Onn 3

ସନାତନ ଧର୍ମକୁ HIV ସହ ତୁଳନା କଲେ ଏ ରାଜା

National & International

ସନାତନ ଧର୍ମ ଉପରେ ବିବାଦୀୟ ବୟାନ ଥମିବାର ନାଁ ନେଉନାହିଁ। ଜଣଙ୍କ ପରେ ଜଣେ ସନାତନ ଉପରେ ହେଟ୍‌ ସ୍ପିଚ୍‌ ଦେବାରେ ଲାଗିଛନ୍ତି। ତାମିଲନାଡ଼ୁ ମୁଖ୍ୟମନ୍ତ୍ରୀ ଏମ୍‌କେ ଷ୍ଟାଲିନ୍‌ଙ୍କ ପୁଅ ଉଦୟନିଧି ଷ୍ଟାଲିନ୍‌ଙ୍କ ପରେ ଏବେ ଡିଏମ୍‌କେ ସାଂସଦ ଏ ରାଜାଙ୍କ ବିବାଦୀୟ ବୟାନ ସାମ୍ନାକୁ ଆସିଛି। ଏ ରାଜା ସନାତନ ଧର୍ମକୁ HIV ସହ ତୁଳନା କରିଛନ୍ତି।

ଡିଏମ୍‌କେ ସାଂସଦ କହିଛନ୍ତି, ସନାତନ ଉପରେ ଉଦୟନିଧିଙ୍କ ଆଭିମୁଖ୍ୟ ନରମ ଥିଲା। ସାମାଜିକ କଳଙ୍କ ଥିବା ରୋଗ ସହିତ ସନାତନ ଧର୍ମର ତୁଳନା କରାଯିବା ଉଚିତ୍‌। ଯେତେବେଳେ କି, ଉଦୟନିଧି ସନାତନ ଧର୍ମକୁ ମ୍ୟାଲେରିଆ ସହିତ ତୁଳନା କରିଛନ୍ତି। ଏ ରାଜା କହିଛନ୍ତି ଯେ ସନାତନକୁ HIV ଏବଂ କୁଷ୍ଠ ଭଳି ସାମାଜିକ କଳଙ୍କ ଥିବା ରୋଗ ସହିତ ତୁଳନା କରାଯିବା ଉଚିତ୍‌।

ସେପଟେ ବିହାରରେ ଆର୍‌ଜେଡି ନେତା ଜଗଦାନନ୍ଦ କହିଛନ୍ତି, ତିଳକ ଲଗାଇ ବୁଲୁଥିବା ଲୋକ ଭାରତକୁ ଦାସ କରି ଦେଇଛନ୍ତି। ସେ କହିଛନ୍ତି, ଦେଶରେ ମନ୍ଦିର ନିର୍ମାଣରେ କାମ ଚଳିବ ନାହିଁ।

କହି ରଖୁଛୁ, ଏହା ପୂର୍ବରୁ ଉଦୟନିଧି ଷ୍ଟାଲିନ୍ ଏକ କାର୍ଯ୍ୟକ୍ରମରେ ସନାତନ ଧର୍ମକୁ ଡେଙ୍ଗୁ ଓ ମ୍ୟାଲେରିଆ ସହ ତୁଳନା କରିଥିଲେ। ଉଦୟନିଧି କହିଥିଲେ ଯେ ସନାତନକୁ କେବଳ ବିରୋଧ କରାଯିବା ଉଚିତ୍ ନୁହେଁ, ବରଂ ଏହାକୁ ସମାପ୍ତ କରିଦେବା ହିଁ ଦରକାର। ସନାତନ ଧର୍ମ ସାମାଜିକ ନ୍ୟାୟ ଏବଂ ସମାନତାର ବିରୋଧୀ। କିଛି ଜିନିଷକୁ ବିରୋଧ କରାଯାଇ ପାରିବ ନାହିଁ, ତାହାକୁ ଶେଷ କରିଦେବା ହିଁ ଉଚିତ୍। ଆମେ ଡେଙ୍ଗୁ, ମ୍ୟାଲେରିଆ କିମ୍ବା କରୋନାକୁ ବିରୋଧ କରିପାରିବା ନାହିଁ, ଏହାକୁ ଆମକୁ ଶେଷ କରିବାକୁ ହେବ। ଏହିଭଳି ସନାତନ ଧର୍ମକୁ ମଧ୍ୟ ଆମକୁ ଶେଷ କରିବାକୁ ପଡ଼ିବ।