Onn 3

ସୁସ୍ମିତାଙ୍କୁ ନ୍ୟାୟ ପାଇଁ କଂଗ୍ରେସ ରାଜରାସ୍ତାକୁ ଓହ୍ଲାଇବ: ଶରତ ପଟ୍ଟନାୟକ

State

susmita

ରାଉରକେଲା: ରାଉରକେଲା ଅତିରିକ୍ତ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଅବସ୍ଥାପିତ ସହକାରୀ ଜିଲ୍ଲା ସୁସ୍ମିତା ମିଞ୍ଜଙ୍କ ମୃତ୍ୟୁର ପ୍ରକୃତ କାରଣ ଖୋଜି ବାହାର କରିବାକୁ ପ୍ରଦେଶ କଂଗ୍ରେସ ସଭାପତି ଶରତ ପଟ୍ଟନାୟକ ଦାବି କରିଛନ୍ତି। ଖୋଦ୍‌ ଗୃହ ମନ୍ତ୍ରୀ ଥିବା ନବୀନ ପଟ୍ଟନାୟକଙ୍କ ଅମଳରେ ରାଜ୍ୟରେ ନାରୀ ସମାଜ ପ୍ରତି ଜୁଲମ ସୀମା ଟପିଛି। ଏ ଦିଗରେ ନବୀନ ସରକାର ପଦକ୍ଷେପ ନ ନେଇ କେବଳ ଦୁର୍ନୀତିରେ ବୁଡ଼ି ରହିଥିବା ଅଭିଯୋଗ ଆଣିଛନ୍ତି।
ସ୍ଥାନୀୟ ଜିଲ୍ଲା କଂଗ୍ରେସ କାର୍ଯ୍ୟାଳୟରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ଶ୍ରୀ ପଟ୍ଟନାୟକ କହିଲେ, ରାଜ୍ୟରେ ଆଦିବାସୀ ଭାଇଭଉଣୀଙ୍କ ପ୍ରତି ରାଜ୍ୟ ସରକାର କିଭଳି ନ୍ୟାୟ କରୁଛନ୍ତି, ତାହା ସହକାରୀ କଲେକ୍ଟର ସୁସ୍ମିତା ମିଞ୍ଜଙ୍କ କ୍ଷେତ୍ରରେ ଦେଖିବାକୁ ମିଳୁଛି। ସୁସ୍ମିତାଙ୍କ ମୃତ୍ୟୁ ୧୦ ଦିନି ବିତିସାରିଥିଲେ ମଧ୍ୟ ପ୍ରକୃତ କାରଣ ଖୋଜି ବାହାର କରିପାରିନି ପୁଲିସ। ପରିବାରବର୍ଗ ଯେଉଁ ମାନଙ୍କ ନାଁରେ ଅଭିଯୋଗ ଆଣିଛି, ସେମାନଙ୍କୁ ଅଯାଚିତ ସୁରକ୍ଷା ଦିଆଯାଉଛି। ସୁସ୍ମିତାଙ୍କ ମୃତ୍ୟୁର ଅସଲ କାରଣ ଜାଣିବାକୁ ପରିବାରବର୍ଗ ହକ୍‌ଦାର। କିନ୍ତୁ ସେମାନଙ୍କୁ ଏଥିରୁ ବଞ୍ଚିତ କରାଯାଉଛି। ସୁସ୍ମିତାଙ୍କୁ ନ୍ୟାୟ ପ୍ରଦାନ ପାଇଁ କଂଗ୍ରେସ ରାଜରାସ୍ତାକୁ ଓହ୍ଲାଇବ। ଆଦିବାସୀଙ୍କ ସହି କଂଗ୍ରେସ ଅଛି ଓ ସର୍ବଦା ରହିଥିବ ମଧ୍ୟ। ଆଦିବାସୀଙ୍କୁ ଅତ୍ୟାଚାର କଲେ, କଂଗ୍ରେସ ଚୁପ୍‌ ବସିବ ନାହିଁ।
ରାଜ୍ୟ ସରକାରଙ୍କୁ କଡ଼ା ସମାଲୋଚନା କରି କହିଲେ, ନିର୍ବାଚନ ଆସିଲେ ନବୀନ ସରକାରର ଓଡ଼ିଶାବାସୀଙ୍କ କଥା ମନେ ପଡ଼େ। ବିଗତ ଦିନରେ ଯାବତୀୟ ଯୋଜନା କରି ଜନସାଧାରଣଙ୍କ କଷ୍ଟ ଉପାର୍ଜିତ ଧନକୁ ନଷ୍ଟ କରିଛନ୍ତି। ୨୪ ବର୍ଷ ଶାସନ କାଳରେ ରାଜ୍ୟରେ ଭିତ୍ତିଭୂମି ବିକାଶ ହୋଇପାରିନି। ରାଜ୍ୟରେ ଶିକ୍ଷା, ସ୍ବାସ୍ଥ୍ୟସେବା, ମୌଳିକ ସେବା ଭୁଶୁଡ଼ି ପଡ଼ିଲାଣି। ପର୍ଯ୍ୟାପ୍ତ ନିଯୁକ୍ତି କରାଯାଉନଥିବାରୁ ଯୁବକଯୁବତୀ ବେରୋଜଗାର ହୋଇ ବୁଲୁଛନ୍ତି। ସଂପ୍ରତି ରାଜ୍ୟରେ ବାବୁ ରାଜ୍‌ ଚାଲୁଛି। ଏଭଳି ଅନୈତିକ ଅଧିକାରୀଙ୍କ ରାଜୁତିକୁ ବନ୍ଦ କରିବାକୁ ହେବ। ଯେଉଁ ଅଧିକାରୀ ରାଜ୍ୟ ରାଜସ୍ବରେ ହେଲିକପ୍ଟରରେ ବୁଲି ସଭା କରୁଛନ୍ତି, ସେମାନେ ଇସ୍ତଫା ଦେଇ ସିଧାସଳଖ ରାଜନୀତିକୁ ଆସନ୍ତୁ। ନବୀନ ସରକାର ଗଣମାଧ୍ୟମ ଉପରେ ଆକ୍ରମଣକରି ଗଣତନ୍ତ୍ରକୁ ହତ୍ୟା କରିଛନ୍ତି। ଗଣମାଧ୍ୟମ ପ୍ରତି ହେଉଥିବା ଅନ୍ୟାୟକୁ ଦଳ ବିରୋଧ କରୁଛି। କେନ୍ଦ୍ର ସରକାର ମଧ୍ୟ ଗୋଟିଏପରେ ଗୋଟିଏ ଜନ ବିରୋଧୀ ନୀତି ଆପଣେଇ ଚାଲିଛି। ଚାଷୀ, ଯୁବକ, ଗରିବ ଖଟିଖିଆ ଆଦି ପ୍ରତ୍ୟେକ ବର୍ଗ କେନ୍ଦ୍ର ସରକାରଙ୍କ କୁନୀତିର ଶିକାର ହେଉଛନ୍ତି। ଜିଲ୍ଲାରେ ଦଳର ସ୍ଥିତିକୁ ନେଇ ପ୍ରଶ୍ନ ହେବାରୁ କହିଲେ, ଦଳ ପ୍ରତି ଲୋକଙ୍କ ଭରସା ବୃଦ୍ଧି ପାଇବାବରେ ଲାଗିଛି। ଆଗାମୀ ସାଧାରଣ ନିର୍ବାଚନରେ ଦଳ ୯ରୁ ୯୦ ସିଟ୍‌ରେ ପହଞ୍ଚିବ। ସୁନ୍ଦରଗଡ଼ ଜିଲ୍ଲାରେ ଦଳକୁ ଅଧିକରୁ ଅଧିକ ମଜବୁତ କରିବାକୁ ମାନସମନ୍ଥନ କରିସାରିଛୁ। ସମସ୍ତ ପଦାଧିକାରୀ, କର୍ମୀ, ନେତାଙ୍କ ନିଷ୍ଠାପର ଉଦ୍ୟମ ବଳରେ ଦଳ ଆହୁରି ମଜବୁତ ହେବ ବୋଲି କହିଥିଲେ।