Onn 3

ଚନ୍ଦ୍ରଯାନ-୩ର ସଫଳତା ପରେ ‘ଜି୨୦’ର ଭବ୍ୟ ଆୟୋଜନ ଭାରତୀୟଙ୍କ ଆନନ୍ଦ ଦୁଇଗୁଣ କରିଦେଲା: ପ୍ରଧାନମନ୍ତ୍ରୀ

National & International

 

 

ନୂଆଦିଲ୍ଲୀ: ଚନ୍ଦ୍ରଯାନ-୩ର ସଫଳତା ପରେ ‘ଜି୨୦’ ଶିଖର ସମ୍ମିଳନୀର ଭବ୍ୟ ଆୟୋଜନ ପ୍ରତ୍ୟେକ ଭାରତୀୟଙ୍କ ଖୁସିକୁ ଦ୍ବିଗୁଣିତ କରିଦେଇଥିବା କଥା ଆଜି ‘ମନ୍‌ କୀ ବାତ୍‌’ର ୧୦୫ତମ ସଂସ୍କରଣରେ ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି। ପ୍ରଧାନମନ୍ତ୍ରୀ କହିଛନ୍ତି,  ନିଜେ ‘ଭାରତ ମଣ୍ଡପମ୍‌’ ବି ସେଲିବ୍ରିଟି ପାଲଟିଗଲା। ‘ଭାରତ ମଣ୍ଡପମ୍‌’ ସହିତ ‘ସେଲ୍‌ଫି’ ଉଠାଇ ଲୋକେ ଆନନ୍ଦରେ ପୋଷ୍ଟିଙ୍ଗ୍‌ କଲେ।

ସେହିପରି, ଚନ୍ଦ୍ରର ଦକ୍ଷିଣ ମେରୁରେ ଚନ୍ଦ୍ରଯାନ-୩ ମିସନ୍‌ର ଅବତରଣକାଳୀନ ଭିଡିଓ ୮୦ ଲକ୍ଷ ଭିୟୁ ହୋଇଛି। ଚନ୍ଦ୍ରଯାନ-୩ର ଲ୍ୟାଣ୍ଡର୍‌ ଚନ୍ଦ୍ରପୃଷ୍ଠରେ ଅବତରଣ କରିବାକୁ ଯିବା ବେଳେ ଏକକାଳୀନ କୋଟି କ‌ୋଟି ଲୋକ ଏହି ଘଟଣାର ପ୍ରତିଟି ମୁହୂର୍ତ୍ତକୁ ବିଭିନ୍ନ ମାଧ୍ୟମରେ ଦେଖିଛନ୍ତି। ‘ଇସ୍ରୋ’ର ‘ୟୁଟ୍ୟୁବ୍‌ ଲାଇଭ୍‌ ଚାନେଲ୍‌’ରେ ୮୦ ଲକ୍ଷରୁ ଅଧିକ ଲୋକ ଏହି ଦୃଶ୍ୟ ଦେଖିଛନ୍ତି ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି।

ପ୍ରଧାନମନ୍ତ୍ରୀ କହିଛନ୍ତି, ଆଜିଠାରୁ ଆଉ ୨ ଦିନ ଥିବା ସେପ୍ଟେମ୍ବର ୨୭ ତାରିଖ ହେଉଛି ‘ବିଶ୍ବ ପର୍ଯ୍ୟଟନ ଦିବସ’। କେତେକ ଲୋକ ଭାବନ୍ତି ପର୍ଯ୍ୟଟନ ହେଉଛି ଯାତ୍ରା ଓ ଭ୍ରମଣର ମାଧ୍ୟମ ମାତ୍ର। କିନ୍ତୁ, ପର୍ଯ୍ୟଟନର ଗୋଟାଏ ଗୁରୁତ୍ବପୂର୍ଣ୍ଣ ଦିଗ କର୍ମସଂସ୍ଥାନ ସହିତ ଜଡ଼ିତ।

‘ଆଇଆଇଟି’, ‘ଆଇଆଇଏମ୍‌’ ‘ଏନ୍‌ଆଇଟି’ ଓ ମେଡିକାଲ୍‌ କଲେଜ ଭଳି ଅନେକ ସମ୍ମାନଜନକ ପ୍ରତିଷ୍ଠାନ ‘ଜି୨୦ ୟୁନିଭର୍ସିଟି କନେକ୍ଟ୍‌ ପ୍ରୋଗ୍ରାମ୍‌’ରେ ଅଂଶଗ୍ରହଣ କରିବେ। ଭାରତୀୟ ଯୁବା ‘ଜି୨୦’ରେ କିଭଳି ସମ୍ପୃକ୍ତ ହେଲେ ସେ ସଂକ୍ରାନ୍ତରେ ବିଶେଷ ଉଲ୍ଲେଖ ଆବଶ୍ୟକ। ତାହା ହେଉଛି, ବର୍ଷ ସାରା ‘ଜି୨୦’ ସମ୍ବନ୍ଧୀୟ କାର୍ଯ୍ୟକ୍ରମ ସବୁ ଦେଶର ଅନେକ ବିଶ୍ବବିଦ୍ୟାଳୟରେ ଆୟୋଜିତ ହୋଇଥିଲା ବୋଲି ସେ କହିଛନ୍ତି।

ପ୍ରଧାନମନ୍ତ୍ରୀ କହିଛନ୍ତି, ଆମ ଦେଶରେ ଶିକ୍ଷାକୁ ସବୁବେଳେ ସେବା ଦୃଷ୍ଟିରେ ଦେଖାଯାଏ। ଏହି ଭାବଚ୍ଛ୍ବାସ ନେଇ ଉତ୍ତରାଖଣ୍ଡର କେତେକ ଯୁବକ ପିଲାମାନଙ୍କ ଶିକ୍ଷା ପାଇଁ କାମ କରୁଥିବା କଥା ଜାଣିବାକୁ ପାଇଛି। ନୈନିତାଲ୍‌ ଜିଲ୍ଲାରେ କେତେକ ଯୁବକ ପିଲାମାନଙ୍କ ପାଇଁ ଅଭିନବ ‘ଘୋଡ଼ା ପାଠାଗାର’ ଆରମ୍ଭ କରିଛନ୍ତି।

ଏକଥା ସତ୍ୟ ଯେ, ଆଜିର ଯୁଗ ହେଉଛି ‘ଡିଜିଟାଲ୍‌ ଟେକ୍ନୋଲୋଜି ଓ ଇ-ବୁକ୍‌ର ଯୁଗ। କିନ୍ତୁ, ବହି ଆମ ଜୀବନରେ ପରମ ମିତ୍ରର ଭୂମିକା ନିର୍ବାହ କରିଥାଏ। ତେଣୁ, ପିଲାଙ୍କୁ ଆମେ ବହି ପଢ଼ିବା ପାଇଁ ପ୍ରବର୍ତ୍ତାଇବା ଉଚିତ। ହାଇଦ୍ରାବାଦରେ ବି ପାଠାଗାର ପାଇଁ ସପ୍ତମ ଶ୍ରେଣୀରେ ପଢୁଥିବା ଝିଅ ଆକର୍ଷଣା ସତୀଶ ଉଲ୍ଲେଖନୀୟ ସଫଳତା ହାସଲ କରିଥିବା ଖବର ପାଇଛି। ମାତ୍ର ୧୧ ବର୍ଷ ବୟସରେ ସେ ଗୋଟିଏ କି, ଦୁଇଟି ନୁହେଁ, ପିଲାଙ୍କ ପାଇଁ ୭ଟି ପାଠାଗାର ଚଳଉଛନ୍ତି।

ଏହାଛଡ଼ା, ପ୍ରଧାନମନ୍ତ୍ରୀ ମୋଦୀ ‘ମନ୍‌ କୀ ବାତ୍‌’ର ଏହି ସଂସ୍କରଣରେ ଜର୍ମାନ ବାଳିକା କ୍ୟାସେଣ୍ଡ୍ରା ମାଏ ସ୍ପିଟ୍‌ମାନ୍‌ ଗାଇଥିବା ୨ଟି ଭାରତୀୟ ଗୀତ ବଜାଇଛନ୍ତି। ସେ କହିଲେ, ଭାରତୀୟ ସଂସ୍କୃତି ଓ ସଙ୍ଗୀତ ପ୍ରତି ଭାବାବେଗ ଥିବା ଜର୍ମାନିର କ୍ୟାସେଣ୍ଡ୍ରା ମାଏ ସ୍ପିଟ୍‌ମାନ୍‌ଙ୍କୁ ମୋର ଆନ୍ତରିକ ପ୍ରଶଂସା। ତାଙ୍କର ପ୍ରୟାସ ପ୍ରତ୍ୟେକ ଭାରତୀୟଙ୍କୁ ବିମୁଗ୍ଧ କରିବ। ଗତ କେଇ ବର୍ଷ ହେଲା, ଦେଶରେ ସିଂହ, ବାଘ, କଲରାପତ୍ରିଆ ଓ ହାତୀଙ୍କ ସଂଖ୍ୟା ଉଲ୍ଲେଖନୀୟ ଭାବେ ବୃଦ୍ଧି ଘଟିଛି ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି।

ସେ କହିଛନ୍ତି, ଲକ୍ଷ୍ୟ ଦୃଢ଼ ଥିଲେ କିଛି ଶିଖିବାକୁ ତୃଷ୍ଣା ଜାଗ୍ରତ ହୁଏ, ଫଳରେ କ‌ୌଣସି କାର୍ଯ୍ୟ କଠିନ ମନେହୁଏ ନାହିଁ। ଏହା ସମ୍ପୂର୍ଣ୍ଣ ସତ ବୋଲି ପଶ୍ଚିମବଙ୍ଗର ଶକୁନ୍ତଳା ସରଦାର ପ୍ରମାଣିତ କରିଛନ୍ତି। ଆଜି ସେ ଅନେକ ମହିଳାଙ୍କ ପାଇଁ ପ୍ରେରଣା ପାଲଟି ଯାଇଛନ୍ତି। ଶକୁନ୍ତଳା ସରଦାରଙ୍କ ‘ଜଙ୍ଗଲ ମହଲ’ ‌ସିଲେଇ ମେସିନ୍‌ଦ୍ବାରା ସାଳପତ୍ରରେ ଯେଉଁ ଡିଜାଇନ୍‌ ସବୁ କରୁଛନ୍ତି ତାହା ତାଙ୍କ ପରିବାରବର୍ଗଙ୍କ ଅବସ୍ଥା ବଦଳାଇ ଦେଇଛି।

ଆମ ଦେଶରେ ପର୍ବପର୍ବାଣି ସବୁ ଆରମ୍ଭ ହୋଇଯାଇଛି। କିଛି ନୂଆ ଘରକରଣା ପାଇଁ କିଣାକିଣି କରିବାକୁ ସଭିଏଁ ଯୋଜନା କରୁଥିବେ। କେହି ନବରାତ୍ରୀରେ ଗ‌ୋଟିଏ ଯୋଡ଼ିଏ ଶୁଭକାମ ଆରମ୍ଭ କରିବାକୁ ଅପେକ୍ଷା କରିଥି‌ବେ। ଏହି ହର୍ଷୋଲ୍ଲାସ ସମୟରେ ଆପଣମାନେ ‘ଭୋକାଲ୍‌ ଫର୍‌ ଲୋକାଲ୍‌’ ମନ୍ତ୍ରଟିକୁ ମନେ ରଖିଥିବେ।