Onn 3

ଗୃହ ଅଚଳକୁ ନେଇ ବିଜେପି-ବିଜେଡି ଦୋଷ ଲଦାଲଦି

State

 

aaadddddd-750x430

ଭୁବନେଶ୍ୱର: ବିଧାନସଭାରେ ବିରୋଧୀଙ୍କ ହଟ୍ଟଗୋଳ ପାଇଁ ବାଚସ୍ପତି ଅପରାହ୍ନ ୪ଟା ଯାଏଁ ଗୃହକୁ ମୁଲତବୀ ଘୋଷଣା କରିଛନ୍ତି | ମିଳିଥିବା ସୂଚନା ମୁତାବକ ବିଧାନସଭା ଆରମ୍ଭରୁ ବିରୋଧୀ ପ୍ରବଳ ହଟ୍ଟଗୋଳ କରିଥିଲେ | ୨ ବିଧାୟକଙ୍କ ନିଲମ୍ବନକୁ ବିରୋଧ କରି ପ୍ରଶ୍ନକାଳ ଆରମ୍ଭ ହେବା ମାତ୍ରେ ଗୃହର ମଧ୍ୟଭାଗକୁ ଆସି ବିଜେପି ସଦସ୍ୟ ହୋ ହାଲ୍ଲା କରିଥିବାବେଳେ ବାଚସ୍ପତି ମୁଲତବୀ ଘୋଷଣା କରିଥିଲେ | ତେବେ ଏହାକୁ ନେଇ ବିରୋଧୀ ଦଳ ନେତା ଜୟନାରାୟଣ ମିଶ୍ର କହିଛନ୍ତି ଯେ ଶାସକ ଦଳକୁ ଯେତେବେଳେ ସଙ୍କଟ ଆସୁଛି ସେତେବେଳେ ସେ ଗୃହକୁ ମୁଲତବୀ କରୁଛନ୍ତି | ସର୍ବଦଳୀୟ ବୈଠକ ଡାକୁନାହାଁନ୍ତି ବାଚସ୍ପତି | ବିଧାନସଭା କିପରି ନ ଚାଲିବ ସେଥିପାଇଁ ଶାସକ ଦଳ ଚକ୍ରାନ୍ତ କରୁଛି | ଶାସକ ଦଳ ଅସଂସଦୀୟ ଶବ୍ଦ ବ୍ୟବହାର କଲେ ତାକୁ ବାଦ ଦିଆଯାଉନାହିଁ | ଶାସକ ଦଳର ସଖୀ କଣ୍ଢେଇ ସାଜିଛନ୍ତି ବାଚସ୍ପତି | ଆମକୁ କହିବାକୁ ସୁଯୋଗ ଦିଆ ଯାଉନାହିଁ | ଆଜି ଆମ ଘର ଆଗରେ ସମ୍ବଲପୁରରେ ବିକ୍ଷୋଭ କରାଯାଉଛି, ଆଜି ମୁଁ ଅସୁରକ୍ଷିତ ଗୃହ ଓ ଗୃହ ବାହାରେ | ମୋର କିମ୍ବା ମୋ ପରିବାରର, ଯଦି କିଛି କ୍ଷତି ହେଲେ ନବୀନ ବାବୁ ଦାୟୀ ରହିବେ |
ଯିଏ ନବ ଦାସଙ୍କୁ ଷଡ଼ଯନ୍ତ୍ର କରି ମାରି ଦେଇପାରନ୍ତି ସେଭଳି ମୁଖ୍ୟମନ୍ତ୍ରୀଙ୍କଠାରୁ କଣ ଆଶା କରାଯାଏ | ସେମାନେ ବାଚସ୍ପତିଙ୍କୁ ଅସମ୍ମାନ କଥା କହୁଛନ୍ତି | ଚିନ୍ତାମଣି ଦ୍ୟାନ ସାମନ୍ତରା ବାଚସ୍ପତି ଥିବାବେଳେ ତାଙ୍କୁ ବାଡେଇ ବାଡେଇ କ୍ୱାର୍ଟର ପର୍ଯ୍ୟନ୍ତ ନେଇ ଯାଇଥିଲେ, ବିଧା ଗୋଇଠା ମାରିଥିଲେ | ଆମେ ତ ସେମିତି କିଛି କରିନୁ | ମୁଖ୍ୟମନ୍ତ୍ରୀଙ୍କ କର୍ମଚାରୀ ସରୋଜ ସାହୁଙ୍କୁ ଯେତେବେଳେ ସିବିଆଇ ଡାକିଲା, ସେତେବେଳେ ତିନି ଦିନ ଗୃହକୁ ବନ୍ଦ କରିଦେଲେ, ଆଉ ଏମାନେ ଗଣତନ୍ତ୍ର କଥା କହୁଛନ୍ତି | ମୁଖ୍ୟମନ୍ତ୍ରୀ, ପାଣ୍ଡିଆନ ଓ ପ୍ରଣବ ପ୍ରକାଶ ଦାସଙ୍କ ଫୋନକୁ ଟ୍ୟାପିଂ କରାଯାଉ | ସେମାନେ କାହାକୁ କଣ ନିର୍ଦ୍ଦେଶ ଦେଉଛନ୍ତି ଜଣା ପଡ଼ିବ | ଉତ୍ତରପ୍ରଦେଶର କାହା ସହିତ କଥା ହେଉଛନ୍ତି ? ବିଜେପିର ଅଭିଯୋଗକୁ କାଉଣ୍ଟର କରି ଉଚ୍ଚଶିକ୍ଷା ମନ୍ତ୍ରୀ ଅତନୁ ସବ୍ୟସାଚୀ ନାୟକ କହିଛନ୍ତି ଯେ ରାଜ୍ୟର ଉନ୍ନତି ପାଇଁ ବିଜେପି ଚାହୁଁ ନାହିଁ | ବିରୋଧୀ ଯେଉଁ ପ୍ରଶ୍ନ ଉଠାଇବେ ସବୁର ଉତ୍ତର ଦେବାକୁ ବିଜେଡି ପ୍ରସ୍ତୁତ ରହିଛି | ସେମାନେ ଗୃହରେ ଅପ୍ରୀତିକର ପରିସ୍ଥିତି ସୃଷ୍ଟି କରୁଛନ୍ତି | ବିଧି ବ୍ୟବସ୍ଥା ଉପରେ କଟାକ୍ଷ କରୁଛନ୍ତି | ଗୃହକୁ ସେମାନେ ଅଚଳ କରୁଛନ୍ତି | ବିଜେପି ଏବେ ବଡ଼ ବିଚଳିତ ଅଛି, ଦଳ ନା ନୂଆ ନେତା ସୃଷ୍ଟି କରିପାରୁଛି ନା ନିଜ ଦଳ ନେତାଙ୍କ ଉପରେ ଭରଷା କରିପାରୁଛନ୍ତି | ଏଭଳି ପରିସ୍ଥିତି ଦେଇ ବିଜେପି ଚାଲିଛି, ତେଣୁ ସେମାନେ ଦଳ ବାହାରେ ଥିବା କିଛି ଜନ ବିରୋଧୀ ଲୋକ, ଯିଏ ଲୋକଙ୍କ ଟଙ୍କା ଖାଇ ଦେଇଛନ୍ତି, ଯିଏ ଲୋକଙ୍କ ଉପରେ ଗାଡି ଚଢ଼େଇଛି, ସେଭଳି ନେତାଙ୍କ ସାହାରା ନେବାକୁ ଚେଷ୍ଟା କରୁଛନ୍ତି | ତେଣୁ ଦଳରେ ନୂଆ ନେତା ସୃଷ୍ଟି କରି ପାରୁନାହିଁ |