Onn 3

ଭାରତୀୟ ଆଦିବାସୀ ଭୂମିଜ ସମାଜ ପକ୍ଷରୁ ବିରାଟ ବିକ୍ଷୋଭ ପ୍ରଦର୍ଶନ

State
ବାରିପଦା: ଭାରତୀୟ ଆଦିବାସୀ ଭୁମିଜ ସମାଜ, ମୟୂରଭଞ୍ଜ ତରଫରୁ ୮ ଦଫା ଦାବି ନେଇ ବିରାଟ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି। ଜିଲ୍ଲାର ବିଭିନ୍ନ ଅଞ୍ଚଳରୁ ହଜାର ହଜାର ସଂଖ୍ୟାରେ ଷ୍ଟେସନ ବଜାର ସ୍ଥିତ ଖେଳ ପଡିଆରେ ଏକତ୍ରିତ ହେବା ପରେ ଓଡ଼ିଶା ସରକାର କିଭଳି ଭୁମିଜ ମାନଙ୍କ ପ୍ରତି ଚରମ ଅବହେଳା ଓ ପ୍ରତାରଣା କରୁଛନ୍ତି ତାହା ଆଲୋଚନା କରିଥିଲେ । ଓଡ଼ିଶା ସରକାର ଓଡ଼ିଶାରେ ଆଦିବାସୀ ମାନଙ୍କର ଶିକ୍ଷାର ବିକାଶ ପାଇଁ ଅଧିବାସୀ ଛାତ୍ରଛାତ୍ରୀ ବହୁଳ ବିଦ୍ୟାଳୟମାନଙ୍କରେ ବହୁଭାଷୀ ଶିକ୍ଷଣ ପ୍ରକ୍ରିୟା ସାମିଲ କରିଛନ୍ତି । ଏଥିରେ ୨୧ଟି ଆଦିବାସୀ ଭାଷାକୁ ସାମିଲ କରିଛନ୍ତି କିନ୍ତୁ ଭୁମିଜ ଭାଷାକୁ ଜାଣିଶୁଣି ସାମିଲ କଲେ ନାହିଁ । ଓଡ଼ିଶାର ବିଭିନ୍ନ ଜିଲ୍ଲାରେ ଲକ୍ଷ୍ୟ ଲକ୍ଷ୍ୟ ସଂଖ୍ୟାରେ ଭୁମିଜ ଆଦିବାସୀମାନେ ବାସକରୁଛନ୍ତି । ତାଙ୍କଠାରୁ କମ୍ ସଂଖ୍ୟା ଥିବା ଆଦିବାସୀ ମାନଙ୍କର  ଭାଷାକୁ (MLE) ରେ ସାମିଲ କରୁଛନ୍ତି ।  ଏହା ବିରୋଧରେ ବହୁବାର ଦୃଢ଼ ପ୍ରତିବାଦ ସହିତ ଜିଲ୍ଲାପାଳ, ବିଭାଗୀୟ ମନ୍ତ୍ରୀ, ମୁଖ୍ୟ ଶାସନ ସଚିବ ଏବଂ ରାଜ୍ୟପାଳଙ୍କୁ ଦାବିପତ୍ର ପ୍ରଦାନ କରାଯାଇଥିଲେ ମଧ୍ୟ ସରକାର ଭ୍ରୁକ୍ଷେପ କରିନଥିଲେ । ବିଧାନ ସଭାରେ ବିଭାଗୀୟ ମନ୍ତ୍ରୀ ଭୁମିଜ ଭାଷାକୁ ସାମିଲ କରାଯାଇଛି ବୋଲି ବିବୃତି ରଖିଥିଲେ କିନ୍ତୁ ଏହା ମିଥ୍ୟା ବିବୃତି ଥିଲା । ମାନ୍ୟବର ମୁଖ୍ୟମନ୍ତ୍ରୀ ବହୁବାର ସମ୍ବିଧାନର ଅଷ୍ଟମ ଅନୁସୂଚୀରେ ଭୁମିଜ ଭାଷାକୁ ସାମିଲ କରିବା ପାଇଁ କେନ୍ଦ୍ର ସରକାରଙ୍କୁ ପତ୍ର ଲେଖି ସୁପାରିଶ କରିଛନ୍ତି କିନ୍ତୁ ନିଜେ ନିଜ ରାଜ୍ୟରେ କାହିଁକି ଭୁମିଜ ଭାଷାକୁ ବହୁଭାଷୀ ଶିକ୍ଷଣ କାର୍ଯ୍ୟକ୍ରମ (MLE) ରେ ସାମିଲ କରୁନାହାନ୍ତି ବୁଝା ପଡୁ ନାହିଁ । ଏହା ସରକାରଙ୍କ କି ପ୍ରକାର ବିଚିତ୍ର ନୀତି ଜଣା ପଡୁନାହିଁ । ନିଜେ ଲାଗୁ ନକରି ଅନ୍ୟକୁ ସୁପାରିଶ କରିବା ପାଇଁ ଲେଖିବା ଏକ ଦୁର୍ଭାଗ୍ୟ ବିଷୟ ।
ଏଥର ଯଦି ସରକାର ଭୁମିଜ ଭାଷାକୁ ବହୁଭାଷୀ ଶିକ୍ଷଣ ପ୍ରକ୍ରିୟାରେ ସାମିଲ ପାଇଁ କୌଣସି ପଦକ୍ଷେପ ନ ନିଅନ୍ତି ତେବେ ଆଗାମୀ ଦିନରେ ବାଲେଶ୍ୱର ଜିଲ୍ଲାପାଳ, ଭୁବନେଶ୍ୱର ଆଦି ସ୍ଥାନରେ ଦୃଢ଼ ପ୍ରତବାଦ କରାଯିବ । ଆବଶ୍ୟକ ହେଲେ ହିଂସାତ୍ମକ କର୍ଯ୍ୟଗ୍ରହଣ କରାଯିବ ସେଥି ପାଇଁ ସରକାର ଦାୟୀ ରହିବେ ।
ଏହା ପରେ ଷ୍ଟେସନ ବଜାର ଖେଳ ପଡ଼ିଆରୁ ଏକ ବିଶାଳ ପଦଯାତ୍ରା ଆରମ୍ଭ କରାଯାଇ ଜିଲ୍ଲାପାଳ, ମୟୂରଭଞ୍ଜ ଙ୍କୁ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ନିମ୍ନ ୮ ଦଫା ଦାବିପତ୍ର ପ୍ରଦାନ କରାଯାଇଥିଲା :-
୧- ଭୁମିଜ ଭାଷାରେ ବହୁଭାଷୀ ଶିକ୍ଷକ ନିଯୁକ୍ତ କରିବା ।
୨ – ଭୁମିଜ ଭାଷାକୁ ଦ୍ବିତୀୟ ସରକାରୀ ଭାଷାର ମାନ୍ୟତା ପ୍ରଦାନ କରିବା
୩ – ଭୁମିଜ ଭାଷାକୁ ସମ୍ବିଧାନର ଅଷ୍ଟମ ଅନୁସୂଚୀରେ ସାମିଲ କରିବା ।
୪ – ଭୁମିଜ ସଂସ୍କୃତିକୁ ସୁରକ୍ଷା କରିବା ।
୫ – ଭୁମିଜମାନଙ୍କର ପୁଜସ୍ଥଳ ଗୁଡ଼ିକର ସୁରକ୍ଷା ଓ ବିକାଶ କରିବା ।
୬ – ଭୁମିଜ ସାଂସ୍କୃତିକ ସଂଗ୍ରାହଳୟ ନିର୍ମାଣ କରିବା ।
୭ – ଭୁମିଜ ସ୍ଵାଧୀନତା ସଂଗ୍ରାମୀ ଓ ଚହାଳ ବିଦ୍ରୋହr ମହାନାୟକ ସହୀଦ ରଘୁନାଥ ସିଂ ଙ୍କୁ ଉପଯୁକ୍ତ ସମ୍ମାନ ଦେବା ।
୮ – ଭାଦ୍ରବ ମାସ ବଡ଼ ଏକାଦଶୀକୁ କରମ ପୂଜା ନାମରେ ସରକାରୀ ଛୁଟି ଘୋଷଣା କରିବା ।
ପି.ସି.ସି ସଭାପତି ଶ୍ରୀଯୁକ୍ତ ଶରତ ପଟ୍ଟନାୟକ ବାଲେଶ୍ୱର ଗୋଲେଇ ନିକଟରେ ପଦଯାତ୍ରୀଙ୍କୁ ସ୍ଵାଗତ କରିଥିଲେ ଏବଂ ଆଗାମୀ ଦିନରେ ଉକ୍ତ ଦାବୀ ଗୁଡ଼ିକୁ ନେଇ ବିଧାନସଭାରେ ଆଲୋଚନା କରିବା ସହିତ ଦାବୀ ପୂରଣ ପାଇଁ ପଦକ୍ଷେପ ନେବେ ବୋଲି ପ୍ରତିଶୃତି ଦେଇଥିଲେ।
ଓଡ଼ିଶା ଦଳିତ ଆଦିବାସୀ ମହାସଂଘର ସଭାପତି ଶ୍ରୀଯୁକ୍ତ ରାକେଶ ସିଂ ମଧ୍ୟ ବିକ୍ଷୋଭ ପଦଯାତ୍ରୀଙ୍କୁ ଉଦବୋଧନ ଦେଇଥିଲେ । ଉଦବୋଧନରେ ପ୍ରକାଶ କରିଥିଲେ କି ଭୁମିଜମାନଙ୍କର ଆନ୍ଦୋଳନକୁ ପୂର୍ଣ୍ଣ ସମର୍ଥନ କରୁଛୁ ଏବଂ ଦାବୀ ହାସଲ ଦିଗରେ ସବୁପ୍ରକାର ପୂର୍ଣ୍ଣ ସହଯୋଗ କରିବା  ସହିତ ସାଙ୍ଗରେ ଠିଆ ହେବେ ବୋଲି ପ୍ରତିଶୃତି ଦେଇଥିଲେ ।
ଏହି ବିକ୍ଷୋଭ ପ୍ରଦର୍ଶନରେ ରାଜ କୁମାର ସିଂ , ପ୍ରେସିଡେଣ୍ଟ ଭାରତୀୟ ଆଦିବାସୀ ଭୁମିଜ ସମାଜ, ମୟୂରଭଞ୍ଜ, ମଙ୍ଗୁ ସିଂ, ଭାରତୀୟ ଆଦିବାସୀ ଭୁମିଜ ସମାଜ କେନ୍ଦ୍ରୀୟ କମିଟି ସଦସ୍ୟ, ପାଇକ ସିଂ , ଭାରତୀୟ ଆଦିବାସୀ ଭୁମିଜ ସମାଜ କେନ୍ଦ୍ରୀୟ କମିଟି ସଦସ୍ୟ, ଗିତାମଣୀ ସିଂ , ଉପ ସଚିବ ଭାରତୀୟ ଆଦିବାସୀ ଭୁମିଜ ସମାଜ କେନ୍ଦ୍ରୀୟ କମିଟି, ନୀଳକଣ୍ଠ ସିଂ , ସେକ୍ରେଟାରୀ ଭାରତୀୟ ଆଦିବାସୀ ଭୁମିଜ ସମାଜ ଓଡ଼ିଶା ପ୍ରମୁଖ ଉପସ୍ଥିତ ଥିଲେ |