Onn 3

ପଶ୍ଚିମବଙ୍ଗରେ ହେବ ମଦ୍ରାସା ସର୍ଭେ, ବଢିବ ଅନୁଦାନ, ଘୋଷଣା କଲେ ମମତା ବାନାର୍ଜୀ

National & International

କୋଲକାତା : ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଘୋଷଣା କରିଛନ୍ତି ଯେ ସାରା ରାଜ୍ୟରେ ଏକ ସର୍ଭେ କରାଯିବ, ଯେଉଁଥିରେ ମଦ୍ରାସାଗୁଡ଼ିକର ପଞ୍ଜୀକରଣ କରାଯିବ। ତେବେ ଯେଉଁ ମଦ୍ରାସାମାନେ ସରକାରଙ୍କ ନିକଟରେ ପଞ୍ଜୀକୃତ ହେବାକୁ ଚାହୁଁଛନ୍ତି ସେମାନେ ଏହି ସର୍ଭେରେ ଅଂଶଗ୍ରହଣ କରି ଏହା କରିପାରିବେ ।
ମମତା ବାନାର୍ଜୀ କହିଛନ୍ତି ଯେ ପଂଜୀକରଣ ଦ୍ୱାରା ମଦ୍ରାସାଗୁଡ଼ିକ ବହୁତ ଉପକୃତ ହେବେ । ଏହା ମାଧ୍ୟମରେ ମୁସଲମାନ ପୁଅ ଝିଅମାନେ ଅଧିକ ଚାକିରି ଓ ପାଠପଢ଼ାରେ ଅନେକ ସୁବିଧା ପାଇପାରିବେ । ତେବେ ଯେଉଁ ମଦ୍ରାସାମାନେ ଏହି ପ୍ରକ୍ରିୟାରେ ଭାଗ ନେବାକୁ ଚାହୁଁଛନ୍ତି ସେମାନେ ଅଂଶଗ୍ରହଣ କରିପାରିବେ ଏବଂ ଯେଉଁମାନେ ମଦ୍ରାସାରେ ଯୋଗ ଦେବାକୁ ଚାହୁଁନାହାଁନ୍ତି ସେମାନେ ଆସନ୍ତୁ ନାହିଁ ।
ସେ କହିଛନ୍ତି ଯେ ଖରେଜି ମଦ୍ରାସା ( ଯେଉଁ ମଦ୍ରାସାଗୁଡ଼ିକ ନିଜସ୍ବ ପାଠ୍ୟକ୍ରମ ଲାଗୁ କରନ୍ତି ) ଗୁଡ଼ିକର ବିକାଶ ପାଇଁ ଏକ କମିଟି ଗଠନ କରାଯିବ । ଏହା ସହିତ ୭୨୦ ଅଣ-ଅନୁଦାନ ପ୍ରାପ୍ତ ମଦ୍ରାସାକୁ ସ୍ବୀକୃତି ଦିଆଯିବ ।
ଅନ୍ୟପକ୍ଷରେ ସେ ଘୋଷଣା କରିଛନ୍ତି ଯେ ଆସନ୍ତା ଅଗଷ୍ଟ ୬ ତାରିଖ ଦିନ ୧୨ଟାରୁ ଅପରାହ୍ନ ୪ଟା ପର୍ଯ୍ୟନ୍ତ ସହରରେ ବ୍ଲକସ୍ତରରୁ ଆରମ୍ଭ କରି ୱାର୍ଡ ସ୍ତର ପର୍ଯ୍ୟନ୍ତ କେନ୍ଦ୍ର ସରକାରଙ୍କ ନୀତି ବିରୋଧରେ ସମଗ୍ର ପଶ୍ଚିମବଙ୍ଗରେ ବିକ୍ଷୋଭ ପ୍ରଦର୍ଶନ କରାଯିବ। ଏହା ଏକ ରାଜନୈତିକ ନିଷ୍ପତ୍ତି ହେବ ଏବଂ କେନ୍ଦ୍ରର ମୋଦୀ ସରକାରଙ୍କ ବିରୋଧରେ ପ୍ରତିବାଦ କରାଯିବ ।