Onn 3

ମରୁଡ଼ି ସଙ୍କଟରୁ ମୁକ୍ତି ପାଇଁ ବାବା ମହାକାଳଙ୍କୁ ଡାକିଲେ ମଧ୍ୟ ପ୍ରଦେଶ ମୁଖ୍ୟମନ୍ତ୍ରୀ ଶିବରାଜ ସିଂ ଚୌହାନ

National & International

ମଧ୍ୟ ପ୍ରଦେଶ ମୁଖ୍ୟମନ୍ତ୍ରୀ ଶିବରାଜ ସିଂ ଚୌହାନ ଉଜ୍ଜୈନର ବାବା ମହାକାଳଙ୍କୁ ଦର୍ଶନ କରିଛନ୍ତି। ରାଜ୍ୟରେ ଭଲ ବର୍ଷା ହେବାର କାମନା କରି ସିଏମ୍‌ ଚୌହାନ ବାବାଙ୍କ ଦରବାରରେ ପହଞ୍ଚିଥିଲେ ଏବଂ ଏଠାରେ ସେ ମହାରୁଦ୍ରାଭିଷେକରେ ସାମିଲ ହୋଇଥିଲେ। ଭାଦ୍ରବ ମାସର ପ୍ରଥମ ସୋମବାର ଉଜ୍ଜୈନସ୍ଥିତ ମହାକାଳେଶ୍ୱର ମନ୍ଦିର ଯାଇ ମୁଖ୍ୟମନ୍ତ୍ରୀ ଭଗବାନଙ୍କ ଆଶୀର୍ବାଦ ନେଇଥିଲେ।

ଶିବରାଜ ଚୌହାନଙ୍କ ଦ୍ୱାରା ମହାକାଳଙ୍କ ବିଶେଷ ପୂଜାର୍ଚ୍ଚନା ପରେ ମହାରୁଦ୍ରାଭିଷେକ ଆରମ୍ଭ ହୋଇଥିଲା। ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ରାଜ୍ୟରେ ଚାଷୀ ଏବଂ ଫସଲଗୁଡ଼ିକ ଉପରେ ଯେଉଁ ସଙ୍କଟ ମାଡ଼ି ଆସିଛି, ସେଥିରୁ ଆମକୁ ମୁକ୍ତି ଦେବାକୁ ବାବାଙ୍କ ନିକଟରେ ପ୍ରାର୍ଥନା କରୁଛି। ଅଗଷ୍ଟ ମାସରେ ସ୍ୱଳ୍ପ ବର୍ଷା ଯୋଗୁ ମାଟି ଶୁଖିଲା ପଡ଼ିଛି। ଏଥିପାଇଁ ରାଜ୍ୟରେ ମରୁଡ଼ି ସ୍ଥିତି ଉତ୍ପନ୍ନ ହୋଇଛି ଏବଂ ଫସଲଗୁଡ଼ିକ ଉପରେ ସଙ୍କଟ ମାଡ଼ି ଆସିଛି। ସିଏମ୍‌ କହିଛନ୍ତି, ବାବା କୃପା ବର୍ଷଣ କରନ୍ତୁ। ଫସଲ ରକ୍ଷାପାଉ। ଚାଷୀମାନଙ୍କର କଲ୍ୟାଣ ହେଉ, ରାଜ୍ୟର କଲ୍ୟାଣ ହେଉ ଏବଂ ଦେଶରେ ବି ଭଲ ବର୍ଷା ହେଉ।

ମହାକାଳ ମନ୍ଦିରରେ ମହାରୁଦ୍ରାଭିଷେକ ୬ ଘଣ୍ଟା ଧରି ଚାଲିଥିଲା। ପଣ୍ଡିତ ଆଶିଷ ପୂଜାରୀଙ୍କ ମୁତାବକ, ମହାରୁଦ୍ରାଭିଷେକ କରିବା ଦ୍ୱାରା ସମସ୍ତ ମନୋକାମନା ପୂର୍ଣ୍ଣ ହୋଇଥାଏ। ଯଦି ମହାରୁଦ୍ରାଭିଷେକ ଜନହିତ ପାଇଁ କରାଯାଏ, ତେବେ ନିଶ୍ଚିତ ରୂପେ ସଫଳ ହୋଇଥାଏ। ମହାରୁଦ୍ରାଭିଷେକ ଭଗବାନ ଶିବଙ୍କ ଆରାଧନାର ସବୁଠାରୁ ବଡ଼ ଅନୁଷ୍ଠାନ। ଦ୍ୱାଦଶ ଜ୍ୟୋତିର୍ଲିଙ୍ଗ ମଧ୍ୟରୁ ଅନ୍ୟତମ ମହାକାଳେଶ୍ୱରଙ୍କ ଦରବାରରେ ଯେତେବେଳେ ବି ମହାରୁଦ୍ରାଭିଷେକ କରାଯାଇଛି, ତାହା ସଫଳ ହୋଇଛି। ଏଥର ରାଜ୍ୟରେ ଭଲ ବର୍ଷା ପାଇଁ ମୁଖ୍ୟମନ୍ତ୍ରୀଙ୍କ ତରଫରୁ ମହାରୁଦ୍ରାଭିଷେକ କରାଯାଇଛି।