ପାକିସ୍ତାନରେ ସକ୍ରିୟ ଥିବା ଆତଙ୍କୀ ସଂଗଠନ ଲସ୍କର-ଇ-ତାଏବା ସହ ଲିଙ୍କ ରଖିଥିବା ୨ ଜଣଙ୍କୁ ଗିରଫ କରିଛନ୍ତି ସୁରକ୍ଷାକର୍ମୀ। ଗୁରୁବାର ରାତିରେ ଏମାନଙ୍କୁ ଜମ୍ମୁ-କଶ୍ମୀରର ବାରମୁଲ୍ଲା ଠାରୁ ଧରା ଯାଇଛି। ସେମାନଙ୍କ ଠାରୁ ପିସ୍ତଲ, ଗ୍ରେନେଡ ଓ ଅନ୍ୟାନ୍ୟ ବିସ୍ଫୋରକ ସାମଗ୍ରୀ ଜବତ କରାଯାଇଛି।
ଯାଞ୍ଚ ବେଳେ ସେମାନଙ୍କ ନିକଟରୁ ଦୁଇଟି ଗ୍ଲକ ପିସ୍ତଲ, ୨ଟି ପିସ୍ତଲ ମାଗାଜିନ, ୨ଟି ପିସ୍ତଲ ସାଇଲେନସର୍ସ, ୫ଟି ଚାଇନିଜ ଗ୍ରେନେଡ, ୨୮ଟି ଜୀବନ୍ତ ଗୁଳି ଓ ଅନ୍ୟାନ୍ୟ ଆପତ୍ତିଜନକ ଜନକ ଜିନିଷ ମିଳିଛି।
ସୁରକ୍ଷାକର୍ମୀମାନେ ଉଭୟଙ୍କୁ ନେଇ ଜେରା କରିବା ପରେ ସେମାନଙ୍କ ପରିଚୟ ମିଳିଛି। ଜଣକ ନାଁ ଜାଇଦ ହାସନ ମାଲ୍ଲା ଓ ଆଉ ଜଣେ ହେଲେ ମହମ୍ମଦ ଆରିଫ ଚାନ୍ନା। ଉଭୟଙ୍କ ଘର ବାରମୁଲ୍ଲାରେ। ଜାଇଦ ଓ ଆରିସ ସୀମା ପାର ଗୁଳିଗୋଳା ଚୋରା ଚାଲାଣ କାମରେ ନିୟୋଜିତ ଥିଲେ।
ପାକିସ୍ତାନ ଭିତ୍ତିକ ଆତଙ୍କୀ ହ୍ୟାଣ୍ଡେଲରମାନଙ୍କ ଇସାରାରେ ଏମାନେ କାମ କରୁଥିଲେ ଓ ସେମାନଙ୍କ ଠାରୁ ଅସ୍ତ୍ରଶସ୍ତ୍ର ଆଣୁଥିଲେ। ଏହାପରେ ଏହାକୁ ଜମ୍ମୁ-କଶ୍ମୀରରେ ଥିବା ଲସ୍କର ଆତଙ୍କୀମାନଙ୍କୁ ଦେଉଥିଲେ।