ଉମରକୋଟ: କୁହାଯାଏ ପ୍ରେମ ଶାଶ୍ବତ ଓ ଚିରନ୍ତର । ପ୍ରେମ ପାଇଁ କିଏ ନିଜ ଜୀବନକୁ ଉତ୍ସର୍ଗୀକୃତ କରୁଛି ତ କିଏ ସାତ ଦରିଆ ପାର କରୁଛି । ମାତ୍ର ନବରଙ୍ଗପୁର ଜିଲ୍ଲା ରାଇଘର ବ୍ଲକ ଖୁଟୁଗାଁ ଗାଁରେ ଘଟିଛି ଏକ ଲଜ୍ଜାଜନକ ଘଟଣା । ପିଶାଚ ସାଜିଛି ପ୍ରେମିକ । ପ୍ରଥମେ ପ୍ରେମ ତା ପରେ ପ୍ରତାରଣା ଓ ଶେଷରେ ହତ୍ୟା କରିଛି । ନାବାଳିକା ପ୍ରେମିକାକୁ ହତ୍ୟା କରି କୂଅରେ ଫୋପାଡିଦେଇଛି ଅଭିଯୁକ୍ତ । ଅଭିଯୋଗ ପରେ ବେଙ୍ଗାଲୁରୁରୁ ଅଭିଯୁକ୍ତଙ୍କୁ ଗିରଫ କରି ସିନ୍ ରିକ୍ରିଏସନ କରିଛି ପୋଲିସ ।
ସୂଚନା ମୂତାବକ ନବରଙ୍ଗପୁର ଜିଲ୍ଲା ରାଇଘର ବ୍ଲକ ଖୁଟୁଗାଁ ଗ୍ରାମର ଆଶାରାମ ଗଣ୍ଡଙ୍କ ନାବାଳିକା ଝିଅ ଝରଣା ଗଣ୍ଡ ଗତ ଅଗଷ୍ଟ ୩୧ ତାରିଖ ରାତିରୁ ଘରୁ ବାହାରକୁ ଯାଇଥିବା ବେଳେ ନିଖୋଜ ହୋଇଯାଇଥିଲେ । ତା ପରଦିନ ନାବାଳିକାଙ୍କ ମୃତ ଶରୀର ଜମି ମଧ୍ୟରେ ରହିଥିବା କୂଅରୁ ଉଦ୍ଧାର ହୋଇଥିଲା । ଝରଣାର ପରିବାର ପକ୍ଷରୁ ହତ୍ୟା ଅଭିଯୋଗ କରିଥିଲେ । ପରେ ରାଇଘର ପୁଲିସ ତଦନ୍ତ କରି ଅଭିଯୁକ୍ତ ସେହି ଗାଁର ମହେଶ ମାଳୀ ବୋଲି ଜାଣିପାରିଥିଲା । ଏବଂ ତାକୁ ଖୋଜାଖୋଜି ଆରମ୍ଭ କରିଥିଲା । ଶେଷରେ ମହେଶକୁ ବେଙ୍ଗାଲୁରୁରୁ ଗିରଫ କରି ପଚରାଉଚରା କରିଥିବା ବେଳେ ସତ ଓଗାଳିଛି ଅଭିଯୁକ୍ତ । ଆଜି ଅଭିଯୁକ୍ତ ପ୍ରେମିକକୁ କୋର୍ଟ ଚାଲାଣ କରାଯିବ ବୋଲି କହିଛନ୍ତି ଉମରକୋଟ ଏସଡିପିଓ ।