Onn 3

ଏଏସଓ ନିଯୁକ୍ତି ପରୀକ୍ଷା: ରିଭ୍ୟୁ ପିଟିସନ ଖାରଜ, ପୂର୍ବ ରାୟ କାଏମ ରଖିଲେ ହାଇକୋର୍ଟ

State

ଭୁବନେଶ୍ୱର: ଓଡ଼ିଶା ଲୋକସେବା ଆୟୋଗ (ଓପିଏସସି) ଦ୍ୱାରା ପରିଚାଳିତ ସହକାରୀ ସେକ୍ସନ ଅଫିସର (ଏଏସଓ) ନିଯୁକ୍ତି ପରୀକ୍ଷାରେ ହୋଇଥିବା ଅନିୟମିତତା ସମ୍ପର୍କିତ ରିଭ୍ୟୁ ଓ ରିଟ୍ ପିଟିସନ୍କୁ ସୋମବାର ଓଡ଼ିଶା ହାଇକୋର୍ଟ ଖାରଜ କରିଦେଇଛନ୍ତି। ନୂଆ ମେରିଟ୍ ଲିଷ୍ଟ ପ୍ରକାଶ ପାଇଁ ପୂର୍ବରୁ ଦେଇଥିବା ନିର୍ଦ୍ଦେଶକୁ କାଏମ ରଖିଛନ୍ତି ରାଜ୍ୟର ସର୍ବୋଚ୍ଚ ନ୍ୟାୟାଳୟ।

ପୂର୍ବରୁ ଓପିଏସସି ପକ୍ଷରୁ ସର୍ଟଲିଷ୍ଟ ହୋଇଥିବା କିଛି ପ୍ରାର୍ଥୀଙ୍କ ରିଭ୍ୟୁ ଓ ରିଟ୍ ପିଟିସନର ଶୁଣାଣି କରି ହାଇକୋର୍ଟ ସେମାନଙ୍କୁ ଅଗ୍ରାହ୍ୟ କରିବା ସହ ଦୁଇ ମାସ ମଧ୍ୟରେ ନୂଆ ମେରିଟ୍ ଲିଷ୍ଟ ପ୍ରସ୍ତୁତ କରିବାକୁ ଓପିଏସସିକୁ ଦେଇଥିବା ପୂର୍ବ ନିର୍ଦ୍ଦେଶକୁ କାଏମ ରଖିଛନ୍ତି।

ଉଲ୍ଲେଖଯୋଗ୍ୟ, ଜୁଲାଇ ୧୩ ତାରିଖରେ ସର୍ଟଲିଷ୍ଟ ପ୍ରାର୍ଥୀଙ୍କ ପକ୍ଷରୁ ଦାୟର ରିଭ୍ୟୁ ପିଟିସନ୍ ଉପରେ ହାଇକୋର୍ଟ ଶୁଣାଣି କରିଥିଲେ ମଧ୍ୟ ରାୟ ସଂରକ୍ଷିତ ରଖିଥିଲେ।

ଓପିଏସସି ପକ୍ଷରୁ ୨୦୨୨ ଅଗଷ୍ଟ ୨୭ରେ ନିଯୁକ୍ତି ପରୀକ୍ଷା ଅନୁଷ୍ଠିତ ହୋଇଥିଲା। ୨୦୨୨ ନଭେମ୍ବର ୭ରେ ଓଡ଼ିଶା ସଚିବାଳୟ ସେବା ଅଧୀନରେ ଥିବା ୭୯୬ (୨୬୫ ମହିଳା) ଏଏସ୍ଓ ପଦବୀ ପାଇଁ ଲିଖିତ ପରୀକ୍ଷା ଫଳ ପ୍ରକାଶ ପାଇଥିଲା।

ଓଡ଼ିଶା ସଚିବାଳୟ ସେବାରେ ଗ୍ରୁପ୍-ବି ପଦବୀ ପାଇଁ ୧୧୦୪ ଜଣ ପ୍ରାର୍ଥୀ ଅସ୍ଥାୟୀ ତାଲିକାରେ ସ୍ଥାନ ପାଇ ଡକ୍ୟୁମେଣ୍ଟ ଭେରିଫିକେସନ୍ ଓ ସ୍କିଲ୍ ଟେଷ୍ଟ ପାଇଁ ସର୍ଟଲିଷ୍ଟ ହୋଇଥିବା ବେଳେ ଚୟନ ପ୍ରକ୍ରିୟାରେ ବ୍ୟାପକ ଅନିୟମିତତା ହୋଇଥିବା ନେଇ ହଜାର ହଜାର ଆଶାୟୀ ଅଭିଯୋଗ କରିଥିଲେ।

ସେହିପରି କଟକ ସ୍ଥିତ ଓଡ଼ିଶା ଲୋକସେବା ଆୟୋଗ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି। ଅନିୟମିତତା ଅଭିଯୋଗ କରି ଆଶାୟୀ ପ୍ରାର୍ଥୀମାନେ ହାଇକୋର୍ଟରେ ଆବେଦନ କରିଥିଲେ।

ହାଇକୋର୍ଟ ମେ ୧୯, ୨୦୨୩ରେ ଓପିଏସସି ପ୍ରସ୍ତୁତ କରିଥିବା ମେରିଟ୍ ଲିଷ୍ଟକୁ ରଦ୍ଦ କରି ଦୁଇ ମାସ ମଧ୍ୟରେ ନୂଆ ମେରିଟ୍ ଲିଷ୍ଟ ପ୍ରସ୍ତୁତ କରିବାକୁ ନିର୍ଦ୍ଦେଶ ଦେଇଥିଲେ।

ପରବର୍ତ୍ତୀ ସମୟରେ ଏହି ମାମଲାରେ ସର୍ଟଲିଷ୍ଟ ପ୍ରାର୍ଥୀଙ୍କୁ ପକ୍ଷଭୁକ୍ତ ନକରି ଗତ ୧୯ ତାରିଖରେ ଏହି ନିର୍ଦ୍ଦେଶ ଦିଆଯାଇଥିବା ଦର୍ଶାଇ ହାଇକୋର୍ଟରେ ଏକ ନୂଆ ରିଭ୍ୟୁ ପିଟିସନ୍ ଦାଖଲ କରାଯାଇଥିଲା।