Onn 3

ଖୁବଶୀଘ୍ର ମଣିପୁରରେ ଶାନ୍ତିର ସୂର୍ଯ୍ୟୋଦୟ ହେବ : ମୋଦୀ

National & International

ନୂଆଦିଲ୍ଲୀ : ଲୋକସଭାରେ ବିରୋଧୀଙ୍କ ଅନାସ୍ଥା ପ୍ରାସ୍ତାବର ଜବାବ ରଖିବାବେଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମଣିପୁର ହିଂସା ପ୍ରସଙ୍ଗରେ ନିଜର ବୟାନ ରଖିଛନ୍ତି । ଏକ କୋର୍ଟ ରାୟ କାରଣରୁ ଏହି ହିଂସା ଆରମ୍ଭ ହୋଇଥିଲା । କେନ୍ଦ୍ର ସରକାର ହିଂସାର ଅବସାନ ପାଇଁ ପଦକ୍ଷେପ ନେଉଛନ୍ତି ଓ ଖୁବଶୀଘ୍ର ଶାନ୍ତି ବିରାଜମାନ କରିବ ।
ମଣିପୁର ପ୍ରସଙ୍ଗରେ ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି ଯେ ଅମିତ ଶାହା ଗତକାଲି ଗୃହରେ ମଣିପୁର ବିଷୟରେ ବିସ୍ତୃତ ଭାବେ ବର୍ଣ୍ଣନା କରିଥିଲେ। ମଣିପୁର ପ୍ରସଙ୍ଗରେ ଆଲୋଚନାରୁ ଦୂରେଇ ଯାଉଛନ୍ତି ବିରୋଧୀ । ଆମେ ଆଲୋଚନା ବିଷୟରେ ଆଲୋଚନା କରିଥିଲୁ। ଖୁବଶୀଘ୍ର ମଣିପୁରରେ ଶାନ୍ତିର ସୂର୍ଯ୍ୟ ଉଦୟ ହେବ । ଦେଶ ମଣିପୁରବାସୀ, ଭଉଣୀ ଓ ଝିଅମାନଙ୍କ ସହିତ ରହିଛି।
ମୁଁ ମଣିପୁର ଲୋକଙ୍କୁ ବିଶ୍ବାସ ଦେବାକୁ ଚାହୁଁଛି ଯେ ସେଠାରେ ଖୁବଶୀଘ୍ର ଶାନ୍ତି ପ୍ରତିଷ୍ଠା ହେବ । ମଣିପୁର ପୁଣି ଥରେ ବିକାଶ ପଥରେ ଆଗକୁ ବଢିବ ।
ଇନ୍ଦିରା ଗାନ୍ଧିଙ୍କ ସମୟରେ ମିଜୋରାମରେ ବାୟୁସେନା ମାଧ୍ୟମରେ ସାଧାରଣ ଲୋକମାନଙ୍କ ଉପରେ ବୋମା ମାଡ଼ କରାଯାଇଥିଲା । ମିଜୋରାମ ଲୋକ କଣ ଭାରତୀୟ ନଥିଲେ ? ସେଠାକାର ଲୋକ ଆଜି ମଧ୍ୟ ମାର୍ଚ୍ଚ ୫କୁ ଶୋକ ଦିବସ ପାଳନ କରୁଛନ୍ତି । ୧୯୬୨ ଭାରତ-ଚୀନ ଯୁଦ୍ଧ ବେଳେ ତତକାଳୀନ ପ୍ରଧାନମନ୍ତ୍ରୀ ଜବାହରଲାଲ ନେହେରୁ ଆସାମବାସୀଙ୍କୁ ତାଙ୍କ ଅବସ୍ଥା ଭୋଗିବାକୁ ଛାଡ଼ିଦେଇଥିଲେ ।
ଉତ୍ତର-ପୂର୍ବ ରାଜ୍ୟମାନଙ୍କ ପ୍ରତି କଂଗ୍ରେସ ସବୁବେଳେ ଅବହେଳା କରିଆସିଛି । କିନ୍ତୁ ତାଙ୍କ ସରକାରଙ୍କ ଅମଳରେ ସବୁବେଳେ ଉତ୍ତର-ପୂର୍ବ ବିକାଶ ଉପରେ ଗୁରୁତ୍ବ ଦିଆଯାଉଛି । ଉତ୍ତର-ପୂର୍ବ ରାଜ୍ୟଗୁଡ଼ିକୁ ଦକ୍ଷିଣ-ପୂର୍ବ ଏସିଆ ସହ ଯୋଡ଼ିବାକୁ ଉଦ୍ୟମ କରାଯାଉଛି । ଏଣୁ ଆଗାମୀ ଦିନରେ ଏହି ଅଂଚଳ ବିକାଶ କେନ୍ଦ୍ର ହେବ ।
ଉତ୍ତର-ପୂର୍ବାଞ୍ଚଳରେ ଆଜି ଯେଉଁ ଅସନ୍ତୋଷ ଦେଖାଯାଉଛି ତାହାର ଜନନୀ ହେଉଛି କଂଗ୍ରେସ । ମଣିପୁରର ସମସ୍ୟାକୁ ଆଜିର ସମସ୍ୟା ବୋଲି ଦେଖାଯାଉଛି । ଦିନ ଥିଲା ମଣିପୁରର ସବୁ ସମସ୍ୟା ଉଗ୍ରବାଦୀଙ୍କ ଅନୁସାରେ ଚାଲୁଥିଲା । ସେତେବେଳେ ମଣିପୁରରେ କଂଗ୍ରେସର ଶାସନ ଥିଲା ।