Onn 3

ଆଫ୍ରିକୀୟ ଦେଶ ନାଇଜରରେ ଥିବା ଭାରତୀୟଙ୍କୁ ଯଥାଶୀଘ୍ର ସେଠାରୁ ଫେରି ଆସିବାକୁ କହିଲା ଭାରତ

National & International

ନୂଆଦିଲ୍ଲୀ: ଆଫ୍ରିକୀୟ ଦେଶ ନାଇଜରରେ ରହୁଥିବା ଭାରତୀୟ ନାଗରିକଙ୍କ ପାଇଁ କେନ୍ଦ୍ର ସରକାର ଏକ ‘ଆଡଭାଇଜରି’ ଜାରି କରିଛନ୍ତି। ଏଥିରେ ଭାରତୀୟ ନାଗରିକମାନଙ୍କୁ ‘ଯଥାଶୀଘ୍ର ସମ୍ଭବ’ ଦେଶ ଛାଡିବାକୁ କୁହାଯାଇଛି।
ବୈଦେଶିକ ବ୍ୟାପାର ମନ୍ତ୍ରାଳୟର ପ୍ରବକ୍ତା ଅରିନ୍ଦମ ବାଗଚୀ ଗଣମାଧ୍ୟମକୁ କହିଛନ୍ତି, ‘ନାଇଜରରେ ସଂପ୍ରତି ଚାଲିଥିବା ଗତିବିଧି ଉପରେ ଭାରତ ସରକାର ତୀକ୍ଷ୍ଣ ନଜର ରଖିଛନ୍ତି। ବର୍ତ୍ତମାନର ପରିସ୍ଥିତିକୁ ଦୃଷ୍ଟିରେ ରଖି ଯେଉଁ ଭାରତୀୟ ନାଗରିକଙ୍କ ଉପସ୍ଥିତି ସେଠାରେ ଜରୁରୀ ନୁହେଁ ସେମାନଙ୍କୁ ଯଥାଶୀଘ୍ର ଦେଶ ଛାଡ଼ିବାକୁ ପରାମର୍ଶ ଦିଆଯାଇଛି’।
‘ସେମାନେ ମନେ ରଖିବା ଉଚିତ ଯେ ବର୍ତ୍ତମାନ ଆକାଶପଥ ବନ୍ଦ ରହିଛି। ସ୍ଥଳ ସୀମା ଦେଇ ଯିବା ସମୟରେ ନିରାପତ୍ତା ସୁନିଶ୍ଚିତ କରିବା ପାଇଁ ଯଥେଷ୍ଟ ସତର୍କତା ଅବଲମ୍ବନ କରିବା ଜରୁରୀ। ଯେଉଁମାନେ ଆଗାମୀ ଦିନରେ ନାଇଜର ଯାତ୍ରା କରିବାକୁ ଯୋଜନା କରୁଛନ୍ତି ସେମାନଙ୍କୁ ମଧ୍ୟ ପରିସ୍ଥିତି ସ୍ୱାଭାବିକ ନ ହେବା ପର୍ଯ୍ୟନ୍ତ ସେମାନଙ୍କ ଯାତ୍ରା ଯୋଜନାର ପୁନର୍ବିଚାର କରିବାକୁ ପରାମର୍ଶ ଦିଆଯାଉଛି’।
ନାଇଜରରେ ପ୍ରାୟ ୨୫୦ ଭାରତୀୟ ନାଗରିକ ଅଛନ୍ତି ବୋଲି ଉଲ୍ଲେଖ କରି ସେ କହିଛନ୍ତି, ‘ଆମେ ଚାହୁଁଛୁ ସମସ୍ତେ ପଞ୍ଜୀକରଣ କରନ୍ତୁ। ସେମାନେ ସୁରକ୍ଷିତ ଅଛନ୍ତି ବୋଲି ଆମକୁ କୁହାଯାଇଛି। ଆମ ଦୂତାବାସ ସେମାନଙ୍କୁ ଦେଶ ଛାଡିବା ପାଇଁ ଲଜିଷ୍ଟିକ୍ସର ସୁବିଧା କରିବାକୁ ଚେଷ୍ଟା କରୁଛି। ବର୍ତ୍ତମାନ ଆକାଶ ମାର୍ଗ ବନ୍ଦ ରହିଛି ଏବଂ ସ୍ଥଳ ସୀମା ଦେଇ ଯାତ୍ରା କରିବା କଷ୍ଟକର। ତଥାପି ଆମେ ସହାୟତା ଯୋଗାଇ ଦେବାକୁ ଯଥାସମ୍ଭବ ଚେଷ୍ଟା କରୁଛୁ’।