ବାରିପଦା: ମୟୂରଭଞ୍ଜ ଜିଲ୍ଲା ପରିବେଶ ସମିତି ଉପାଧ୍ୟକ୍ଷ ସନ୍ତୋଷ ମହାନ୍ତି ଏକ ପ୍ରେସ ବିବୃତ୍ତିରେ ଜଣାଇଛନ୍ତି ଯେ ତାଙ୍କର ୪୦ ରୁ ୪୫ ବର୍ଷ ଦୀର୍ଘ ସମୟ ଧରି ଶିମିଳିପାଳକୁ ଅନୁଧ୍ୟାନ କରିବାର ସୁଯୋଗକୁ ଭିତ୍ତି କରି କହିଛନ୍ତି ଯେ ଚଳିତ ବାଘ ଗଣନାରେ ବାଘ ସଂଖ୍ୟା ୨୦କୁ ଖସି ଆସିବା ଉଦବେଗର ବିଷୟ କାରଣ ଶିମିଳିପାଳ କୋର ଅଞ୍ଚଳ ଘନ ବନାଞ୍ଚଳରେ ବାସ କରୁଥିବା ବାଘ ସଂଖ୍ୟାକୁ ବିଚାର କଲେ ୨ ରୁ ୪ ବର୍ଗ କିଲୋମିଟର ପରିଧି ମଧ୍ୟରେ ଗୋଟିଏ ବାଘ ଅନାୟସରେ ବାସ କରିଥାଏ । ଏହା ହିସାବକୁ ନେଲେ ଶିମିଳିପାଳରେ ସର୍ବାଧିକ ୩୦୦ ଓ ସର୍ବନିମ୍ନ ୨୦୦ ବାଘ ରହିବା କଥା କିନ୍ତୁ ଘଞ୍ଚ ଜଙ୍ଗଲରେ ଲଗାଯାଇଥିବା କ୍ୟାମେରା ଲେନ୍ସରେ ମାତ୍ର ୨୦ ଟି ବାଘର ଫୋଟ ଆସିଛି । ଅନ୍ୟ ପକ୍ଷରେ ବନ ବିଭାଗ କର୍ମଚାରୀଙ୍କ ଦ୍ୱାରା ଯେଉଁ ପରିମାଣରେ କ୍ୟାମେରା ଲଗାଯାଇଛି ସେଠାରେ ମଣିଷ ଶରୀରର ବାସ୍ନା ରହୁଥିବାରୁ ସବୁ ବାଘ କ୍ୟାମେରା ନିକଟକୁ ଆସିବାକୁ ଉଚିତ୍ ମନେ କରି ନ ଥାନ୍ତି । ସେହିପରି ମଧ୍ୟପ୍ରଦେଶର କାହ୍ନା ଓ ବାନ୍ଧବାଗଡ ଜାତୀୟ ଉଦ୍ୟାନ ମଧ୍ୟରେ ମନୁଷ୍ୟ ବସତି ବା ଗତାଗତ ନ ଥିବାରୁ ସେମାନେ ନିର୍ଭୟରେ ପର୍ଯ୍ୟଟକଙ୍କ ଦ୍ୱାରା ଦେଖାଯାଇଥାନ୍ତି ଯାହାକି ଶିମିଳିପାଳ କ୍ଷେତ୍ରରେ ସଂପୂର୍ଣ୍ଣ ଅସମ୍ଭବ । ଆଉ ଏକ ହିସାବ ଅନୁସାରେ ମୟୂରଭଞ୍ଜ ବନଖଣ୍ଡର ବିଭିନ୍ନ ବନାଞ୍ଚଳ ଦାୟିତ୍ୱରେ ଥିବା ବନାଞ୍ଚଳ ଅଧିକାରୀ ଲକ୍ଷ୍ମୀଧର ବେହେରା ୨୦୨୦ ମସିହାରୁ ଏଯାବତ ୩୫ଟି ବାଘ ଚମଡା ଜବତ କରିବା ସମ୍ଭବପର ହୋଇଛି ।
ଅନ୍ୟ ଏକ ହିସାବରେ ମୟୂରଭଞ୍ଜ ବନ ବିଭାଗ, ସ୍ୱତନ୍ତ୍ର କାର୍ଯ୍ୟବଳ ଓ ପୋଲିସ ବିଭାଗ ସ୍ଥାନୀୟ ସ୍ୱେଚ୍ଛାସେବୀଙ୍କ ସହାୟତାର ୨୫ଟି ବାଘ ଚମଡା ଜବତ କରାଯାଇପାରିଛି । ହେଳେ ବି ଶିମିଳିପାଳରେ ବର୍ତ୍ତମାନ୧୦୦ଟି ବାଘ ରହିବା କଥା । ଡଃ ପଦ୍ମଶ୍ରୀ ସରୋଜରାଜ ଚୌଧୁରୀ ଖଇରୀ ବାଘୁଣୀ ସମ୍ପର୍କରେ ସେ ସମୟରେ ପକ୍ଷୀ ବିଶାରଦ ଡଃ ସଲିମ ଅଲ୍ଲିଙ୍କୁ ୧୦୦ ପୃଷ୍ଟା ବିଶିଷ୍ଟ ମନଗ୍ରାଫ୍ ଅଫ୍ ଖଇରୀ ନାମରେ ଏକ ଟାଇପ ପୁସ୍ତିକା ପ୍ରଦାନ କରିଥିଲେ । ସେଥିରେ ଉଲ୍ଳେଖ ଥିଲା ଯେ ସେ ଖଇରୀ ଶିମିଳିପାଳ ଖୋଲା ଛାଡି ଦେଇ ତାହାର ପ୍ରଜନନ ପାଇଁ ଚେଷ୍ଟା କରିବା ସହିତ ଖଇରୀର ପଶ୍ଚାତଧାବନ କରିଥିଲେ ମଧ୍ୟ ସେଥିରେ ସଫଳ ହୋଇ ପାରି ନ ଥିଲେ ।
ଏହି ସବୁ ପରିସ୍ଥିତିରେ ଶିମିଳିପାଳର ଭୌଗଳିକ ସ୍ଥିତିକୁ ଦୃଷ୍ଟିରେ ରଖି କେନ୍ଦ୍ର ତଥା ରାଜ୍ୟ ସରକାର ଆର୍ନ୍ତଜାତୀୟ ଓ ଜାତୀୟ ଜୀବ ବିଜ୍ଞାନୀଙ୍କୁ ନେଇ ଏକ କମିଶନ ଗଠନ କରିବା ସହିତ ଶିମିଳିପାଳର ବାଘ ସଂଖ୍ୟା ହ୍ରାସ ଓ ବୃଦ୍ଧିର କାରଣ ନିରାକରଣ ପାଇଁ ଗୁରୁତର ସହିତ କାର୍ଯ୍ୟକ୍ରମ ଗ୍ରହଣ କରିବା ଦରକାର ଏବଂ ଏହି କମିଶନ କେନ୍ଦ୍ର ସରକାର, ଜାତୀୟ ବ୍ୟାଘ୍ର ସଂରକ୍ଷଣର ପ୍ରାଧୀକରଣ ଓ ରାଜ୍ୟ ସରକାରଙ୍କୁ ରିପୋର୍ଟ ଦେବାର ଆବଶ୍ୟକତା ରହିଛି ।