Onn 3

ଯୁଗ ଯୁଗ ଧରି ଚୀନ୍‌ ଏହି କାରଣରୁ ପଡୋଶୀଙ୍କ ଶତ୍ରୁ- ମାଡ଼ି ବସିଛି ଭୂଭାଗ ଓ ସମୁଦ୍ର; ୧୪ ଦେଶ ସହ ବିବାଦ

National & International

chi

ନୂଆଦିଲ୍ଲୀ : ଚୀନ୍‌ର ମୂଳ ମାନଚିତ୍ର ପ୍ରକାଶ ପାଇବା ପରେ ଏହାର ବିସ୍ତାରବାଦୀ ଚରିତ୍ର ଏବେ ସମ୍ମୁଖକୁ ଆସିଛି। ଗତ ମାସରେ ଚୀନ୍‌ ଏକ ବିବାଦୀୟ ମାନଚିତ୍ର ପ୍ରକାଶ କରିଥିଲା; ଯେଉଁଥିରେ ଭାରତର ଅରୁଣାଚଳ ପ୍ରଦେଶ ଓ ଅକ୍ସାଇ ଚୀନ୍‌କୁ ନିଜର ବୋଲି ଦାବି କରିଥିଲା। ଏଥିସମେତ ବିଭିନ୍ନ ପଡ଼ୋଶୀ ଦେଶକୁ ମଧ୍ୟ ନିଜର ବୋଲି ଦେଖାଇଥିଲା। ତେବେ ସାନି ପ୍ରକାଶ ପାଇଥିବା ମାନଚିତ୍ରରେ ଚୀନ୍‌ର ବାସ୍ତବ ସ୍ଥିତି ସ୍ପଷ୍ଟ ହୋଇଛି। ଏହା କେମିତି ପଡ଼ୋଶୀ ଅଞ୍ଚଳକୁ ବଳପୂର୍ବକ ମାଡ଼ିବସିଛି ତାହା ଭିନ୍ନ ଭିନ୍ନ ରଙ୍ଗରେ ପ୍ରଦର୍ଶିତ ହୋଇଛି। ପୂର୍ବ ତୁର୍କିସ୍ତାନ, ତିବ୍‌ବତ, ମଙ୍ଗୋଲିଆ, ମାଞ୍ଚୁରିଆ, ୟୁନାନ୍‌, ଲଦାଖ, ଦକ୍ଷିଣ-ଚୀନ୍‌ ସାଗର, ତାଇୱାନ୍‌, ତାଇପେଇ, ସାନ୍‌ଗାମ୍‌, ଭୁଟ୍ଟାନର କିଛି ଅଂଶ ଇତ୍ୟାଦି ଅଞ୍ଚଳକୁ ଏଥିରେ ‘ଚୀନ୍‌ ଅଧିକୃତ’ ବୋଲି ଦର୍ଶାଯାଇଛି। ଚୀନ୍‌ର ପଡ଼ୋଶୀ ୧୪ଟି ଦେଶ ସହ ସୀମା ବିବାଦ ଲାଗି ରହିଛି। ଏହି ମାନଚ୍ଚିତ୍ରକୁ ନିଜ ସାମାଜିକ ଗଣମାଧ୍ୟମ ଏକାଉଣ୍ଟରେ ଉପସ୍ଥାପନ କରି ଭାରତର ପୂର୍ବତନ ସେନାଧ୍ୟକ୍ଷ ଜେନେରାଲ ମନୋଜ ମୁକୁନ୍ଦ ନରବଣେ ଉଲ୍ଲେଖ କରିଛନ୍ତି ଯେ ‘ଯାହା ହେଉ, କେହି ଜଣେ ଶେଷରେ ଚୀନ୍‌ର ମୂଳ ମାନଚ୍ଚିତ୍ର ପାଇଯାଇଛି ଓ ଏହାକୁ ପ୍ରକାଶ କରିଛି। ଏହା ହିଁ ବାସ୍ତବତା।’

ପ୍ରକୃତରେ ଭାରତ ଓ ଚୀନ୍‌ ମଧ୍ୟରେ କୌଣସି ସମୟରେ ଭୂପୃଷ୍ଠରେ କିଛି ସୀମା ନଥିଲା। କାରାକୋରମ୍‌ ଓ ହିମାଳୟ ଯୋଗୁଁ ତିବ୍‌ବତ ଓ ପୂର୍ବ ତୁର୍କିସ୍ତାନ ଭାରତ ଏବଂ ଚୀନ୍‌ ମଧ୍ୟରେ ବିଭାଜନ ରେଖା ହୋଇଛି। ଏହି ଦୁଇ ଅଞ୍ଚଳ କେବେ ହେଲେ ଚୀନ୍‌ରେ ନ ଥିଲା। ସେମାନଙ୍କୁ ଚୀନ୍‌ ବଳପୂର୍ବକ ମାଡ଼ବସିଛି। ପାକିସ୍ତାନ ଅଧିକୃତ କାଶ୍ମୀର ସଂଲଗ୍ନ ଜିନ୍‌ଝିଆଙ୍ଗକୁ ଚୀନ୍‌ ୧୯୪୯ରେ ମାଡ଼ିବସିଲା। ୧୯୫୫ରେ ଏହାକୁ ନିଜ ସହ ସମ୍ପୂର୍ଣ୍ଣ ମିଶାଇ ଦେଇଥିଲା ଓ ସିଙ୍କିଆଙ୍ଗ ନାମ ରଖିଥିଲା। ସେହିଭଳି ୧୯୫୧ରୁ ତିବ୍‌ବତକୁ ଏହା ଅକ୍ତିଆର କରି ରଖିଛି। ଏଥିସହ ୟୁନାନ୍‌, ମଙ୍ଗୋଲିଆ ଓ ମଞ୍ଚୁରିଆକୁ ବଳପୂର୍ବକ ନିଜ ସହ ମିଶ୍ରଣ କରିଛି। ୧୯୫୩ରେ ଲଦାଖର ଅକ୍‌ସାଇ ଅଞ୍ଚଳକୁ ମାଡ଼ିବସି ଏହାକୁ ଅକ୍‌ସାଇ-ଚୀନ୍‌ ବୋଲି ଦର୍ଶାଉଛି। ୧୯୬୩ରୁ ଲଦାଖର ସାକ୍ଷଗାମ୍‌ ଉପତ୍ୟକାର ୫ହଜାର ବର୍ଗ କିଲୋମିଟର ଅଞ୍ଚଳ ମାଡ଼ି ବସିଛି। ୨୦୨୦ରେ ଲଦାଖର କିଛି ଅଞ୍ଚଳରେ ଅନୁପ୍ରବେଶ କରିବା ସହ କିଛି ଅଞ୍ଚଳ ନିଜ ଅକ୍ତିଆରରେ ରଖିଛି। ଏହି ବିବାଦର ସମାଧାନ ପାଇଁ ଆଲୋଚନା ଚାଲିଥିଲେ ମଧ୍ୟ ଚୀନ୍‌ ବେଖାତିର କରୁଛି। କେବଳ ସେତିକି ନୁହେଁ; ଏବେ ଏହାର ଅତ୍ୟନ୍ତ ଘନିଷ୍ଠ ଥିବା ରୁଷିଆ ସାଇବେରିଆ ଅଞ୍ଚଳକୁ ନିଜର ବୋଲି ଦାବି କରୁଛି। ଭୂଭାଗକୁ ଛାଡ଼ିଦେଲେ ସାମୁଦ୍ରିକ ଅଞ୍ଚଳରେ ମଧ୍ୟ ଚୀନ୍‌ ବିସ୍ତାରବାଦୀ ନୀତି ଚଳାଇଛି। ଇଣ୍ଡୋନେସିଆର ନାତୁନା ସାଗରକୁ ଏହା ନିଜର ବୋଲି ଦାବି କରୁଛି। ଭିଏତ୍‌ନାମ ସଂଲଗ୍ନ ସମୁଦ୍ରକୁ ଏହା ‘ଚାମ୍ପା ସାଗର’ ନାମ ଦେଇ ନିଜର ବୋଲି କହୁଛି। ଜାଭା ଓ ସୁମାତ୍ରା ଦ୍ବୀପ ସଂଲଗ୍ନ ସମୁଦ୍ରକୁ ନିଜର ବୋଲି କହୁଛି। ଫିଲିପାଇନ୍ସ ସଂଲଗ୍ନ ସମୁଦ୍ର ମଧ୍ୟ ଚୀନ୍‌ ନିଜର ବୋଲି ଦାବି କରୁଛି। ଏ ନେଇ ସମ୍ପୃକ୍ତ ରାଷ୍ଟ୍ରଗୁଡ଼ିକ ସହ ବିଭିନ୍ନ ମହଲରେ ଆଇନଗତ ମାମଲା ମଧ୍ୟ ଜାରି ରହିଛି। ଜାପାନ, ଫିଲିପାଇନ୍ସ ଓ ମାଲେସିଆ ସହ ମଧ୍ୟ ବିବାଦ ଲଗାଇ ରଖିଛି। ଯୁଗଯୁଗ ଧରି ଚୀନ୍‌ ନିଜର ଏହି ବିସ୍ତାରବାଦୀ ପ୍ରକୃତି ଛାଡ଼ୁନଥିବାରୁ ଏସିଆରେ ଅଶାନ୍ତି ଲାଗିରହୁଛି।

ଅଗଷ୍ଟ ୨୮ରେ ଚୀନ୍‌ ଦ୍ବାରା ଜାରି ମାନଚିତ୍ରକୁ ଭାରତ ସମେତ ୫ଟି ଏସୀୟ ରାଷ୍ଟ୍ର ଅଗ୍ରାହ୍ୟ କରିଥିଲେ। ଭାରତ ସହ ଭିଏତ୍‌ନାମ, ଫିଲିପାଇନ୍ସ, ମାଲେସିଆ ଓ ତାଇୱାନ୍‌ ସରକାର ନୀତିଗତ ଭାବେ ଏହାର ପ୍ରତିବାଦ କରିଥିଲେ। ଚୀନ୍‌ ଏହି ମାନଚିତ୍ରରେ ଦକ୍ଷିଣ ଚୀନ୍‌ ସାଗରର ୮୦ପ୍ରତିଶତକୁ ନିଜର ବୋଲି ଦାବି କରିଥିଲା। ଭିଏତ୍‌ନାମ କହିଥିଲା ଯେ ଚୀନ୍‌ ସ୍ପ୍ରାଟଲି ଓ ପାରାସେଲ ଦ୍ବୀପକୁ ନିଜର ବୋଲି ଦର୍ଶାଇ ଏହାର ସାର୍ବଭୌମତ୍ବ ପ୍ରତି ଆହ୍ବାନ ସୃଷ୍ଟି କରିଛି। ଫିଲିପାଇନ୍ସ ଚୀନ୍‌ର ବିସ୍ତାରବାଦୀ ନୀତିକୁ ସ୍ବୀକାର କରିବ ନାହିଁ ବୋଲି କହିଥିଲା। ତାଇୱାନ୍‌ ଓ ମାଲେସିଆ ମଧ୍ୟ ଚୀନ୍‌ ନିକଟରେ ଏହି ମର୍ମରେ ବିଧିବଦ୍ଧ ପ୍ରତିବାଦ କରିଥିଲେ। ଚୀନ୍‌ ମାନଚିତ୍ରରେ ହାଇନାନ୍‌ ଦ୍ବୀପର ଦକ୍ଷିଣକୁ ସମୁଦ୍ରର ୧୮୦୦ କିଲୋମିଟର ଅଞ୍ଚଳକୁ ନିଜର ବୋଲି ଦର୍ଶାଇଛି। ଏହି ଅଞ୍ଚଳକୁ ଫିଲିପାଇନ୍ସ, ଭିଏତନାମ, ବ୍ରୁନେଇ, ତାଇୱାନ୍‌ ଓ ମାଲେସିଆ ବ୍ୟବହାର କରୁଛନ୍ତି।