Onn 3

ଫ୍ଲାଟ୍‌ରୁ ୨୪ ବର୍ଷୀୟା ଟ୍ରେନି ଏୟାର୍‌ ହୋଷ୍ଟେସ୍‌ଙ୍କ ମୃତଦେହ ଉଦ୍ଧାର

National & International

ମହାରାଷ୍ଟ୍ରର ମୁମ୍ବାଇରୁ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି। ପୋଓ୍ଵଇ ଅଞ୍ଚଳରେ ଜଣେ ଯୁବତୀଙ୍କ ମୃତଦେହ ସେ ରହୁଥିବା ଫ୍ଲାଟ୍‌ରୁ ସନ୍ଦେହଜନକ ଅବସ୍ଥାରେ ଉଦ୍ଧାର ହୋଇଛି। ମୁମ୍ବାଇ ଡିସିପି ଦତ୍ତା ନାଲାଓ୍ଵାଡେ ଏ ନେଇ ସୂଚନା ଦେଇଛନ୍ତି। ମୃତ ଯୁବତୀ ଜଣେ ଟ୍ରେନି ଏୟାର ହୋଷ୍ଟେସ୍‌ ଥିଲେ। ନିକଟରେ ତାଙ୍କର ଚୟନ ହୋଇଥିଲା। ଯୁବତୀଙ୍କ ନାଁ ରୁପଲ୍‌ ଓଗରେ ବୋଲି ଜଣାପଡ଼ିଛି।

ପୋଲିସ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ, ରୁପଲ୍‌ଙ୍କ ଘର ଛତିଶଗଡ଼ରେ। ଏଠାରେ ସେ ନିଜ ବଡ଼ ଭଉଣୀ ଓ ବୟଫ୍ରେଣ୍ଡ୍‌ଙ୍କ ସହ ମିଶି ଫ୍ଲାଟ୍‌ରେ ରହୁଥିଲେ। ହେଲେ ଭଉଣୀ ଓ ବୟଫ୍ରେଣ୍ଡ୍‌ ଗତ ୮ ଦିନ ହେବ ନିଜ ନିଜ ଗାଁକୁ ଯାଇଥିଲେ।

ପ୍ରାଥମିକ ତଦନ୍ତରେ ପୋଲିସର କହିବା ହେଲା, ଯୁବତୀଙ୍କୁ ଛୁରୀରେ ଗଳା କାଟି ହତ୍ୟା କରାଯାଇଛି। ପୋଲିସ ମୃତା ଯୁବତୀଙ୍କ ଫୋନ୍‌ ଏବଂ ବିଲ୍ଡିଂରେ ଲାଗିଥିବା ସିସିଟିଭି ଫୁଟେଜ୍‌ ଯାଞ୍ଚ କରୁଛି। ଏହି ମାମଲାରେ ବିଲ୍ଡିଂରେ କାମ କରୁଥିବା ଜଣେ ବ୍ୟକ୍ତିଙ୍କୁ ମଧ୍ୟ ପୋଲିସ ଅଟକ ରଖିଛି।

ଗତ ରାତିରେ ମୁମ୍ବାଇର ପୋଓ୍ଵଇ ଥାନାକୁ ଖବର ମିଳିଥିଲା କି, ଏକ ବିଲ୍ଡିଂର ଫ୍ଲାଟ୍‌ରେ ସନ୍ଦେହଜନକ ଅବସ୍ଥାରେ ଜଣେ ଯୁବତୀଙ୍କ ମୃତଦେହ ପଡ଼ିଛି। ଖବର ସାମ୍ନାକୁ ଆସିବା ପରେ ପୂରା ଅଞ୍ଚଳରେ ଭୟର ବାତାବରଣ ଖେଳିଯାଇଥିଲା।

ସୂଚନା ଅନୁସାରେ, ଘଟଣାସ୍ଥଳରେ ପୋଲିସ ପହଞ୍ଚି ମୃତଦେହକୁ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଛି। ଡିସିପିଙ୍କ ମୁତାବକ, ଏହି ମାମଲାରେ ହତ୍ୟା ମାମଲା ରୁଜୁ କରାଯାଇଛି। ଅଭିଯୁକ୍ତଙ୍କୁ ଧରିବା ପାଇଁ ୪ଟି ଟିମ୍‌ ଗଠନ କରାଯାଇଛି। ଘଟଣାର ଅଧିକ ତଦନ୍ତ ଜାରି ରହିଛି।