Onn 3

ପେଣ୍ଠକଟା କନକଦୁର୍ଗା ସାହିରେ ବୋମା ବିସ୍ଫୋରଣ

Crime State

ପୁରୀ: ପୁରୀ ପେଣ୍ଠକଟା କନକଦୁର୍ଗା ସାହିରେ ବୋମା ବିସ୍ଫୋରଣ । ଆଜି ପୂର୍ବାହ୍ନ ପ୍ରାୟ ୧୧ଟା ସମୟରେ ଏହି ବୋମା ବିସ୍ପୋରଣ ହୋଇଥିବା ସୂଚନା ମିଳିଛି । ତେବେ ବିସ୍ଫୋରଣରେ କାହାର କିଛି କ୍ଷତି ହୋଇନଥିବା ବେଳେ ଏକ କୁକୁରର ପ୍ରାଣ ଯାଇଛି ।

ସୂଚନା ଅନୁସାରେ, ପୁରୀ ଜିଲ୍ଲା ପେଣ୍ଠକଟାସ୍ଥିତ କନକଦୁର୍ଗା ସାହିରେ ଆଜି ପୂର୍ବାହ୍ନ ପ୍ରାୟ ୧୧ଟା ସମୟରେ ବୋମା ବିସ୍ପୋରଣ ହୋଇଛି । ବୋମା ବିସ୍ପୋରଣ ଏତେ ତିବ୍ରଥିଲା ଯେ ଆଖିପିଛୁଳାକେ ଗୋଟିଏ କୁକୁର ଖଣ୍ଡବିଖଣ୍ଡିତ ହୋଇ ଏଣେତେଣେ ପଡିଥିବା ବେଳେ ଏହାର ପ୍ରଭାବରେ ଜଣେ ମିସ୍ତ୍ରୀ ଅଚେତ ହୋଇଯାଇଥିଲେ । ତେବେ ବିସ୍ପୋରଣରେ କୌଣସି ଧନଜୀବନ ନଷ୍ଟ ହୋଇନଥିବା ଜଣାପଡିଛି।

ସ୍ଥାନୀୟ ପୂର୍ବତନ କାଉନସିଲର ବାବୁଲା ପ୍ରସାଦଙ୍କ କହିବା କଥା ଅନୁସାରେ, ତାଙ୍କ ସମ୍ପର୍କୀୟଙ୍କର ସେହି ଯାଗାରେ ଗୋଟିଏ ବୋଟ୍ ମାନୁଫାକ୍ଚରିଂ ୟୁନିଟ ରହିଛି । ସେଠାରେ କିଛି କର୍ମଚାରୀ ରହି ଡଙ୍ଗା ନିର୍ମାଣ କରନ୍ତି। ସୌଭାଗ୍ୟ ବଶତଃ ବିସ୍ପୋରଣ ସମୟରେ ସେମାନେ ନଥିଲେ। ଡଙ୍ଗା ତିଆରି କାରଖାନାର କ୍ଷତି କରିବା ଉଦ୍ଦେଶ୍ୟରେ କେହି ପୂର୍ବଶତୃତାକୁ କେନ୍ଦ୍ରକରି ଏଭଳି ବୋମା ବିସ୍ପୋରଣ କରିଥାଇପାରିଥାନ୍ତି ବୋଲି ଅଭିଯୋଗ କରାଯାଇଛି ।

ଘଟଣାର ଛାନବିନ କରୁଛି ପୋଲିସ । ସମୁଦ୍ରକୂଳ ଥାନା ପୁଲିସ ଘଟଣାସ୍ଥଳରେ ପହଞ୍ଚି ସ୍ଥାନୀୟ ଲୋକଙ୍କୁ ପଚରାଉଚରା କରୁଛି । ବୋମା ନିସ୍କ୍ରୀୟ ଟିମ୍ ଦ୍ୱାରା ବିସ୍ପୋରଣ ସ୍ଥଳକୁ ଅନୁଧ୍ୟାନ କରାଯାଉଛି । ବିସ୍ପୋରଣ ସ୍ଥଳରୁ କେମିକାଲ ଓ ବିସ୍ପୋରକ ସାମଗ୍ରୀର ଅବଶିଷ୍ଟାଂଶ ସଂଗ୍ରହ କରାଯାଇଛି । ତେବେ ଖୁବଶୀଘ୍ର ଘଟଣାର ତଦନ୍ତ କରାଯାଇ ସତାସତ୍ୟ ଜଣାପଡିବ ବୋଲି କହିଛନ୍ତି ସିଟି ଡିଏସପି ।