ଆଗରପଡ଼ା: ପ୍ରାକୃତିକ ବିପର୍ଯ୍ୟୟରୁ ପରିବେଶକୁ ସୁରକ୍ଷିତ ରଖିବା ପାଇଁ କେନ୍ଦ୍ର ଠାରୁ ଆରମ୍ଭ କରି ରାଜ୍ୟ ସରକାର ପର୍ଯ୍ୟନ୍ତ ସମସ୍ତେ ବିଭିନ୍ନ ପ୍ରକାର ଯୋଜନା ମାଧ୍ୟମରେ କୋଟି କୋଟି ଟଙ୍କା ଖର୍ଚ୍ଚ କରୁଥିବା ସ୍ଥଳେ ବିଭାଗୀୟ ଅଧିକାରୀଙ୍କ ଦୂର ଦୃଷ୍ଟିର ଅଭାବ ଯୋଗୁଁ ଏହାର ସଫଳ ରୂପାୟନ ହୋଇ ପାରୁ ନାହିଁ । ଏହାର ଜ୍ୱଳନ୍ତ ଉଦାହରଣ ଦେଖିବାକୁ ମିଳୁଛି ଭଦ୍ରକ ଜିଲା ବନ୍ତ ବ୍ଲକ ଆଗରପଡ଼ାରେ । ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳବିହାରୀ ବାଜପେୟୀଙ୍କ ପ୍ରଧାମନ୍ତ୍ରୀତ୍ୱ କାଳରେ ୨୦୦୨-୦୩ ଆର୍ଥିକ ବର୍ଷରେ ତତ୍କାଳୀନ କେନ୍ଦ୍ର ଜଳସମ୍ପଦ ମନ୍ତ୍ରୀ ତଥା ପୂର୍ବତନ ଭଦ୍ରକ ସାଂସଦ ସ୍ୱର୍ଗତ ଅର୍ଜୁନଚରଣ ସେଠୀଙ୍କ ଉଦ୍ୟମ କ୍ରମେ ସାଳନ୍ଦି ସଂସ୍କାର ଯୋଜନାରେ ୧୦୨କୋଟି ଟଙ୍କା ଅନୁଦାନ ମଞ୍ଜୁର ହୋଇଥିବା ବେଳେ ୨୦୦୫-୦୬ ଆର୍ଥିକ ବର୍ଷରେ ବ୍ୟୟ ଅଟକଳ ପ୍ରସ୍ତୁତ କରାଯାଇ କାର୍ଯ୍ୟ କରାଯାଇଥିଲା । ଏହାର ଲକ୍ଷ୍ୟଥିଲା ସାଳନ୍ଦୀ ସଂସ୍କାର ଯୋଜନାରେ ପୋତି ହୋଇଯାଇଥିବା ନଦୀଗର୍ଭ ପୁନଃଦ୍ଧାର ଓ ସାଳନ୍ଦୀ ସଂଯୋଗୀକରଣ କରି ସାଳନ୍ଦୀ ନଦୀକୁ ସୁରକ୍ଷିତ ରଖିବା । ମାତ୍ର ଉକ୍ତ ଯୋଜନା ଅନୁଦାନ ରାଶିି ଉପଯୁକ୍ତ ବିନିଯୋଗ ନହେବାରୁ କ୍ରମଶଃ ନଦୀର ଗତିପଥ ବଦଳିି ଜନବସତି ଆଡକୁ ମାଡି ଆସୁଛି । ଏହାର ମୁଖ୍ୟ କାରଣ ନଦୀ ପଠାରେ ବେଆଇନ ଭାବେ ଗଢି ଉଠୁଥିବା ଇଟା ଭାଟି ଓ ବାଲି ଖନନ । ଏଠାରେ ପ୍ରକାଶ ଥାଉକି;ଆଗରପଡା ଥାନା ଅଧିନ ଗୋପିନାଥପୁର, ମହାନ୍ତିପଡ଼ା, ଚାରିଗାଁ ଏବଂ ଅଣିଜୋ ଆଦି ପଞ୍ଚାୟତ ଅନ୍ତର୍ଗତ ସାଳନ୍ଦୀ ନଦୀରୁ ଦୀର୍ଘ ଦିନ ଧରି ବେନିୟମ ଭାବେ ମାଫିଆ ମାନେ ଦିନ ଦ୍ୱିପ୍ରହରରେ ବାଲି ଖୋଳି ନେଉଥିଲେ । ବାରମ୍ବାର ଅଭିଯୋଗ ପରେ ପ୍ରଶାସନ ପକ୍ଷରୁ ଘାଟ ଗୁଡ଼ିକୁ ଗତ ବର୍ଷ ୨୦୨୦ରେ ନିଲାମ କରାଯାଇଥିଲା ।
ନିଲାମ ପରେ ଅଂଚଳବାସୀ ବେଆଇନ ବାଲି ଖନନ ଉପରେ ରୋକ ଲାଗିବ ବୋଲି ଆଶା ବ୍ୟକ୍ତ କରିଥିବା ବେଳେ ଏଥିରେ ବେନିୟମ ହେଉଥିବା ଅଭିଯୋଗ ହେଉଛି । ସରକାରଙ୍କ ପ୍ରଦତ୍ତନିୟମକୁ କେହିବି ମାନୁ ନାହାନ୍ତି । ପୂର୍ବପରି ରାଜସ୍ୱ ବିଭାଗ କର୍ମଚାରୀଙ୍କ ଜ୍ଞାତ ସାରରେ ଦିନ ଦ୍ୱିପ୍ରହରରେ ଖୋଲାଖୋଲି ଭାବେ ନିର୍ଦ୍ଦାରିତ ନିୟମଠାରୁ ଅଧିକ ବାଲି ଖୋଳାଯାଇ ଟ୍ରାକ୍ଟର ଓ ଟ୍ରକରେ ଅନ୍ୟ ସ୍ଥାନକୁ ପଠାଯାଉଛି । ଏହା ଜାଣି ସୁଦ୍ଧା ପ୍ରଶାସନ ପକ୍ଷରୁ କୌଣସି କିଛି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ ନାହିଁ ବୋଲି ଅଭିଯୋଗ ହେଉଛି । ଗ୍ରାମବାସୀ ମାନେ ଏହାକୁ ବିରୋଧ କଲେ ମାଫିଆ ମାନଙ୍କ ଆକ୍ରୋଶର ଶିକାର ହେଉଛନ୍ତି । ପ୍ରଶାସନ ନିକଟରେ ଅଭିଯୋଗ କଲେ ମଧ୍ୟ କୌଣସି କିଛି ସୁଫଳ ମିଳିପାରୁ ନାହିଁ । ଘାଟ ନିଲାମ କେବଳ ପ୍ରହସନ ପାଲଟିଛି । ପ୍ରତିଦନ ଏହି ପରି ବେଧଡକ ବାଲିଖୋଳାଯାଉଥିବାରୁ ନଦୀର ଗତି ପଥ ପରିବର୍ତ୍ତନ ଘଟୁଛି । ଯାହାକି ପୂର୍ବ ବର୍ଷ ପରି ସାମାନ୍ୟ ବର୍ଷା ହେଲେ ନଦୀ ବଢି ପାଣି ଗାଁ ମଧ୍ୟକୁ ପଶିଆସି ଲୋକ ମାନଙ୍କର ବ୍ୟାପକ କ୍ଷତି ପହଁଚାଇବା ସମ୍ଭାବନା ସୃଷ୍ଟି କରୁଛି । ଆହୁରି ମଧ୍ୟ ବାଲି ମାଫିଆ ମାନେ ନଦୀ ତଟକୁ ଦୁଇ ତିନି ମଣିଷ ଲେଖାଏଁ ଖୋଳି ଦେବା ଦ୍ୱାରା ବିଭିନ୍ନ ସମୟରେ ଗୃହପାଳିତ ପଶୁ ମାନେ ଏଥିରେ ଖସିପଡି ଖଣ୍ଡିଆ ଖାବରା ହେଉଥିବାର ନଜିର ରହିଛି । ସାଳନ୍ଦୀ ନଦୀର ପାଶ୍ୱର୍ରେ ଥିବା କାଣ୍ଡବା, ସାହୁପଡା, ଶ୍ରୀରାମପୁର, ଅମରସିଂହପୁର, ଚାରିଗାଁ, ଚକ୍ରାପାଢୀ,ଅଣିଜୋ, ଇଟୁଆ, ବିରିଡିହି ଆଦି ଗ୍ରାମଗୁଡିକରେ ଅବାଧ ବାଲି ଖନନ ଯୋଗୁଁ ଆଗକୁ ସାଳନ୍ଦୀନଦୀରେ ଲିନ ହେବାର ଆଶଙ୍କା ସୃଷ୍ଟି ହୋଇଛି ।