Onn 3

ନିର୍ମାଣକୁ ୪ବର୍ଷ ପୁରିଲା, ଅଧପନ୍ତରିଆ ଗୋଷ୍ଠୀକେନ୍ଦ୍ରକୁ ମାଡ଼ିଗଲାଣି ଲଟାବୁଦା

State

ଆଗରପଡ଼ା: ବନ୍ତ ବ୍ଲକ ଓଡ଼ଙ୍ଗ ପଂଚାୟତ ଅନ୍ତର୍ଗତ ପାରାବଂଧ ଠାରେ ୨୦୧୯-୨୦ ଆର୍ଥକ ବର୍ଷରେ ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ଆନୁକୁଲ୍ୟରେ ପଂଚାୟତ ସମିତି ବନ୍ତ ପକ୍ଷରୁ ଏସଏଫସି ଯୋଜନାରେ ଟଙ୍କା ଏକ ଲକ୍ଷ ଚଉସ୍ତରୀ ହଜାର ଚଉଷଠି ଅଟକଳ ମୂଲ୍ୟରେ ଏକ ଗୋଷ୍ଠୀ କେନ୍ଦ୍ର ନିର୍ମାଣ ଆରମ୍ଭ କରାଯାଇଥିଲା । ଉକ୍ତ କେନ୍ଦ୍ର ନିର୍ମାଣକୁ ଇତି ମଧ୍ୟରେ ୪ବର୍ଷ ପୂରିଯିବା ପରେ ମଧ୍ୟ ଅଧପନ୍ତରିଆ ଅବସ୍ଥାରେ ପଡ଼ିରହିଛି । ପାରିପାଶ୍ୱିର୍କ ପରିସ୍ଥିତିକୁ ଆକଳନକୁ ନେଲେ ଏହାର ପୂର୍ଣ୍ଣତାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହେବା ସହ ଉକ୍ତ ସ୍ଥାନ ଏକ ଜଙ୍ଗଲର ଭ୍ରମ ସୃଷ୍ଟି କରୁଛି । ବିଭାଗୀୟ ଅଧିକାରୀଙ୍କ ଦୂରଦୃଷ୍ଟିର ଅଭାବ ଯୋଗୁଁ ସରକାରଙ୍କ ଯୋଜନାର ସଫଳ ରୁପାୟନ ହୋଇପାରୁନଥିବା ଉକ୍ତ ଗୋଷ୍ଠୀ କେନ୍ଦ୍ରକୁ ଦେଖିଲେ ପ୍ରତିଫଳିତ ହେଉଛି ।

କାର୍ଯ୍ୟାଦେଶ ଆଣିବା ପରେ ଅର୍ଥ ବ୍ୟୟ କରି କୌଣସି ଯୋଜନାକୁ ଅଧପନ୍ତରିଆ ଅବସ୍ଥାରେ ଛାଡ଼ି ଦେବା ବିଭାଗୀୟ ଅଧିକାରୀଙ୍କ କାର୍ଯ୍ୟପନ୍ଥା ଉପରେ ଅଙ୍ଗୁଳ ନିର୍ଦ୍ଦେଶ କରୁଛି । ଯୋଜନା ପାଇଁ ଅର୍ଥ ମହଜୁଦ ଥିବା ସତ୍ୱେ ବିଭାଗୀୟ ଉଚ୍ଚ ପଦସ୍ଥ ଅଧିକାରୀ କେଉଁ କାରଣରୁ ଉକ୍ତ କେନ୍ଦ୍ର ନିର୍ମାଣରେ ଅଣଦେଖା କରୁଛନ୍ତି ତାହା ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି କରୁଛି । ତେଣୁ ବିଭାଗୀୟ ଅଧିକାରୀ ସରକାରୀ ଯୋଜନାକୁ ପ୍ରହସନରେ ପରିଣତ ନକରି ଉକ୍ତ ଗୋଷ୍ଠୀ କେନ୍ଦ୍ର ନିର୍ମାଣରେ ଅଗ୍ରଗତି ଆଣିବା ପାଇଁ ଚେଷ୍ଟିତ ହେବାକୁ ଗ୍ରାମବାସୀଙ୍କ ସମେତ ବୁଦ୍ଧିଜୀବୀ ମହଲରେ ଦାବି ହୋଇଛି ।