Onn 3

ଦୁର୍ଘଟଣା ଏଡାଇବାକୁ ଓଡ଼ିଶା ପୋଲିସର ସଚେତନତା

State

ଭୁବନେଶ୍ୱର: ସାରା ରାଜ୍ୟରେ ସଡ଼କ ସୁରକ୍ଷା ନିୟମ କଡାକଡି ଲାଗୁ ହୋଇଛି। ଏଥିଯୋଗୁଁ ସଡ଼କ ଦୁର୍ଘଟଣା ଏବଂ ମୃତ୍ୟୁହାର ମଧ୍ୟ ହ୍ରାସ ପାଇଛି। ରାଜ୍ୟରେ ସଡକ ଦୁର୍ଘଟଣା ଏଡାଇବାକୁ ପୋଲିସ ଓ ପରିବହନ ବିଭାଗ ପକ୍ଷରୁ ଅନେକ ପ୍ରକାରର କାର୍ଯ୍ୟକ୍ରମ ମାଧ୍ୟମରେ ଲୋକଙ୍କୁ ଟ୍ରାଫିକ ନିୟମ ସମ୍ପର୍କରେ ସଚେତନ କରୁଛନ୍ତି। ତଥାପି କେତେକ ଅମାନିଆ ଅଛନ୍ତି ଏହାକୁ ନମାନିବାରୁ ଦୁର୍ଘଟଣାର ଶିକାର ହେଉଛନ୍ତି। ବିଶେଷ କରି ଭୁଲ ପାର୍ଶ୍ୱରେ ଗାଡି ଚଳାଇବା ଦ୍ୱାରା ଅଧିକ ଦୁର୍ଘଟଣା ଘଟୁଛି। ଏଥିଲାଗି ଓଡ଼ିଶା ପୋଲିସ ସୋସିଆଲ ମିଡିଆ ଏକ୍ସରେ ଏକ ପୋଷ୍ଟ ଜାରି କରି ସାଧାରଣ ଲୋକଙ୍କୁ ସଚେତନ କରିଛି।

ଭୁଲ ପାର୍ଶ୍ୱରେ ଗାଡ଼ି ଚଳାଇବା ଲୋକଙ୍କ ପାଇଁ ବିପଦଜନକ ସାବ୍ୟସ୍ତ ହେଉଛି । ଭୁଲ ପାର୍ଶ୍ୱରେ ଗାଡି ଚଳାଇବା ଯୋଗୁଁ ଅନେକ ଦୁର୍ଘଟଣା ଘଟି ଅକାରଣରେ ଧନଜୀବନ ନଷ୍ଟ ହେଉଛି। ରିପୋର୍ଟ ଅନୁଯାୟୀ, ୬ ପ୍ରତିଶତ ଦୁର୍ଘଟଣାଜନିତ ମୃତ୍ୟୁ ଭୁଲ ପାର୍ଶ୍ୱ ଡ୍ରାଇଭିଂ ପାଇଁ ହେଉଛି। ଏଥିପାଇଁ ଓଡ଼ିଶା ପୋଲିସ ଲୋକଙ୍କୁ ଟ୍ୱିଟ(ଏକ୍ସ) ମାଧ୍ୟମରେ ସଚେତନ କରିବାକୁ ଚେଷ୍ଠା କରିଛି। ଟ୍ୱିଟ କରି ପୋଲିସ କହିଛି, ସଠିକ ମାର୍ଗରେ ଗାଡି ଚଳାନ୍ତୁ। ନିଜେ ଏବଂ ସପରିବାର ସୁରକ୍ଷିତ ରୁହନ୍ତୁ।

ସୂଚନା ଅନୁସାରେ ଗତବର୍ଷର ଦ୍ୱିତୀୟ ତ୍ରୈମାସିକ ତୁଳନାରେ ୨୦୨୩ର ଦ୍ୱିତୀୟ ତ୍ରୈମାସିକରେ ସଡ଼କ ଦୁର୍ଘଟଣା ଜନିତ ମୃତ୍ୟୁ ସଂଖ୍ୟା କମିଛି। ହେଲେ ଦୁର୍ଘଟଣାକୁ ଆହୁରୀ କମ କରିବା ପାଇଁ ପୋଲିସ ସୋସିଆଲ ମିଡିଆରେ ଏପରି ସଚେତନ ବାର୍ତ୍ତା ଦେଇଛି। ଏହି ବାର୍ତ୍ତାକୁ ମାନି ଗାଡି ଚଳାଇବାକୁ ଲୋକଙ୍କୁ ପରାମର୍ଶ ଦିଆଯାଇଛି। ଯଦି ଲୋକେ ପୋଲିସ ପରାମର୍ଶକୁ ମାନିବେ, ତେବେ ଆଗାମୀ ଦିନରେ ଦୁର୍ଘଟଣାକୁ ଅନେକ ମାତ୍ରାରେ ହ୍ରାସ କରାଯାଇପାରିବ। ସେପଟେ ପୋଲିସର ଏଭଳି ସଚେତନକୁ ସାଧାରଣରେ ବେଶ ପ୍ରସଂଶା କରାଯାଉଛି ।