Onn 3

ସାମ୍ବାଦିକଙ୍କ ଘରେ ପଶି ଗୁଳି କରି ହତ୍ୟା କଲେ ଦୁର୍ବୃତ୍ତ

National & International

ପାଟନା: ବିହାରର ଅରରିୟାଠାରେ ଜଣେ ସାମ୍ବାଦିକଙ୍କୁ ଗୁଳି କରି ହତ୍ୟା କରାଯାଇଛି । ସାମ୍ବାଦିକଙ୍କ ନାଁ ବିମଳ କୁମାର ଯାଦବ । ବିମଳ ‘ଦୈନିକ ଜାଗରଣ’ର ସାମ୍ବାଦିକ ବୋଲି ଜଣାପଡିଛି । ଘଟଣା ଆଜି ସକାଳ ଘଟିଛି । ୪ ଜଣ ବ୍ୟକ୍ତି ତାଙ୍କ ଘରେ ପଶି ତାଙ୍କୁ ହତ୍ୟା କରିଥିବା ଜଣାଯାଇଛି । ଏହି ଘଟଣା ପରେ ସାରା ରାଜ୍ୟରେ ଚାଞ୍ଚଲ୍ୟ ଖେଳି ଯାଇଛି  । ପୋଲିସ ହତ୍ୟାକାରୀଙ୍କୁ ଧରିବା ପାଇଁ ଲାଗିପଡିଛି ।

ମିଳିଥିବା ସୂଚନା ଅନୁଯାୟୀ, ଅରରିୟା ଜିଲ୍ଲାର ରାଣୀଗଞ୍ଜରେ ରୁହନ୍ତି ବିମଳ । ଆଜି ସକାଳୁ ତାଙ୍କ ଘରକୁ ୪ ଜଣ ଅପରାଧୀ ପଶି ଆସିଥିଲେ । ସେତେବେଳକୁ ବିମଳ ଶୋଇଥିଲେ । ଅପରାଧୀମାନେ ତାଙ୍କୁ ଉଠାଇ ଆଖିବୁଜା ଗୁଳି ଫଟାଇବାରେ ଲାଗିଥିଲେ । ବିମଳଙ୍କ ଛାତିକୁ ଲକ୍ଷ୍ୟ କରି ଅପରାଧୀମାନେ ଗୁଳିବର୍ଷା କରିଥିଲେ  । ଘଟଣାସ୍ଥଳରେ ହିଁ ବିମଳଙ୍କର ମୃତ୍ୟୁ ଘଟିଥିବା ଜଣା ଯାଇଛି ।

ଏହି ଘଟଣା ଜଣାପଡିବା ପରେ ଚାରିଆଡେ ଯେମିତି ଚାଞ୍ଚଲ୍ୟ ଖେଳି ଯାଇଥିଲା । ଉତ୍ତ୍ୟକ୍ତ ଲୋକେ ଅରରିୟାରେ ଏବଂ ପୋଷ୍ଟ ମର୍ଟମ ସ୍ଥଳରେ ହଙ୍ଗାମା କରିଥିଲେ । ଘଟଣାସ୍ଥଳରେ ପୋଲିସ ପହଞ୍ଚି ଛାନଭିନ କରୁଛି । ସ୍ଥାନୀୟ ସାଂସଦ ମଧ୍ୟ ଆସି ପହଞ୍ଚିଛନ୍ତି ।

ମିଳିଥିବା ସୂଚନା ଅନୁସାରେ, ବିମଳଙ୍କୁ ଗୁଳିମାରିବା ପରେ ବିମଳଙ୍କ ପତ୍ନୀ ଚିତ୍କାର କରି ଲୋକମାନଙ୍କୁ ଡାକିଥିଲେ । ସ୍ଥାନୀୟ ଲୋକେ ପହଞ୍ଚି ରାଣୀଗଞ୍ଚ ପୋଲିସକୁ ସୂଚନା ଦେଇଥିଲେ । ଏପଟେ ବିମଳଙ୍କୁ ତୁରନ୍ତ ଡାକ୍ତରଖାନାରେ ଭର୍ତ୍ତି କରାରଯାଇିଲା ।  ହେଲେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ ।

ଇତି ମଧ୍ୟରେ ମୁଖ୍ୟମନ୍ତ୍ରୀ ନୀତିଶ କୁମାର ଏହି ଘଟଣାକୁ ତୀବ୍ର ନିନ୍ଦା କରିବା ସହ ମୃତକଙ୍କ ପରିବାରକୁ ଗଭୀର ସମବେଦନା ଜଣାଇଛନ୍ତି । ଏଥସହିତ ତୁରନ୍ତ ଅପରାଧୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବାକୁ ଆଦେଶ ଦେଇଛନ୍ତି ।  ଅନ୍ୟପଟେ ସାଂସଦ ଚିରାଗ ପାସୱାନ ଘଟଣାରେ ରାଜ୍ୟ ସରକାରଙ୍କୁ ଟାର୍ଗେଟ କରି ବର୍ଷିଛନ୍ତି ।  ବିହାର ସରକାର ଆଇନ ଶଋଙ୍ଖଳା ପରିସ୍ଥିତି ରକ୍ଷା କରିବାରେ ବିଫଳ ହୋଇଛନ୍ତି ବୋଲି କହିଛନ୍ତି ।