Onn 3

ଘର ଆଗରେ ଲହଡି ମାରୁଛି ପାଣି, ତୁରନ୍ତ ସମାଧାନ ପାଇଁ ଦାବି

State

pani

ଚାନ୍ଦବାଲି: ଘର ଆଗରେ ଲହଡି ମାରୁଛି ଆଣ୍ଠୁଏ ଉଚ୍ଚର ପାଣି । ଘରୁ ବାହାରକୁ ବାହାରିଲେ ପାଣିରେ ପଶି ଆସିବାକୁ ପଡୁଛି । ଗାଁ ରାସ୍ତାରେ ବି ଲହଡି ମାରୁଛି ପାଣି । ଏମିତିକି ଗାଁକୁ ଚାରିପାଖରୁ ଘେରି ରହିଛି ପାଣି । ଏ ହେଉଛି ଭଦ୍ରକ ଜିଲ୍ଲା ଚାନ୍ଦବାଲି ବ୍ଲକ ନଳଗୋହିରା ପଂଚାୟତର ୮ ନମ୍ୱର ୱାର୍ଡର ଦୃଶ୍ୟ । ଅସରାଏ ବର୍ଷା ହେଲେ ମାସ ମାସ ଧରି ବର୍ଷା ପାଣି ନିଷ୍କାସନ ନହୋଇପାରି ଜମି ରହୁଛି।

ପାଣି ଜମି ରହି ମହାନ୍ତି ସାହିରେ କୃତ୍ରିମ ବନ୍ୟା ପରିସ୍ଥିତି ସୃଷ୍ଟି କରୁିଛି । ପାଣି ନିଷ୍କାସନ ନହୋଇପାରିବାରୁ ୧୦ ପରିବାର ସମ୍ପୂର୍ଣ୍ଣ ପାଣି ଘେରରେ ରହିଥିବା ଗାଁ ଲୋକେ ଅଭିଯୋଗ କରିଛନ୍ତି। ଏ ସମସ୍ୟାର ସମାଧାନ ନହୋଇପାରିବାରୁ ମହାନ୍ତି ସାହିବାସୀ ଅସନ୍ତୋଷ ପ୍ରକାଶ କରିଛନ୍ତି। ଏହି ପାଣି ଭିତରେ ପଶି କୁନି କୁନି ପିଲାଙ୍କ ଠାରୁ ଆରମ୍ଭ କରି ସ୍କୁଲ , କଲେଜ ପିଲା ଏମିତି ବୟସ୍କ ଲୋକ ଓ ରୋଗୀ ମଧ୍ୟ ଯାଆଆସ କରୁଛନ୍ତି।

ଏହି ୮ନମ୍ୱର ୱାର୍ଡରେ ୧ ଶହ ପରିବାର ବସବାସ କରନ୍ତି । ଲୋକସଂଖ୍ୟା ପାଖାପାଖି ୮ଶହ ହେବ । ହେଲେ ୱାର୍ଡରେ ନାହିଁ ଡ୍ରେନେଜ ବ୍ୟବସ୍ଥା । ୩ରୁ୪ବର୍ଷ ହେବ ମହାନ୍ତି ସାହି ବାସୀଙ୍କ ପାଇଁ ପାଣି ନିଷ୍କାସନ ମୁଖ୍ୟ ସମସ୍ୟା ପାଲଟିଛି ବୋଲି ଗ୍ରାମବାସୀ କହିଛନ୍ତି । ତେବେ ଏଇ କିଛି ଦିନ ହେବ ବର୍ଷା ହେଉଥିବାରୁ ୧୫ଦିନ ହେଲା ଗାଁରେ ପାଣି ଜମି ରହି କୃତ୍ରିମ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି । ତେବେ ପୂର୍ବରୁ ଗାଁ ଭିତକରୁ ପାଣି ନିଷ୍କାସନ ହେବାରେ ବାଟ ଥିଲା । ହେଲେ ଏଇ କିଛି ବର୍ଷ ହେଲା ଉକ୍ତ ପାଣି ନିଷ୍କାସନ ବାଟକୁ ନିଜର ଜାଗା କହି ଜଣେ ଲୋକ ଅବରୋଧ କରି ରଖିଛନ୍ତି। ଯାହା ଫଳରେ ପାଣି ନିଷ୍କାସନ ନହୋଇପାରି ଗାଁ ଦାଣ୍ଡରେ ଜମି ରହୁଛି।

ପାଣି ଜମି ରହିବା ଦ୍ଵାରା ଗାଁର ପରିବେଶ ଦୂଷିତ ହେଉଛି । ଜ୍ବର ,ଥଣ୍ଡା ରୋଗ ବାପୁଥିବା ନେଇ ଅଭିଯୋଗ କରିଛନ୍ତି। ପୂର୍ବରୁ ଏ ସମସ୍ୟା ବାବଦରେ ଚାନ୍ଦାବଲି ତହସିଲଦାରଙ୍କୁ ଲିଖିତ ଅଭିଯୋଗ କରିଥିଲେ ଗ୍ରାମବାସୀ। ତହସିଲଦାର ବି ଘଟଣାସ୍ଥଳକୁ ଯାଇ ପାଣି ନିଷ୍କାସନ ବାଟକୁ ଅବରୋଧ ମୁକ୍ତ କରିଥିଲେ । ହେଲେ ଏବେ ପୁଣି ସମାନ ପରିସ୍ଥିତି । ବିଡିଓ କହିଛନ୍ତି ପାଣି ନିଷ୍କାସନ କରିବାର ବ୍ୟବସ୍ଥା କରାଯିବ । ପରେ ସ୍ଥାୟୀ ସମାଧାନ ହେବ।

ଗ୍ରାମବାସୀଙ୍କ ସମସ୍ୟାକୁ ଗୁରୁତ୍ଵ ଦେଇ ତୁରନ୍ତ ସମସ୍ୟାର ସମାଧାନ କରିବାକୁ ଦାବି ହୋଇଛି। ନଚେତ ଆଗାମୀ ଦିନରେ ଗ୍ରାମବାସୀମାନେ ଆନ୍ଦୋଳନର ପନ୍ଥା ଆପଣେଇବାକୁ ଚେତାବନୀ ଦେଇଛନ୍ତି।