Onn 3

ସରକାରୀ କାମ ନୁହେଁ, ବାହାଘର ଭୋଜି ଖାଇବା ପାଇଁ ହେଲିକପ୍ଟରରେ ଉଡୁଛନ୍ତି ପାଣ୍ଡିଆନ- ବିଜେପି

Politics State

ଭୁବନେଶ୍ୱର: ସରକାରୀ କାମ ନୁହେଁ, ପାରିବାରିକ ଆମୋଦ ପ୍ରମୋଦ ପାଇଁ ମୁଖ୍ୟମନ୍ତ୍ରୀଙ୍କ ୫ଟି ସଚିବ ହେଲିକପ୍ଟରରେ ଯାଉଛନ୍ତି । କେତେବେଳେ ବାହାଘର ଭୋଜି ଖାଇବା ପାଇଁ ତ କେତେବେଳେ ପାରିବାରିକ ଭୋଜିରେ ଯୋଗ ଦେବା ପାଇଁ ୫ଟି ସଚିବ ହେଲିକପ୍ଟର ବ୍ୟବହାର କରୁଛନ୍ତି । ସେ ସରକାରୀ ଅର୍ଥର ସମ୍ପୂର୍ଣ୍ଣ ଅପବ୍ୟବହାର କରୁଛନ୍ତି । ଏମିତି କହି ୫ଟି ସଚିବଙ୍କ ଉପରେ ଜୋରଦାର ବର୍ଷିଛି ବିଜେପି ।

୫ଟି ସଚିବ ଭିକେ ପାଣ୍ଡିଆନଙ୍କ ନାଁ ନେଇ  ବିଜେପି ସିଧାସଳଖ ଅଭିଯୋଗ କରିଛି, ସରକାରୀ ଅର୍ଥ ଅନୈତିକ ଏବଂ ଅସାମ୍ବିଧାନିକ ଭାବେ ବ୍ୟବହାର କରୁଛନ୍ତି ମୁଖ୍ୟମନ୍ତ୍ରୀଙ୍କ ୫ଟି ସଚିବ । ସରକାରୀ ଗସ୍ତ ନାଁରେ ବ୍ୟକ୍ତିଗତ କାମ କରୁଛନ୍ତି  । ସରକାରୀ କାମ କହି କାହାର ବାହାଘର ଭୋଜି ତ କାହାର ପାରିବାରିକ ଭୋଜିରେ ଯୋଗ ଦେବା ପାଇଁ ହେଲିକପ୍ଟରରେ ଉଡୁଛନ୍ତି ।

ବିଜେପି ମୁଖପାତ୍ର ଅନିଲ ବିଶ୍ୱାଳ କହିଛନ୍ତି, ୨୦୨୩ ମେ’ ୧୪ ତାରିଖ  ଏବଂ ଜୁନ ୨୮ ତାରିଖ ଦୁଇଦିନ ପାଣ୍ଡିଆନ ଯଥାକ୍ରମେ ଅନୁଗୁଳ ଏବଂ ତାଳଚେର ଗସ୍ତରେ ଯାଇଥିଲେ । ହେଲେ ଏହି ଦୁଇ ଦିନ ଏଠାରେ କୌଣସି ସରକାରୀ କାର୍ଯ୍ୟକ୍ରମ ନ ଥିଲା । ବରଂ ୧୪ ମେ’ରେ ପାଲଲହଡା ବିଧାୟକ ମୁକେଶ ପାଲଙ୍କ ବାହାଘର ଭୋଜି ଖାଇବାକୁ ଯାଇଥିଲେ । ସେହିପରି ଜୁନ ୨୮ରେ ତାଳଚେର ବିଧାୟକ ଙ୍କ ପାରିବାରିକ ଭୋଜିରେ ଯୋଗ ଦେବା ପାଇଁ ତାଳଚେର ଯାଇଥିଲେ କାର୍ତ୍ତିକ ପାଣ୍ଡିଆନ । ସରକାରୀ ଅର୍ଥ ବ୍ୟୟ କରି ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ ଭୋଜି ଖାଇବାକୁ ହେଲିକପ୍ଟରରେ ଯିବା କେତେଦୂର ଠିକ ବୋଲି ସେ ପ୍ରଶ୍ନ କରିଛନ୍ତି ।

ବିଜେପି ଆହୁରି କହିଛି, ଏମିତିରେ ସରକାରୀ ଅର୍ଥକୁ ବରବାଦ କରି ୫ଟି ସଚିବ ୫ କିମି ରାସ୍ତା ଯିବା ପାଇଁ ହେଲିକପ୍ଟର ବ୍ୟବହାର କରୁଛନ୍ତି । ହେଲେ ବିଜେଡି ସରକାର ଏବଂ ନେତା ଏହା ସରକାରୀ ଗସ୍ତ  ତେଣୁ ଖର୍ଚ୍ଚ କରିବା ବୈଧ ବୋଲି ଦାବି କରୁଛନ୍ତି  । ହେଲେ ଏ ଦୁଇଦିନ ସରକାରୀ କାମ ନ ଥାଇ ବି କାହିଁକି ସଚିବ ହେଲିକପ୍ଟରରେ ଗଲେ ତାହାର ଜବାବ ମାଗିଛି ବିଜେପି ।

ସୂଚନା ଅଧିକାର ନିୟମ ଅନୁସାରେ ଏୟାରପୋର୍ଟ ଅଥରିଟି ଅଫ ଇଣ୍ଡିଆରୁ ପାଇଥିବା ତଥ୍ୟ ଆଧାରରେ ବିଜେପି ଏହି ତଥ୍ୟ ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ଉପସ୍ଥାପନ କରିଛି ।

ଏହି ତଥ୍ୟ ଅନୁସାରେ ଜାନୁଆରୀ ୧ରୁ ଜୁନ ମଧ୍ୟଭାଗ ଯାଏ ରାଜ୍ୟ ସରକାରଙ୍କ ସରକାରୀ ଅର୍ଥରେ ୭୫ ଥର ବିମାନ ଉଡିଛି । ଏଥିରେ ଡାଟ୍ସନ, ଫାଲକନ କରି ଲଗଜୁରିୟସ ବିମାନ, ବିଜିନେସ ଜେଟ ରହିଛି । ତେବେ ଏହି ୭୫ ଥର ବିମାନରେ କିଏ ଯାଇଛି ? କାହିଁକି ଯାଇଛି ? କେଉଁଠିକୁ ଯାଇଛି ? ଏସବୁର ଯାଞ୍ଚ କରିବା ଦରକାର ବୋଲି ବିଜେପି ଦାବି କରିଛି ।

ବଲାଙ୍ଗିରରେ ୫ କିମି, ଢେଙ୍କାନାଳ, ବ୍ରହ୍ମପୁରରେ ୫ କିମି ରାସ୍ତା ଯିବା ପାଇଁ ସଚିବ ହେଲିକପ୍ଟର ବ୍ୟବହାର କରୁଛନ୍ତି।  ଲୋକଙ୍କ ଅସନ୍ତୋଷରୁ ବଞ୍ଚିବା ପାଇଁ ସେ ଏପରି କରୁଥିବା ବିଜେପି କହିଛି । ରାଜ୍ୟ ସରକାର ଏବଂ ସଚିବଙ୍କ ବିରୋଧଳରେ ପ୍ରବଳ ଜନ ଅସନ୍ତୋଷ ରହିଛି । ଏ ନେଇ ଗୁଇନ୍ଦା ବିଭାଗ ରାଜ୍ୟ ସରକାରଙ୍କୁ ରିପୋର୍ଟ ଦେଇଛି । ତେଣୁ କାଳେ କିଛି ଅଘଟଣା ହେବ ସେହି ଆଶଙ୍କାରେ  ସଚିବ ବିମାନରେ ଯାତାୟାତ କରୁଛନ୍ତି ବୋଲି କହିଛନ୍ତି ବିଜେପି ମୁଖପାତ୍ର ଅନିଲ ବିଶ୍ୱାଳ ।