Onn 3

କାର୍ଯ୍ୟାଦେଶକୁ ୭ବର୍ଷ ପୁରିଲା, କାର୍ଯ୍ୟକ୍ଷମ ହୋଇନପାରୁନି ମାର୍କେଟ କଂପ୍ଲେକ୍ସ

State

ଆଗରପଡ଼ା:ସରକାରଙ୍କ ତରଫରୁ ପ୍ରତି ପଂଚାୟତରେ ମାର୍କେଟ କଂପ୍ଲେକ୍ସ ନିର୍ମାଣ କରାଯିବାର ଯୋଜନା ଥିବାରୁ ୨୦୧୬-୧୭ ଆର୍ôଥକ ବର୍ଷରେ ସିଏଫସି ଅର୍ଥରେ ଭଦ୍ରକ ଜିଲା ବନ୍ତ ବ୍ଲକ ଅନ୍ତର୍ଗତ ଜାମବଣୀ ଛକ ଠାରେ ପଂଚାୟତ ସମିତି ଭଦ୍ରକ ଆନୁକୁଲ୍ୟରେ କାଉପୁର ପଂଚାୟତ ତରଫରୁ ଏକ ମାର୍କେଟ କଂପ୍ଲେକ୍ସ ନିର୍ମାଣ କାର୍ଯ୍ୟ ପାଇଁ ସଂପୃକ୍ତ ଠିକାଦାରଙ୍କୁ କାର୍ଯ୍ୟାଦେଶ ପ୍ରଦାନ କରାଯାଇଥିଲା । ବର୍ତ୍ତମାନ କାର୍ଯ୍ୟାଦେଶକୁ ୭ବର୍ଷ ପୁରିଲାଣି ତଥାପି କାର୍ଯ୍ୟକ୍ଷମ ହୋଇପାରିନି କଂପ୍ଲେକ୍ସ । ସରକାର ବିଭିନ୍ନ ଯୋଜନା ମାଧ୍ୟମରେ ଲୋକାଭିମୁଖୀ କାର୍ଯ୍ୟ ପାଇଁ ଲକ୍ଷାଧିକ ଟଙ୍କା ଖର୍ଚ୍ଚ କରୁଥିବା ବେଳେ ବିଭାଗୀୟ ଅଧିକାରୀଙ୍କ ଇଛା ଶକ୍ତିର ଅଭାବ ଯୋଗୁଁ ଏହାର ସଫଳ ରୁପାୟନ ହୋଇନପାରିବାର ଜ୍ୱଳନ୍ତ ଉଦାହରଣ ତ୍ସଷ୍ଟି କରିଛି ଏହି ମାର୍କେଟ କଂପ୍ଲେକ୍ସ । ସୂଚନା ଅନୁଯାୟୀ;୨୦୧୬-୧୭ ଆର୍ଥିକ ବର୍ଷରେ ପଂଚାୟତ ତରଫରୁ ସିଏଫସି ପାଣ୍ଠିରୁ ମଂଜୁର ହୋଇଥିବା ୪ଲକ୍ଷ ଟଙ୍କା ବ୍ୟୟ ଅଟକଳରେ ଉକ୍ତ ପକଳ୍ପ ଆରମ୍ଭ ହୋଇଥିଲା କିନ୍ତୁ ପରବର୍ତ୍ତୀ ମୂହୂର୍ତ୍ତରେ ଠିକାଦାରଙ୍କ ମନମୁଖୀ କାର୍ଯ୍ୟ ଯୋଗୁଁ ଗୃହ ନିର୍ମାଣ ସଂପୂର୍ଣ୍ଣ ହୋଇପାରି ନଥିଲା । ଏହାକୁ ସଂପୂର୍ଣ୍ଣ କରିବା ପାଇଁ ୨୦୧୯-୨୦ ଆର୍ଥିକ ବର୍ଷରେ ଏସଏଫସି ପାଣ୍ଠିରୁ ପୁଣି ୨ ଲକ୍ଷ ଟଙ୍କା ମଂଜୁର କରାଯାଇଥିଲା । ୬ ଲକ୍ଷ ଟଙ୍କା ବ୍ୟୟ କରାଯାଇଥିଲେ ସୁଦ୍ଧା କଂପ୍ଲେକ୍ସଟି ଆଜିଯାଏଁ ସଂପୂର୍ଣ୍ଣ କାର୍ଯ୍ୟକ୍ଷମ ହୋଇପାରିନାହିଁ । ଉକ୍ତ ଖବର ବାରମ୍ବାର ପ୍ରକାଶ ପାଇବା ପରେ କଂପ୍ଲେକ୍ସରେ ଥିବା ୩ଗୋଟି ଗୃହ ମଧ୍ୟରୁ ଗୋଟିଏ ଗୃହ କାର୍ଯ୍ୟକ୍ଷମ ହୋଇଥିବା ଜଣାପଡ଼ିଛି ।

ସେହିପରି ଗୋପିନାଥପୁର ପଂଚାୟତ ପକ୍ଷରୁ ଆଗରପଡ଼ା ବଜାରଠାରେ ନିର୍ମିତ ମାର୍କେଟ କଂପ୍ଲେକ୍ସ ମଧ୍ୟ ନିର୍ମିତ ହେବାର ବର୍ଷାଧିକ କାଳ ପରେ ମଧ୍ୟ ବ୍ୟବହାର ହୋଇପାରି ନାହିଁ । ଅନୁରୂପ ଭାବେ ଓଡ଼ଙ୍ଗ ପଂଚାୟତ ଓଡ଼ଙ୍ଗ ଗ୍ରାମରେ ପଂଚାୟତ ସମିତି ବନ୍ତ ପକ୍ଷରୁ ୨୦୨୨-୨୩ ଆର୍ଥିକ ବର୍ଷରେ ସିଏଫସି ପାଣ୍ଠିରୁ ୨ଲକ୍ଷ୧୬ହଜାର୯୨ଟଙ୍କା ବ୍ୟୟରେ ନିର୍ମିତ ମାର୍କେଟ କଂପ୍ଲେକ୍ସ ବ୍ୟବହାର ଯୋଗ୍ୟ ହୋଇନପାରି ଗୋରୁଗାଈଙ୍କ ବିଶ୍ରାମସ୍ଥଳୀ ପାଲଟିଛି । ବିଭାଗୀୟ ଅଧିକାରୀଙ୍କ ଦୂରଦୃଷ୍ଟିର ଅଭାବ ଯୋଗୁଁ ଏହିପରି ଅନେକ ପଂଚାୟତରେ ନିର୍ମିତ ମାର୍କେଟ କଂପ୍ଲେକ୍ସ କାର୍ଯ୍ୟକ୍ଷମ ହୋଇନପାରି ପଡ଼ିରହିଛି । ତେଣୁ ବିଭାଗୀୟ ଅଧିକାରୀ ଏଥିପ୍ରତି ଦୃଷ୍ଟି ଦେବା ସହ ଉକ୍ତ ପ୍ରକଳ୍ପକୁ କାର୍ଯ୍ୟକ୍ଷମ କରିବାକୁ ବୁଦ୍ଧିଜୀବୀ ମହଲରେ ଦାବି ହୋଇଛି ।