ନୂଆଦିଲ୍ଲୀ:ଆତଙ୍କବାଦୀଙ୍କ ଭାଇ ଉଡାଇଲେ ତ୍ରିରଙ୍ଗା । ନିଜଘର ସାମ୍ନାରେ ଉଡୁଥିଲା ବିଶାଳ ତ୍ରିରଙ୍ଗା ପତାକା । ସ୍ୱାଧୀନତା ଦିବସର ଅବ୍ୟବହିତ ପୂର୍ବରୁ କୁଖ୍ୟାତ ଆତଙ୍କବାଦୀ ଜାଭେଦ ମାଟ୍ଟୋର ଭାଇ ତା’ ନିଜ ଘରେ ବିଶାଳ ତ୍ରିରଙ୍ଗା ଉଡ଼ାଇଛନ୍ତି ।
ଆତଙ୍କୀ ଜାଭେଦ ମାଟ୍ଟୁ ହିଜବୁଲ ମୁଜାହିଦ୍ଦିନର ସଦସ୍ୟ । ସେ ଅନେକ ଦେଶ ବିରୋଧରେ କାମରେ ଲିପ୍ତ । ହେଲେ ତାଙ୍କ ଭାଇ ଜମ୍ମୁ କଶ୍ମୀରର ସୋପୋରେଠାରେ ଥିବା ତାଙ୍କ ନିଜ ବାସଭବନରେ ଜାତୀୟ ପତାକା ଉଡାଇଛନ୍ତି । ଏହାର ଭିଡିଓ ଭାଇରାଲ ହୋଇଛି । ଭିଡଓରେ ଦେଖିବାକୁ ମିଳିଛି ଆତଙ୍କବାଦୀ ଜାଭେଦ ମାଟ୍ଟୁଙ୍କ ଭାଇ ରୟୀସ ତାଙ୍କ ଝରକା ପାଖରେ ତ୍ରିରଙ୍ଗା ଉଡାଉଛନ୍ତି ।
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ହର ଘର ତ୍ରିରଙ୍ଗା ଅଭିଯାନ ଆରମ୍ଭ କରିଛନ୍ତି । ସମସ୍ତେ ନିଜ ନିଜ ଘରେ ତ୍ରିରଙ୍ଗା ଉଡାଇବା ପାଇଁ ପ୍ରଧାନମନ୍ତ୍ରୀ ଆହ୍ୱାନ ଦେଇଛନ୍ତି । ପ୍ରଧାନମନ୍ତ୍ରୀଙ୍କର ଏହି ବାର୍ତ୍ତାକୁ ପାଳିଛନ୍ତି ଆତଙ୍କୀଙ୍କ ଭାଇ ରୟୀସ । ଭିଡିଓରେ ଦେଖିବାକୁ ମିଳିଛି, ରୟୀସ ବେଶ ଗର୍ବ ଓ ଖୁସିର ସହ ତ୍ରିରଙ୍ଗାକୁ ନିଜ ଘରର ବାଲକୋନୀ ଓ ଘର ବାହାରେ ଉଡ଼ାଉଛନ୍ତି। ରୟୀସ କହିଛନ୍ତି ସେ ତାଙ୍କ ହୃଦୟରୁ ତ୍ରିରଙ୍ଗାକୁ ଉଡ଼ାଇଛି। ଏଥିପାଇଁ କାହାର ଚାପ ନଥିଲା।
ସେ ଆହୁରି କହିଛନ୍ତି, ଏବେ ଏଠାରେ ସ୍ଥିତି ବଦଳି ଯାଇଛି । ଏବେ ସ୍ୱାଧୀନତା ଦିବସ ପୂର୍ବରୁ ଓ ପରେ ଏହି ଅଞ୍ଚଳରେ ବସି ହେଉ ନ ଥିଲା । ହେଲେ ଏବେ ଆମେ ଦୋକାନ ଖୋଲି ପାରୁଛୁ ବୋଲି ସେ କହିଛନ୍ତି । ସେ ନିଜ ଭାଇଙ୍କ ଉଦ୍ଦେଶ୍ୟରେ କହିଛନ୍ତି, ସେ ୨୦୦୯ରେ ଆତଙ୍କୀ ସଂଗଠନରେ ମିଶିଥିଲେ । ସେବେଠାରୁ ତାଙ୍କ ସହ କୌଣସି ସମ୍ପର୍କ ନାହିଁ । ସେ ତାଙ୍କ ଭାଇଙ୍କୁ ମୁଖ୍ୟସ୍ରୋତକୁ ଫେରି ଆସିବା ପାଇଁ ଅନୁରୋଧ କରିଛନ୍ତି ।