Onn 3

ଏମପିରେ ୧୦ ହଜାର କିମି ଚାଲିବ ବିଜେପି

National & International

ଭୁବନେଶ୍ୱର: ମଧ୍ୟପ୍ରଦେଶ ବିଧାନସଭା ନିର୍ବାଚନରେ ଜିତି ପୁଣିଥରେ ସରକାରକୁ ଫେରିବା ପାଇଁ ବିଜେପି ସବୁ ପ୍ରକାର ଉଦ୍ୟମ କରୁଛି। ଏହି କ୍ରମରେ ମଧ୍ୟପ୍ରଦେଶରେ ଶିବରାଜ ସରକାର ପକ୍ଷରୁ ମହିଳା ମାନଙ୍କ ପାଇଁ ବ୍ୟାପକ ଯୋଜନା ଘୋଷଣା ହେବା ସହ ଅନ୍ୟ ସବୁ ପଦକ୍ଷେପ ନିଆଯାଇଛି। ସେପଟେ ଦଳର କେନ୍ଦ୍ରୀୟ ନେତୃତ୍ୱ ମଧ୍ୟ ଏମପିକୁ ଫୋକସ କରୁଛନ୍ତି। ସେଥିପାଇଁ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା ଆସନ୍ତା ସେପ୍ଟେମ୍ବର ତିନି ତାରିଖରେ ସତନା ଗସ୍ତ କରିବେ। ନିର୍ବାଚନ ପୂର୍ବରୁ ଏମପିରେ ଦଳ ପକ୍ଷରୁ ହେବାକୁ ଥିବା ଜନ ଆଶୀର୍ବାଦ ଯାତ୍ରାର ଶୁଭାରମ୍ଭ କରିବେ ଶାହା। ଶାହାଙ୍କ ସହ ମୁଖ୍ୟମନ୍ତ୍ରୀ ଶିବରାଜ ସିଂ ଚୌହାନ ଓ ପ୍ରଦେଶ ବିଜେପି ସଭାପତି ବିଡ଼ି ଶର୍ମା ରହିବେ।

ଆଶୀର୍ବାଦ ଯାତ୍ରା ଆରମ୍ଭ କରିବା ସହ ଏକ ବିଶାଳ ଜନସଭାକୁ ଶାହା ସମ୍ବୋଧିତ କରିବେ ବୋଲି ବିଜେପି ନେତା ସତୀଶ ଶର୍ମା କହିଛନ୍ତି। ସତନାରୁ କାର୍ଯ୍ୟକ୍ରମ ସାରିବା ପରେ ପରଦିନ ଅର୍ଥାତ ସେପ୍ଟେମ୍ବର ଚାରି ତାରିଖରେ ମେହରରେ ଏକ ବିଶାଳ ସଭାକୁ ଶାହା ସମ୍ବୋଧିତ କରିବାର କାର୍ଯ୍ୟକ୍ରମ ରହିଛି। ଏହି ଅବସରରେ ମେହର ଅଞ୍ଚଳର ବହୁ ପ୍ରତୀକ୍ଷିତ ଦାବି ମେହରକୁ ଜିଲ୍ଲା ଘୋଷଣା କରାଯାଇପାରେ ବୋଲି କୁହାଯାଉଛି। ନିର୍ବାଚନ ପୂର୍ବରୁ ଏହା ବିଜେପିର ଏକ ବଡ଼ ଯାତ୍ରା।

ସେପ୍ଟେମ୍ବର ତିନି ତାରିଖରୁ ଆରମ୍ଭ ହେବାକୁ ଥିବା ଏହି ଯାତ୍ରା ମଧ୍ୟପ୍ରଦେଶରେ ୧୦ ହଜାର କିଲୋମିଟର କଭର କରିବ। ରାଜ୍ୟର ସାଢ଼େ ପାଞ୍ଚ କୋଟି ମତଦାତାଙ୍କ ନିକଟରେ ଦଳ ଯାତ୍ରା ମାଧ୍ୟମରେ ପହଞ୍ଚିବାକୁ ଉଦ୍ୟମ କରୁଛି। ବିନ୍ଧ୍ୟ ଅଞ୍ଚଳର ଚିତ୍ରକୁଟରୁ ଯାତ୍ରା ଆରମ୍ଭ ହେବ। ୨୫ ସେପ୍ଟେମ୍ବରରେ ଯାତ୍ରା ଶେଷ ହେବ। ଭୋପାଳରେ ଯାତ୍ରାର ଶେଷ ଦିନରେ ପ୍ରଧାନମନ୍ତ୍ରୀ ମୋଦି ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି।

ଏହି ଅବସରରେଏମପିର ୨୩୦ ବିଧାନସଭା ସିଟରେ ୬୭୮ ଟି ଛୋଟ ସଭା ଓ ୨୧୧ ଟି ବଡ଼ ସଭା କରାଯିବ। ସେପଟେ କଂଗ୍ରେସ ମଧ୍ୟ ଏମପି ହାତେଇବା ପାଇଁ ବହୁ ଆଗରୁ ପ୍ରସ୍ତୁତିକୁ ଜୋରଦାର କରିଛି। କଂଗ୍ରେସ ଆଗାମୀ ବିଧାନସଭା ନିର୍ବାଚନରେ ୧୭୦ ରୁ ଅଧିକ ସିଟ ଜିତିବ ବୋଲି ପୂର୍ବତନ ମନ୍ତ୍ରୀ ତଥା କଂଗ୍ରେସ ବିଧାୟକ ଜୟବର୍ଦ୍ଧନ ସିଂ କହିଛନ୍ତି। ଏପରିକି କଂଗ୍ରେସ ସମ୍ପର୍କରେ ବିଜେପିର ବହୁ ଅସନ୍ତୁଷ୍ଟ ନେତା ଥିବା କହିଛନ୍ତି ଜୟବର୍ଦ୍ଧନ।

କମଳନାଥଙ୍କ ୧୫ ମାସର ସରକାରରେ ମଧ୍ୟପ୍ରଦେଶରେ ବହୁ ଭଲ କାମ ହୋଇଥିବା ଲୋକେ ଅନୁଭବ କରିଛନ୍ତି ବୋଲି ସେ କହିଛନ୍ତି। ତେଣୁ ସେହି ଆଧାରରେ ଲୋକେ ଆଗାମୀ ପାଞ୍ଚବର୍ଷ ପାଇଁ ପୁଣିଥରେ କଂଗ୍ରେସ ଉପରେ ଭରସା କରିବେ ବୋଲି ସେ କହିଛନ୍ତି। ଦଳ ବର୍ତ୍ତମାନ ଟିକେଟ ବଣ୍ଟନ ଉପରେ ଗୁରୁତ୍ୱ ଦେଉଥିବା ବେଳେ ଜିତିବା ସମ୍ଭାବନାକୁ ଆଧାର କରି ଦଳ ଟିକେଟ ଦେବ ବୋଲି କଂଗ୍ରେସ ପକ୍ଷରୁ କୁହାଯାଇଛି। ସେପଟେ ଆମ ଆଦମୀ ପାର୍ଟି ମଧ୍ୟ ଏମପିରେ ଟକ୍କର ଦେବାକୁ ପ୍ରସ୍ତୁତି ଜୋରଦାର କରୁଛି। ତେଣୁ ଏହି ବଡ଼ ଲଢ଼େଇରେ କିଏ ବାଜି ମାରିବ ତା ଉପରେ ନଜର।