Onn 3

ନିଯୁକ୍ତ ହେବେ ୨୦ ହଜାର ଶିକ୍ଷକ, ପ୍ରକାଶ ପାଇଲା ବିଜ୍ଞପ୍ତି

State

ଭୁବନେଶ୍ୱର: ମିଳିଲା ବଡ ସୁଯୋଗ । ନିଯୁକ୍ତ ହେବେ ୨୦ ହଜାର ଶିକ୍ଷକ । ରାଜ୍ୟରେ ଶିକ୍ଷକ ଚାକିରି ଆଶାୟୀଙ୍କ ପାଇଁ ଆସି ଯାଇଛି ଏହି ଖୁସି ଖବର। ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ଅଧୀନରେ ୨୦ ହଜାର ପ୍ରାଥମିକ ଶିକ୍ଷକ ଯୋଜନାଭିତ୍ତିକ ନିଯୁକ୍ତି ପାଇଁ ଓଡି଼ଶା ବିଦ୍ୟାଳୟ ଶିକ୍ଷା କାର୍ଯ୍ୟକ୍ରମ ପ୍ରାଧିକରଣ ୱେବସାଇଟ୍‌ରେ ଆଜି ପ୍ରକାଶ ପାଇଛି ବିଜ୍ଞପ୍ତି। ଆଶାୟୀ ପ୍ରାର୍ଥୀମାନେ ଓସେପା ୱେବସାଇଟ୍‌ରେ ଶିକ୍ଷକ ପଦବୀ ପାଇଁ ଆସନ୍ତା ୧୩ ତାରିଖରୁ ଆବେଦନ କରିପାରିବେ । ଆବେଦନର ଶେଷ ସମୟ ଆସନ୍ତା ଅକ୍ଟୋବର ୧୦ ତାରିଖ ।

ତେବେ କିଛି ବର୍ଷ ବ୍ୟବଧାନରେ ବ୍ୟାପକ ସଂଖାରେ ଏହି ନିଯୁକ୍ତି ପ୍ରକ୍ରିୟା ଆରମ୍ଭ ହୋଇଛି। ଏହାପରେ ରାଜ୍ୟର ସରକାରୀ ପ୍ରାଥମିକ ବିଦ୍ୟାଳୟରେ ଶିକ୍ଷକ ଅଭାବ ଦୂର ହେବ । ପ୍ରାଥମିକ ଶିକ୍ଷା ବ୍ୟବସ୍ଥା ସୁଦୃଢ଼ ହେବ । ବିଭାଗ ଅଧୀନରେ ହେବାକୁ ଥିବା ଏହି ୨୦ ହଜାର ଶିକ୍ଷକ ନିଯୁକ୍ତି ପ୍ରକ୍ରିୟା ସମ୍ପୂର୍ଣ୍ଣ ଭାବେ ଅନ୍‌ଲାଇନ୍‌ରେ କରାଯିବ ।

ସଂପୂର୍ଣ୍ଣ ଅନଲାଇନରେ ହେବାକୁ ଥିବା ଏହି ପ୍ରକ୍ରିୟା ପାଇଁ ଓସେପାର ୱେବସାଇଟ୍  ରେ ଆଶାୟୀମାନେ ଆବେଦନ କରିବେ । ଏହା ବ୍ୟତୀତ ଅନ୍ୟକୌଣସି ମାଧ୍ୟମରେ ଆବେଦନକୁ ସ୍ୱୀକାର କରାଯିବ ନାହିଁ । ଆଶାୟୀମାନେ ଉପଯୁକ୍ତ ଇମେଲ୍ ଆଇଡି ଏବଂ ମୋବାଇଲ୍ ନମ୍ବର ଦେଇ ନିଜ ନାମ ପଞ୍ଜୀକରଣ କରିବେ । ଏହା ପରେ ଆବଶ୍ୟକ ତଥ୍ୟ ଅପଲୋଡ୍ କରି ଆବେଦନ କରିବେ ।

ସୂଚନା ଥାଉକି, କମ୍ପ୍ୟୁଟର ବେସଡ୍ ଟେଷ୍ଟ ମାଧ୍ୟମରେ ଲିଖିତ ପରୀକ୍ଷା କରାଯାଇ ଆଶାୟୀ ପ୍ରାର୍ଥୀଙ୍କୁ ଚୟନ କରାଯିବ । ସମଗ୍ର ଶିକ୍ଷା କାର୍ଯ୍ୟକ୍ରମ ଅଧୀନରେ ଜିଲ୍ଲା ଅନୁସାରେ ଜିଲ୍ଲା ପରିଷଦ ପକ୍ଷରୁ ସମସ୍ତ ପ୍ରାଥମିକ କନିଷ୍ଠ ଶିକ୍ଷକଙ୍କୁ ନିଯୁକ୍ତି ଦିଆଯିବ । ଓସେପାରେ ୱେବସାଇଟ୍‌ରେ ନିଯୁକ୍ତି ପାଇଁ ଜିଲ୍ଲାୱାରୀ ପଦବୀ, ଲିଖିତ ପରୀକ୍ଷାର ସିଲାବସ୍‌, କେଉଁ କେଉଁ ତଥ୍ୟ ଅପଲୋଡ୍ କରାଯିବ ଆଦି ସବିଶେଷ ବିବରଣୀ ଉପଲବ୍ଧ ରହିଛି ।