Onn 3

୪୩% ଶିକ୍ଷକ, ୫୧% ଅଣଶିକ୍ଷକ ପଦବି ଖାଲି

State

NIRF-Ranking-2019-BPUT-IGIT_1618401557

ଭୁବନେଶ୍ବର: ବୈଷୟିକ ଶିକ୍ଷା ପ୍ରତି ଓଡ଼ିଶାର ଛାତ୍ରଛାତ୍ରୀଙ୍କୁ ଆକୃଷ୍ଟ କରିବାକୁ ଯୋଜନା ପରେ ଯୋଜନା ହେଉଛି। କେତେବେଳେ ଆଇଟିଆଇ, ଡିପ୍ଲୋମା ଛାତ୍ରୀଙ୍କ ପାଇଁ ମାଗଣା ଶିକ୍ଷାର ବ୍ୟବସ୍ଥା ହେଉଛି ତ ଆଉ କେବେ ନିଯୁକ୍ତି ମେଳା କରାଯାଉଛି। ବାହାର କମ୍ପାନିରେ ଭଲ ଦରମାରେ ନିଯୁକ୍ତି ପାଇଁ ଲୋଭନୀୟ ଅଫ୍‌ର ମିଳୁଥିବାରୁ ଛାତ୍ରଛାତ୍ରୀଙ୍କ ମଧ୍ୟରେ ବୈଷୟିକ ଶିକ୍ଷା ପ୍ରତି ଆଗ୍ରହ ମଧ୍ୟ ବଢ଼ୁଛି। ପରିଣାମ ସ୍ବରୂପ ୨୦୨୩-୨୪ ଶିକ୍ଷାବର୍ଷରେ ଆଇଟିଆଇ ଓ ପଲିଟେକ୍‌ନିକ୍‌ରେ ଅଧାରୁ ଅଧିକ ସିଟ୍‌ ପୂରଣ ହୋଇଛି। ଇଞ୍ଜିନିୟରିଂ ଡିଗ୍ରି ପାଠ୍ୟକ୍ରମରେ ସିଟ୍‌ ଖାଲି ରହୁଥିଲେ ହେଁ ସରକାରୀ ବୈଷୟିକ ବିଶ୍ବବିଦ୍ୟାଳୟ, ମହାବିଦ୍ୟାଳୟ ଛାତ୍ରଛାତ୍ରୀଙ୍କ ପ୍ରଥମ ପସନ୍ଦ ପାଲଟିଛି। ତା’ସତ୍ତ୍ବେ ମଧ୍ୟ ସରକାରୀ ବୈଷୟିକ ବିଶ୍ବବିଦ୍ୟାଳୟ, ମହାବିଦ୍ୟାଳୟ, ବିଦ୍ୟାଳୟ ସହ ଶିଳ୍ପ ତାଲିମ ପ୍ରତିଷ୍ଠାନ, ପଲିଟେକନିକ୍‌ଗୁଡ଼ିକର ଭିତ୍ତିଭୂମି ସୁଦୃଢ଼ କରାଯାଉ ନାହିଁ। ବର୍ଷ ବର୍ଷ ଧରି ଶିକ୍ଷକ ଓ ଅଣଶିକ୍ଷକ ପଦବି ପୂରଣ ହେଉ ନ ଥିବାରୁ ରାଜ୍ୟରେ ବୈଷୟିକ ଶିକ୍ଷା ଦୋଦୁଲ୍ୟମାନ ସ୍ଥିତି ଦେଇ ଗତି କରୁଛି।
ସରକାରୀ ବୈଷୟିକ ଶିକ୍ଷାନୁଷ୍ଠାନର ଶିକ୍ଷକ ପଦବି କଥା ବିଚାରକୁ ନେଲେ ମଞ୍ଜୁରପ୍ରାପ୍ତ ୯୧୯ ପଦବି ମଧ୍ୟରୁ ୩୯୪ଟି ଖାଲି ରହିଛି। ଅର୍ଥାତ୍‌ ୪୩% ଶିକ୍ଷକ ପଦବି ଖାଲି ପଡ଼ିଛି। ରାଉରାକେଲାସ୍ଥିତ ବିଜୁ ପଟ୍ଟନାୟକ ବୈଷୟିକ ବିଶ୍ବବିଦ୍ୟାଳୟ(ବିପିୟୁଟି)ରେ ଏବେ ୭୦% ପଦବିରେ କେହି ନାହାନ୍ତି। ମଞ୍ଜୁରପ୍ରାପ୍ତ ୨୫ଟି ପଦବି ମଧ୍ୟରୁ ୧୮ଟି ଖାଲି ପଡ଼ିଛି। ବୁର୍ଲାସ୍ଥିତ ଭିଏସ୍‌ଏସ୍‌ୟୁଟିରେ ମଞ୍ଜୁରପ୍ରାପ୍ତ ୩୦୪ ପଦବିରୁ ୯୧ଟି ଖାଲି ରହିଥିବା ବେଳେ ଭୁବନେଶ୍ବରସ୍ଥିତ ଓୟୁଆରଟିରେ ୧୮୪ରୁ ୯୨ଟି ପଦବିରେ ଶିକ୍ଷକ ରହିଛନ୍ତି। ଆଇଜିଆରଟି, ସରାଙ୍ଗରେ ମଞ୍ଜୁରପ୍ରାପ୍ତ ୧୫୨ ପଦବି ମଧ୍ୟରୁ ୭୦, ବ୍ରହ୍ମପୁରସ୍ଥିତ ପିଏମ୍‌ଇସିର ୧୦୩ରୁ ୪୧, କେନ୍ଦୁଝରସ୍ଥିତ ସରକାରୀ ଇଞ୍ଜିନିୟରିଂ କଲେଜ(ଜିଇସି)ର ୬୪ରୁ ୪୪, କଳାହାଣ୍ଡିସ୍ଥିତ ଜିଇସିର ୬୯ରୁ ୨୨, କଟକର ଆଇଏମ୍‌ଆଇଟିର ୧୮ରୁ ୧୬ଟି ପଦବି ଖାଲି ରହିଛି। ଅଣଶିକ୍ଷକ ପଦବି କଥା ନ କହିବା ଭଲ। ମଞ୍ଜୁରପ୍ରାପ୍ତ ପଦବିଗୁଡ଼ିକ ମଧ୍ୟରୁ ଅଧାରୁ ଅଧିକ ଖାଲି ପଡ଼ିଛି। ମୋଟ ୮ଟି ଶିକ୍ଷାନୁଷ୍ଠାନ ପାଇଁ ୬୪୦ ପଦବି ମଞ୍ଜୁର ହୋଇଥିବା ବେଳେ ସେଥିରୁ ୩୨୮ଟି ଖାଲି ରହିଛି। ଅର୍ଥାତ୍‌ ୫୧% ଅଣଶିକ୍ଷକ ନାହାନ୍ତି। ବିପିୟୁଟିରେ ୪୦, ଭିଏସ୍‌ଏସ୍‌ୟୁଟିରେ ୮୫, ଓୟୁଟିଆରରେ ୫୨, ଆଇଜିଆଇଟିରେ ୧୦୮, ପିଏମ୍‌ଇସିରେ ୧୨, କେନ୍ଦୁଝର ଜିଇସିରେ ୨୩, କଟକସ୍ଥିତ ଆଇଏମ୍‌ଆଇଟିରେ ୮ଟି ଅଣଶିକ୍ଷକ ପଦବିରେ କେହି ନାହାନ୍ତି। ଆଶ୍ବସ୍ତିକର ବିଷୟ ହେଉଛି ଯେ କଳାହାଣ୍ଡି ଜିଇସି ପାଇଁ ମଞ୍ଜୁରପ୍ରାପ୍ତ ୧୩ଟି ଅଣଶିକ୍ଷକ ପଦବି ପୂରଣ ହୋଇଛି।
ସରକାରୀ ପଲିଟେକ୍‌ନିକ୍‌ ଓ ଇଞ୍ଜିନିୟରିଂ ସ୍କୁଲଗୁଡ଼ିକରେ ଅଧାରୁ ଅଧିକ ଅଣଶିକ୍ଷକ ପଦବି ଖାଲି ରହିଛି। ସହକାରୀ ତାଲିମ ଅଫିସରଠାରୁ ଆରମ୍ଭ କରି ହଷ୍ଟେଲ ସୁପରି‌ଟେଣ୍ଡେଣ୍ଟ, ସେକ୍ସନ ଅଫିସର, ସିନିଅର ଆସିଷ୍ଟାଣ୍ଟ, ଜୁନିଅର ଆସିଷ୍ଟାଣ୍ଟ, ଜୁନିଅର ଲାବରେଟୋରି ଆସିଷ୍ଟାଣ୍ଟ, ଆସିଷ୍ଟାଣ୍ଟ ଲାଇବ୍ରେରିଆନ୍‌, ଜୁନିଅର ଲାଇବ୍ରେରିଆନ୍‌, ସିନିଅର ଇନ୍‌ଷ୍ଟ୍ରକଟର, ଇନ୍‌ଷ୍ଟ୍ରକଟର, ଲାବରେଟୋରି ଇନ୍‌ଷ୍ଟ୍ରକଟର, ଡେମୋନଷ୍ଟ୍ରେଟର, ସିଷ୍ଟମ ଆନାଲିଷ୍ଟ, ଲାବରେଟୋରି ଟେକ୍ନିସିଆନ୍‌, ପ୍ରୋଗ୍ରାମର, ଟେକ୍ନିସିଆନ୍‌, ଡ୍ରାଇଭର, ଗ୍ରୁପ୍‌-ଡି କର୍ମଚାରୀ ପଦବି ଖାଲି ପଡ଼ିଛି। ମୋଟ ୨୩ଟି ଅଣଶିକ୍ଷକ ପଦବି ପାଇଁ ୨୩୭୧ଟି ମଞ୍ଜୁର ହୋଇଥିବା ବେଳେ ୧୧୮୮ଟି ପଦବି ଖାଲି ରହିଛି। ୪୫ଟି ସରକାରୀ ଆଇଟିଆଇ ମଧ୍ୟରୁ ୨୧ଟିରେ ଅଧ୍ୟକ୍ଷ ପଦବି ଖାଲି ରହିଛି। ପ୍ରମୁଖଆଇଟିଆଇଗୁଡ଼ିକରେ ଅଧ୍ୟକ୍ଷ ରହିଥିବା ବେଳେ ଉପାନ୍ତ ଅଞ୍ଚଳରେ ଥିବା ଆଇଟିଆଇଗୁଡ଼ିକ ମୁରବି ଶୂନ୍ୟ ହୋଇଯାଇଛି।
ବିଧାନସଭାରେ ବିଧାୟକ ସୌଭିକ୍‌ ବିଶ୍ବାଳଙ୍କ ଏକ ଲିଖିତ ପ୍ରଶ୍ନର ଉତ୍ତରରେ ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ମନ୍ତ୍ରୀ ପ୍ରୀତିରଞ୍ଜନ ଘଡ଼େଇ କହିଛନ୍ତି ଯେ ଖାଲିଥିବା ପଦବିଗୁଡ଼ିକ ପୂରଣ କରିବାକୁ ବିଶ୍ବବିଦ୍ୟାଳୟ ଆଇନ ତଥା ଷ୍ଟାଚ୍ୟୁଟ୍‌ରେ ଥିବା ନିୟମ ଅନୁଯାୟୀ ପଦକ୍ଷେପ ନିଆଯାଉଛି। ସରକାରୀ ଯାନ୍ତ୍ରିକ ମହାବିଦ୍ୟାଳୟ ଓ ବିଦ୍ୟାଳୟଗୁଡ଼ିକରେ ଖାଲିଥିବା ଅଧ୍ୟାପକ ଓ କର୍ମଚାରୀ ପଦବିଗୁଡ଼ିକ ଯଥାକ୍ରମେ ଓପିଏସ୍‌ସି ଓ ଓଏସ୍‌ଏସ୍‌ସି ଦ୍ବାରା ପୂରଣ କରାଯିବ। ସରକାରୀ ଯାନ୍ତ୍ରିକ ଶିଳ୍ପ ତାଲିମ କେନ୍ଦ୍ରରେ ଖାଲିଥିବା ଏଟିଓ ଓ କର୍ମଚାରୀ ପଦବିଗୁଡ଼ିକ ଓଏସ୍‌ଏସ୍‌ସି ଦ୍ବାରା ପୂରଣ କରାଯାଉଛି।