବିଧାୟକ)ମାନଙ୍କର ଅଧିକାରକୁ ସଙ୍କୁଚିତ କରିବା ଓ ସରକାରଙ୍କ କାର୍ଯ୍ୟକଳାପ ସମ୍ପର୍କରେ ଜାଣିବାର ଅଧିକାରକୁ ଯୋଜନାବଦ୍ଧ ଭାବେ ହଡ଼ପ କରିବାକୁ ପ୍ରୟାସ ହୋଇଥିବା ଜଣାପଡ଼ିଛି ।
ଉଦାହରଣ ସ୍ୱରୂପ, ବିଧାୟକ ତାରାପ୍ରସାଦ ବାହିନୀପତି ରାଜ୍ୟରେ ମିଶନ ଶକ୍ତିରେ କେତେ ମହିଳା ସାମିଲ ହୋଇଛନ୍ତି, କେତେ ସଂସ୍ଥା ଗଠିତ ହୋଇଛି ଓ ସେମାନଙ୍କ ମଧ୍ୟରୁ କେତେ ମହିଳା ଉଦ୍ୟୋଗୀ ଅଛନ୍ତି ବୋଲି ପ୍ରଶ୍ନ କରିଛନ୍ତି?
ଆଉ ମନ୍ତ୍ରୀ ଶ୍ରୀମତୀ ହେମ୍ବ୍ରମ ଅଜବ ଲିଖିତ ଉତ୍ତର ରଖି କହିଛନ୍ତି ଯେ, ରାଜ୍ୟରେ ପଂଚାୟତ,ବ୍ଲକ ଓ ଜିଲ୍ଲାସ୍ତରୀୟ ମହାସଂଘ ଗଠନ ହୋଇଛି । ୭୦ଲକ୍ଷ ୧୦ଜଣ ମହିଳା ମିଶନ ଶକ୍ତିରେ ସାମିଲ ଅଛନ୍ତି । ମହିଳା ଏସଏଚଜିମାନେ ବିଭିନ୍ନ କୃଷିଭିତ୍ତିକ ଓ ଅଣକୃଷିଭିତ୍ତିକ କାର୍ଯ୍ୟ ମାଧ୍ୟମରେ ଲଘୁ ଉଦ୍ୟୋଗ ପ୍ରତିଷ୍ଠା କରି ଉପାର୍ଜନକ୍ଷମ ହୋଇପାରୁଛନ୍ତି ବୋଲି କହିଛନ୍ତି । ତେବେ କେତେ ମହିଳା ଏସଏଚଜିରୁ ଏସଏମଇ(ଉଦ୍ୟୋଗୀ) ହେଲେଣି ତା’ର ତଥ୍ୟ ଦେବାକୁ ଆଗ୍ରହ ଦେଖାଇନାହାନ୍ତି ।
ସେହିପରି ବିଧାୟକ ନାଉରୀ ନାୟକ ପ୍ରଶ୍ନ କରିଛନ୍ତି- ବିଗତ ୩ବର୍ଷ ମଧ୍ୟରେ ଏସଏଚଜିଙ୍କ ଦ୍ୱାରା କେଉଁ କେଉଁ ବିଭାଗରେ ଦ୍ରବ୍ୟ ଓ ସେବା ଯୋଗାଣ ବ୍ୟବସ୍ଥା ମାଧ୍ୟମରେ କେଉଁ ଜିଲ୍ଲାର କେତେ ସଂଖ୍ୟକ ଏସଏଚଜିଙ୍କ ଦ୍ୱାରା ଯୋଗାଣ ବ୍ୟବସ୍ଥା ହୋଇପାରିଛି,ତା’ର ବର୍ଷୱାରୀ ବିବରଣୀ ସହ ଏସଏଚିଜିଙ୍କୁ କେତେ ଟଙ୍କାର ବ୍ୟବସାୟ ନିମନ୍ତେ କେଉଁ ବର୍ଷରେ କେତେ ଅର୍ଥ ପ୍ରଦାନ କରାଯାଇଛି ତା’ର ଜିଲ୍ଲାୱାରୀ ତଥ୍ୟ ମାଗିଥିଲେ?
ମନ୍ତ୍ରୀ ଶ୍ରୀମତୀ ହେମ୍ବ୍ରମ ଏହି ପ୍ରଶ୍ନର ଲିଖିତ ଉତ୍ତରରେ କହିଛନ୍ତି ଯେ, ବିଭିନ୍ନ ସରକାରୀ ବିଭାଗର ସହଭାଗିତାରେ ମିଶନ ଶକ୍ତି ସ୍ୱୟଂ ସହାୟକ ଗୋଷ୍ଠୀ ଓ ଏହାର ମହାସଂଘଗୁଡ଼ିକୁ ୩ବର୍ଷରେ ୬୯୭୧.୬୩କୋଟି ଟଙ୍କାର ସରକାରୀ ବ୍ୟବସାୟ ଯୋଗାଇ ଦିଆଯାଇଛି । ପ୍ରଶ୍ନ ସହ ମନ୍ତ୍ରୀଙ୍କ ଉତ୍ତର କିଭଳି ତାଳମେଳ ଖାଉଛି ତାହା କେବଳ ମନ୍ତ୍ରୀ ହିଁ ଜାଣିଥିବେ ।
ସେହିପରି ବିଧାୟକ ସୁରେଶ ରାଉତରାୟ ପ୍ରଶ୍ନ କରିଥିଲେ- ୨୦୧୨ ନଭେମ୍ବର ମାସରୁ ତୃପ୍ତି ଓଡ଼ିଶା ଜୀବିକା ମିଶନ, ମିଶନ ଶକ୍ତି ମାଧ୍ୟମରେ ବ୍ୟାଙ୍କରୁ ଋଣ ନେଲେ ୨%,୧% ଓ ୦% ସୁଧରେ ଫେରସ୍ତ କରିବାର ନିୟମ ଓଡ଼ିଶା ସରକାର ଘୋଷଣା କରିଥିଲେ ମଧ୍ୟ ପ୍ରକୃତପକ୍ଷେ ବ୍ୟାଙ୍କ ଅଧିକ ସୁଧ ନେଉଛି । ସରକାର ସୁଧ ପରିମାଣର ଭୁଲ୍ ତଥ୍ୟ ଦେଇ ମହିଳା ଏସଏଚଜିଙ୍କୁ ପ୍ରତାରଣା କରିବା ସତ୍ୟ କି?
ମନ୍ତ୍ରୀ ଶ୍ରୀମତୀ ହେମ୍ବ୍ରମ ଲିଖିତ ଉତ୍ତରରେ କହିଛନ୍ତି ଯେ, ମିଶନ ଶକ୍ତି ଅଧୀନରେ ଏସଏଜଚିଙ୍କୁ ୫ଲକ୍ଷ ଟଙ୍କା ପର୍ଯ୍ୟନ୍ତ ବ୍ୟାଙ୍କ ଋଣ ଉପରେ ସମସ୍ତ ସୁଧ ରାଜ୍ୟ ସରକାର ବହନ କରୁଛନ୍ତି । ୨୦୨୨-୨୩ ଆର୍ଥିକ ବର୍ଷରେ ରାଜ୍ୟର ଯୋଗ୍ୟ ଏସଏଚଜିଙ୍କୁ ମୋଟ ୨୧୬.୪୨କୋଟି ଟଙ୍କାର ସୁଧ ଫେରସ୍ତ କରାଯାଇଛି ବୋଲି ମନ୍ତ୍ରୀ କହିଛନ୍ତି । କିନ୍ତୁ ବ୍ୟାଙ୍କ ସୁଧ ଅଧିକ ନେବା କି ମହିଳା ଏସଏଚଜିଙ୍କୁ ପ୍ରତାରଣା କରିବା ଅଭିଯୋଗ ଉପରେ ମନ୍ତ୍ରୀ ନିରବ ରହିଛନ୍ତି ।
ବିଧାୟକ ମୋହନ ଚରଣ ମାଝୀ ପ୍ରଶ୍ନ କରିଥିଲେ ଯେ, ବିଗତ ୩ବର୍ଷ ମଧ୍ୟରେ ୫୦ଲକ୍ଷରୁ ୨କୋଟି ଟଙ୍କା ପର୍ଯ୍ୟନ୍ତ ଅର୍ଥ ରୋଜଗାର କରିବାରେ କେତେ ଏସଏଚଜି ସକ୍ଷମ ହୋଇଛନ୍ତି ତା’ର ଜିଲ୍ଲାୱାରୀ ତାଲିକା ଓ କେତେ ଏସଏଚଜି ସଦସ୍ୟା ଆର୍ଥିକ ସ୍ୱାବଲମ୍ବୀ ହୋଇ ଦାରିଦ୍ର‌୍ୟ ସୀମାରେଖା ଉପରକୁ ଉଠିଛନ୍ତି ?
ଉତ୍ତରରେ ମନ୍ତ୍ରୀ ଶ୍ରୀମତୀ ହେମ୍ବ୍ରମ କହିଛନ୍ତି ଯେ, ମିଶନଶକ୍ତି ଅଧୀନରେ ୬.୦୨ଲକ୍ଷ ଏସଏଚଜି ଅଛି ଓ ସେଥିରେ ୭୦ଲକ୍ଷ ୧୦ଜଣ ମହିଳା ସାମିଲ ଅଛନ୍ତି । ୨୦୨୨-୨୩ ଆର୍ଥିକ ବର୍ଷରେ ୩ଲକ୍ଷ ୬୫ହଜାର ୫୪୨ଟି ଏସଏଚଜିକୁ ୧୧୦୦୫. ୧୦କୋଟି ଟଙ୍କାର ବ୍ୟାଙ୍କ ଋଣ ଯୋଗାଇ ଦିଆଯାଇଛି । ବିଭିନ୍ନ ସରକାରୀ ବିଭାଗର ସହଭାଗିତାରେ ମିଶନଶକ୍ତି ଏସଏଚଜି ଓ ସେମାନଙ୍କ ମହାସଂଘକୁ ବିଗତ ୩ବର୍ଷରେ ୬୯୭୧.୬୩କୋଟି ଟଙ୍କାର ସରକାରୀ ବ୍ୟବସାୟ ଦିଆଯାଇଛି ବୋଲି ମନ୍ତ୍ରୀ କହିଛନ୍ତି । ଏସଏଚଜି ସହ ଜଡ଼ିତ କେତେଜଣ ମହିଳାଙ୍କ ବିଗତ ୩ବର୍ଷରେ ଆର୍ଥିକ ସୁଧାର ହୋଇଛି ସେ ତଥ୍ୟ ମନ୍ତ୍ରୀ ଦେଇନାହାନ୍ତି ।ସେହିପରି ବିଧାୟକ ମୁକେଶ ମହାଲିଙ୍ଗ ପ୍ରଶ୍ନ କରିଥିଲେ ଯେ, ରାଜ୍ୟ ସରକାର, ଏନଜିଓ ଓ ମାଇକ୍ରୋ ଫାଇନାନ୍ସଗୁଡ଼ିକ ଦ୍ୱାରା ପ୍ରମୋଟ୍ କରାଯାଇଥିବା ଏସଏଚଜି ସଂଖ୍ୟା କେତେ? ଏସବୁରେ କେତେ ସଂଖ୍ୟକ ସଭ୍ୟ ଅଛନ୍ତି, ତା’ର ଜିଲ୍ଲାୱାରୀ ତଥ୍ୟ ? କେତେ ଏସଏଚଜିଙ୍କୁ ଆର୍ଥିକ ସଂସ୍ଥା କେତେ ପରିମାଣର ଋଣ ଦେଇଛନ୍ତି ଓ କେତେ ଆଦାୟ କରିଛନ୍ତି? ଏସଏଚଜିଙ୍କୁ ଦିଆଯାଇଥିବା ଋଣ ଉପରେ କେତେ ଶତାଂଶ ଏନପିଏ ହୋଇଛି ତା’ର ତଥ୍ୟ ସହ ଏନପିଏ ପରିସରରେ ଥିବା ଏସଏଚଜିଗୁଡ଼ିକ ଭବିଷ୍ୟତରେ ୧୨% ସୁଧ ସହ ସ୍କୁଟି ଋଣ ଓ ଅନ୍ୟାନ୍ୟ ଋଣ ପାଇବାକୁ ଯୋଗ୍ୟ ହେବେ କି?ବିଧାୟକ ସୌମ୍ୟରଞ୍ଜନ ପଟ୍ଟନାୟକ ପ୍ରଶ୍ନ କରିଥିଲେ ଯେ, ରାଜ୍ୟର କେତେକ ମହିଳା ଏସଏଚଜିଙ୍କୁ ଏପର୍ଯ୍ୟନ୍ତ ମୋଟ କେତେ ଟଙ୍କାର ଋଣ ସହାୟତା ମିଳିଛି । ସେଥିରେ ସରକାରଙ୍କ ସୁଧ ରିହାତି ବ୍ୟୟ କେତେ ଓ ଋଣ ଅର୍ଥରୁ କେତେ ପରିଶୋଧ ଏବଂ ଖିଲାପୀ ବାବଦରେ କେତେ ଟଙ୍କା ଅନାଦେୟ ରହିଛି ତା’ର ଜିଲ୍ଲାୱାରି ତଥ୍ୟ ଦେବେ କି?

ତେବେ ବିଧାୟକ ଶ୍ରୀ ମହାଲିଙ୍ଗ ଓ ଶ୍ରୀ ପଟ୍ଟନାୟକଙ୍କ ଦୁଇ ଅଲଗା ଅଲଗା ପ୍ରଶ୍ନର ଏକ ସମାନ ଲିଖିତ ଉତ୍ତର ଦେବାକୁ ମନ୍ତ୍ରୀ ଶ୍ରୀମତୀ ହେମ୍ବ୍ରମ ପଛାଇ ନାହାନ୍ତି । ଦୁଇ ବିଧାୟକଙ୍କୁ ସେମାନଙ୍କ ଭିନ୍ନ ଭିନ୍ନ ପ୍ରଶ୍ନର ସମାନ ଉତ୍ତର ଦେଇ ମନ୍ତ୍ରୀ କହିଛନ୍ତି ଯେ, ୨୦୨୨-୨୩ ଆର୍ଥିକ ବର୍ଷରେ ୩,୬୫,୫୪୨ଟି ଏସଏଚଜିଙ୍କୁ ୧୧୦୦୫.୧୦କୋଟି ଟଙ୍କାର ବ୍ୟାଙ୍କଋଣ ପ୍ରଦାନ କରାଯାଇଛି । ୨୦୨୨-୨୩ ଆର୍ଥିକ ବର୍ଷରେ ନିୟମିତ ଋଣ ପରିଶୋଧ କରିଥିବା ଯୋଗ୍ୟ ଏସଏଚଜିଙ୍କୁ ରାଜ୍ୟ ସରକାର ୨୧୬.୪୨କୋଟି ଟଙ୍କା ଫେରସ୍ତ କରିଛନ୍ତି । ଅବଶ୍ୟ ଦୁଇ ବିଧାୟକଙ୍କୁ ସମାନ ଉତ୍ତର ଦେଇଥିବା ମନ୍ତ୍ରୀ ଶ୍ରୀମତୀ ହେମ୍ବ୍ରମ ତାଙ୍କ ଉତ୍ତରରେ ଶ୍ରୀ ମହାଲିଙ୍ଗଙ୍କୁ ଅଧିକ ପଦେ ‘ ମିଶନ ଶକ୍ତି ଅଧୀନରେ ୬ଲକ୍ଷ ୨ହଜାର ୧୩ଟି ଏସଏଚଜି ଅଛନ୍ତି’ ବୋଲି ସୂଚନା ଦେଇଥିବା ଜଣାପଡ଼ିଛି ।

Created/ Edited / Updated by : Mrutyunjay Parija