Onn 3

ରାଜ୍ୟରେ ଆଇନଶୃଙ୍ଖଳା ପରିସ୍ଥିତିି ଶାନ୍ତିପୂର୍ଣ୍ଣ ରହିଛି: ମୁଖ୍ୟମନ୍ତ୍ରୀ

State

cm naveen

ଭୁବନେଶ୍ବର: ଆଜି ବିଧାନସଭାରେ ଗୃହ ବିଭାଗ ଏବଂ ସାଧାରଣ ପ୍ରଶାସନ ଓ ସାଧାରଣ ଅଭିଯୋଗ ବିଭାଗର ଖର୍ଚ୍ଚ ଦାବି ଆଲୋଚନାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବିବୃତି ରଖିଛନ୍ତି। ସେ କହିଛନ୍ତି ଯେ ପ୍ରଭୁ ଜଗନ୍ନାଥଙ୍କ ଆଶୀର୍ବାଦ ଓ ଓଡ଼ିଶାବାସୀଙ୍କ ସହଯୋଗ ଯୋଗୁଁ ରାଜ୍ୟରେ ଆଇନଶୃଙ୍ଖଳା ପରିସ୍ଥିତି ମୁଖ୍ୟତଃ ଶାନ୍ତିପୂର୍ଣ୍ଣ ଓ ନିୟନ୍ତ୍ରଣରେ ରହିଛି। ସାମ୍ପ୍ରଦାୟିକ ସମନ୍ବୟ ବଜାୟ ରହିଛି। ଛାତ୍ର, ସେବା, ଶିଳ୍ପ, ଶ୍ରମିକ ଓ କୃଷି ସାମ୍ମୁଖ୍ୟରେ କିଛି ଗୁରୁତ୍ବପୂର୍ଣ୍ଣ ଆଇନଶୃଙ୍ଖଳା ସ୍ଥିତି ଘଟିନି। ରାଜ୍ୟରେ ସାମଗ୍ରିକ ମାଓବାଦୀ ଦୃଶ୍ୟରେ ଉଲ୍ଲେଖନୀୟ ଉନ୍ନତି ଘଟିଛି।
ମୁଖ୍ୟମନ୍ତ୍ରୀ ତାଙ୍କ ବିବୃତିରେ ବିରୋଧୀଙ୍କୁ ଟାର୍ଗେଟ୍ କରି କହିଥିଲେ, ଏହି ଗୃହରେ ମୋର ଅଭିଜ୍ଞତାରୁ ନମ୍ରତାର ସହ ଏତିକି କହିପାରିବି ଯେ ଯେଉଁମାନେ ଲୋକଙ୍କ ପାଇଁ କାମ କରନ୍ତି ସେମାନେ ଏହି ଗୃହକୁ ଫେରନ୍ତି। ଯେଉଁମାନେ ଅପରାଧକୁ ନେଇ ରାଜନୀତି କରନ୍ତି, ରାଜନୈତିକ ବିଚାର ପାଇଁ ବିକାଶରେ ବାଧକ ସାଜନ୍ତି ସେମାନେ ଏହି ପବିତ୍ର ଗୃହକୁ ଫେରନ୍ତି ନାହିଁ। ଲୋକମାନେ ବିରୋଧୀଙ୍କ ଆଚରଣ ଉପରେ ନଜର ରଖିଛନ୍ତି ଏବଂ ସେମାନେ କିପରି ହତା‌ଶ ହୋଇ ବିକାଶମୂଳକ କାର୍ଯ୍ୟରେ ବାଧକ ସାଜିଛନ୍ତି ତାହା ବି ଦେଖୁଛନ୍ତି। ଆମ ସରକାର ଓଡ଼ିଶାକୁ ‘ନୂତନ ଓଡ଼ିଶା, ସଶକ୍ତ ଓଡ଼ିଶା’ରେ ପରିଣତ କରିବାକୁ ଆଗକୁ ବଢ଼ିବ।
ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଥିଲେ, ଚଳିତବର୍ଷ ଓଡ଼ିଶା ପୁଲିସ ଓ କାରାଗାର ବିଭାଗରେ ୫ହଜାରରୁ ଅଧିକ ନିଯୁକ୍ତି ଦିଆଯାଇଛି। ଆଗାମୀ ଦିନରେ ଓଡ଼ିଶା ପୁଲିସରେ ଖାଲିଥିବା ୩୩୦୦ ପଦବି ଏବଂ ଜେଲ୍‌ ଓ ଅଗ୍ନିଶମ ସେବାରେ ପ୍ରାୟ ହଜା‌ରେ ପଦବିରେ ନିଯୁକ୍ତି ଦେବା ପାଇଁ ଅନୁମତି ଦିଆଯାଇଛି। ୫-ଟି ନୀତିରେ ଓଡ଼ିଶା ପୁଲିସ ‘ମାନବ’ ପୋର୍ଟାଲର ଶୁଭାରମ୍ଭ କରିଥିବାବେଳେ ଏଥିରେ ଆଟ୍ରୋସିଟି ମାମଲାଗୁଡ଼ିକର ତୁରନ୍ତ ଫଇସଲା ଏବଂ ପୀଡ଼ିତଙ୍କୁ ଅନୁକମ୍ପାମୁଳକ ରାଶି ପ୍ରଦାନ କରିବା ପ୍ରକ୍ରିୟାକୁ ତ୍ବରାନ୍ବିତ କରାଯାଉଛି। ଆମେ ଅପରାଧ ପ୍ରତି ଶୂନ୍ୟ ସହନଶୀଳତା ନୀତି ଆପଣାଇଛୁ। ବିଶେଷକରି ମହିଳାଙ୍କ କ୍ଷେତ୍ରରେ ମୁକ୍ତ ଓ ନି‌ରପେକ୍ଷ ଅନୁସନ୍ଧାନ ନିଶ୍ଚିତ କରିଛୁ। ତଥାପି ନ୍ୟସ୍ତ ସ୍ବାର୍ଥ ପାଇଁ ଅତ୍ୟନ୍ତ ସମ୍ବେଦନଶୀଳ ମାମଲାଗୁଡ଼ିକର ରାଜନୀତିକରଣ କରାଯାଉଥିବା ଦେଖି ମୁଁ ମର୍ମାହିତ। ଏହା ପୀଡ଼ିତା‌ଙ୍କ ପରିବାର ଓ ଦିନରାତି କାମ କରୁଥିବା ପୁଲିସ କର୍ମଚାରୀଙ୍କ ପ୍ରତି ଅନ୍ୟାୟ। ଏପରିକି ଜଣେ କାର୍ଯ୍ୟରତ ମହିଳା ଅଧିକାରୀଙ୍କୁ ଅସଦାଚରଣ କରାଗଲା। ସଭ୍ୟ ସମାଜରେ ଏହା ଅଦୌ ଗ୍ରହଣୀୟ ନୁହେଁ।
ସେହିପରି ସାଧାରଣ ପ୍ରଶାସନ ଓ ସାଧାରଣ ଅଭିଯୋଗ ବିଭାଗରେ ମୋ ସରକାର ମାଧ୍ୟମରେ ନିଆଯାଇଥିବା ପଦକ୍ଷେପ ନାଗରିକଙ୍କ ଆତ୍ମବିଶ୍ବାସ ସୃଷ୍ଟି କରିଛି। ତିନି ନିଯୁକ୍ତି କମିସନଙ୍କ ଦ୍ୱାରା ନିଯୁକ୍ତି ପରୀକ୍ଷା ନିୟମିତ ଭାବେ କରାଯାଉଛି। ଚଳିତବର୍ଷ ସେମାନେ ୧୨ହଜାରରୁ ଅଧିକ ପ୍ରାର୍ଥୀଙ୍କୁ ନିଯୁକ୍ତି ପାଇଁ ସୁପାରିସ କରିଛନ୍ତି। ଲୋକୟୁକ୍ତ ଏବଂ ଭିଜିଲାନ୍ସରେ ଯେପରି ଦୁର୍ନୀତି ମାମଲାଗୁଡ଼ିକ ପଞ୍ଜୀକରଣ,ତଦନ୍ତ ଓ ଫଇସଲା ହେଉଛି ଏବଂ ଦୁର୍ନୀତିଗସ୍ତ ସରକାରୀ କର୍ମଚାରୀଙ୍କୁ ବରଖାସ୍ତ କରାଯାଉଛି ତାହା ଅତ୍ୟନ୍ତ ଉତ୍ସାହଜନକ। ଯେଉଁଥିପାଇଁ ଓଡ଼ିଶା ଏ କ୍ଷେତ୍ରରେ ଦେଶର ଶ୍ରେଷ୍ଠ ପ୍ରଦର୍ଶନକାରୀ ରାଜ୍ୟ ମଧ୍ୟରେ ରହିଛି।
ସୂଚନାଯୋଗ୍ୟ ଯେ ମୁଖ୍ୟମନ୍ତ୍ରୀ ଗୃହରେ ବିବୃତି ରଖିବାବେଳେ ବିରୋଧୀ ବିଜେପି ଓ କଂଗ୍ରେସର ବିଧାୟକମାନେ ଗୃହରେ ଉପସ୍ଥିତ ନଥିଲେ। ଏପରିକି ଗୃହ ବିଭାଗ ଏବଂ ସାଧାରଣ ପ୍ରଶାସନ ଓ ସାଧାରଣ ଅଭିଯୋଗ ବିଭାଗର ଖର୍ଚ୍ଚ ଦାବି ଆଲୋଚନାରେ ଭାଗ ନେଇନଥିଲେ। କେବଳ ଶାସକ ଦଳର ଦୁଇ ବିଧାୟିକା ଏଥିରେ ଭାଗ ନେଇଥିଲେ।