Onn 3

ଦେଶରେ ଆସୁଛି ନୂଆ ସିଆରପିସି ଆଇନ, କ୍ରିମନାଲ ଜଷ୍ଟିସ ଡେଲିଭରି ସିଷ୍ଟମରେ ଆସିବ ବ୍ୟାପକ ପରିବର୍ତ୍ତନ

National & International

 

supreme court

କଟକ ଦେଶରେ ଆସୁଛି ନୂଆ ସିଆରପିସି ଆଇନ। କ୍ରିମିନାଲ ପ୍ରୋସିଡ଼ିଅର କୋଡ଼ ବଦଳରେ ଆସୁଛି ଭାରତୀୟ ନାଗରିକ ସୁରକ୍ଷା ସଂହିତା।ଏହାଦ୍ବାରା କ୍ରିମନାଲ ଜଷ୍ଟିସ ଡେଲିଭରି ସିଷ୍ଟମରେ ଆସିବ ବ୍ୟାପକ ପରିବର୍ତ୍ତନ। ନୂଆ ଆଇନ ବଳରେ ଫେରିବ ହ୍ୟାଣ୍ଡକଫ। ଅପରାଧୀଙ୍କୁ ପୋଲିସ ହାଣ୍ଡକଫ୍ ପକାଇ ନେବାରେ ରହିଥିଲା ସୁପ୍ରିମକୋର୍ଟଙ୍କ ଲଗାମ। କିନ୍ତୁ ଏହି ନୂଆ ଆଇନ ବଳରେ ପୋଲିସ ଅପରାଧୀଙ୍କୁ ହାଣ୍ଡକଫ୍ ପକାଇ ନେଇ ପାରିବ। ତେବେ କେଉଁ ଅପରାଧୀଙ୍କୁ ହାଣ୍ଡକଫ୍ ପକାଯିବ ତାହା ମଧ୍ୟ ଆଇନରେ ଧାର୍ଯ୍ୟ କରାଯାଉଛି। ଅପରାଧରେ ଗମ୍ଭୀରତା ଦେଖି ହାଣ୍ଡକଫ୍ ପକାଇବା ନିଷ୍ପତ୍ତି ନିଆଯିବ ବୋଲି ଭାରତୀୟ ନାଗରିକ ସୁରକ୍ଷା ସଂହିତା ଆଇନରେ ସ୍ପଷ୍ଟ କରାଯାଇଛି।

କେଉଁ ଅପରାଧୀଙ୍କ ହାତରେ ପଡି ପାରିବ ହ୍ୟାଣ୍ଡକଫ। ଭାରତୀୟ ନାଗରିକ ସୁରକ୍ଷା ସଂହିତା ଅନୁଯାୟୀ ଅଭ୍ୟାସଗତ ଅପରାଧୀ, ପୂର୍ବରୁ ହାଜତରୁ ଫେରାର ହୋଇଥିବା ଅପରାଧୀ, ସଂଗଠିତ ଅପରାଧ ଜଡ଼ିତ ଅପରାଧୀ, ଦେଶଦ୍ରୋହୀ, ମାଦକଦ୍ରବ୍ୟ ଚୋରା ଚାଲାଣକାରୀ, ବେଆଇନ ଅସ୍ତ୍ରଶସ୍ତ୍ର ରଖିବା ଅପରାଧୀ, ହତ୍ୟାକାଣ୍ଡ, ବଳାତ୍କାର, ଏସିଡ ଆଟାକ, ନାବାଳିକା ବଳାତ୍କାରୀ, ମାନବ ଚାଲାଣକାରୀ ଓ ଅର୍ଥନୈତିକ ଅପରାଧରେ ଜଡିତ ଅପରାଧୀଙ୍କ ହାତରେ ପଡି ପାରିବ ହାଣ୍ଡକଫ୍।

ଡିଜିଟାଲ ଇଣ୍ଡିଆ ଆଧାରରେ ଆସିଛି ଏହି ନୂଆ ଭାରତୀୟ ନାଗରିକ ସୁରକ୍ଷା ସଂହିତା ଆଇନ। ଏହି ଆଇନ ବଳରେ ଭିଡିଓ କନଫରେନସିଂରେ ଚାଲିବ ମାମଲାର ଟ୍ରାଏଲ। ସରକାରୀ ଅଫିସର ବା ରାଜସାକ୍ଷୀ ଭର୍ଚୁଆଲରେ ସାକ୍ଷ୍ୟ ପ୍ରଦାନ କରି ପାରିବେ। ପୋଲିସ ଅଫିସର ମାନଙ୍କୁ ବଦଳି ପରେ ପୁରୁଣା ମାମଲାରେ କୋର୍ଟକୁ ଦୌଡିବାକୁ ପଡିବନି। ଅଵସର ପରେ ପୋଲିସ ଅଫିସର ସାକ୍ଷୀ ନ ଦେଇ ସେହି ମାମଲାର ଦାୟିତ୍ୱ ଭାର ଅନ୍ୟ ଅଫିସରଙ୍କୁ ପ୍ରଦାନ କରାଯିବ। ଆବଶ୍ୟକ ସ୍ଥଳେ କେବଳ ଭର୍ଚୁଆଲରେ ସାକ୍ଷ୍ୟ ପ୍ରଦାନ କରିବେ। ଏହି ନୂଆ ଆଇନ ବଳରେ ଜଣେ ଅଭିଯୁକ୍ତର ଅନୁପସ୍ଥିତିରେ ଟ୍ରାଏଲ ଚାଲିବା ସହିତ ତାକୁ ଦୋଷୀ ସାବ୍ୟସ୍ତ କରିହେବ।

ରାଜଦ୍ରୋହ ଆଇନକୁ ସଂପୂର୍ଣ୍ଣ ଭାବେ ଶେଷ କରିବା ଲାଗି ଏହି ଆଇନରେ ନିଷ୍ପତ୍ତି ନିଆଯାଇଛି। ଲୋକତନ୍ତ୍ରରେ ସମସ୍ତଙ୍କର କହିବାର ଅଧିକାର ରହିଛି। ଏହାସହ ବିଚ୍ଛିନ୍ନତା, ସଶସ୍ତ୍ର ବିଦ୍ରୋହ, ବିଶୃଙ୍ଖଳାମୂଳକ କାର୍ଯ୍ୟକଳାପ, ବିଚ୍ଛିନ୍ନତାବାଦ, ଭାରତର ସାର୍ବଭୌମତ୍ବ ଓ ଏକତାକୁ ଚାଲେଞ୍ଜ କରି ଏସବୁକୁ ଏବେ ଆଇନ ଅନୁଯାୟୀ ପ୍ରଥମଥର ପାଇଁ ବ୍ୟାଖ୍ୟା କରାଯାଇଛି।ତଦନ୍ତକାରୀ ପୋଲିସ ଅଧିକାରୀଙ୍କ ରିପୋର୍ଟ ଦାଖଲ ପରେ କୋର୍ଟ ଏ ସଂକ୍ରାନ୍ତ ନିର୍ଦ୍ଦେଶ ଦେବେ। ପୁଲିସ ଅଧିକାରୀ ଏ ନେଇ ନିଜ ଆଡ଼ୁ କୌଣସି ଆଦେଶ ଦେଇପାରିବେ ନାହିଁ।

କୋର୍ଟରେ ଏହାର ଶୁଣାଣି ପରେ କାର୍ଯ୍ୟାନୁଷ୍ଠାନ ହେବ।ମାମଲାର ରାୟ ପ୍ରଦାନରେ ଆଉ ବର୍ଷ ବର୍ଷ ଧରି ଅପେକ୍ଷା କରିବେନି ଟ୍ରାଏଲ କୋର୍ଟ। ଜବାବ ସୁଆଲ ଶେଷ ହେବାର ୩୦ ଦିନ ମଧ୍ୟରେ ରାୟ ପ୍ରକାଶ କରିବେ ବିଚାରପତି। ରାୟ ପ୍ରକାଶର ୭ ଦିନ ମଧ୍ୟରେ ତାହା ଅନଲାଇନରେ ଉପଲବ୍ଧ ହେବ।  ଦେଶରେ ଭାରତୀୟ ନାଗରିକ ସୁରକ୍ଷା ସଂହିତା ଆଇନ-୨୦୨୩, ଭାରତୀୟ ନ୍ୟାୟ ସଂହିତା ଆଇନ-୨୦୨୩ ଏବଂ ଭାରତୀୟ ସାକ୍ଷ୍ୟ ଆଇନ-୨୦୨୩ ଆସୁଥିବା ବେଳେ ଏହା ବଦଳରେ ଭାରତୀୟ ପିଙ୍ଗଳ କୋଡ୍‌ (ଆଇପିସି)-୧୮୬୦, ଭାରତୀୟ ଦଣ୍ଡବିଧି ଆଇନ (ସିଆର୍‌ପିସି)-୧୮୯୮ ଏବଂ ଭାରତୀୟ ପ୍ରମାଣ ଆଇନ-୧୮୭୨ ଉଚ୍ଛେଦ ହେବାକୁ ଯାଉଛି।

Post Views: 8