Onn 3

ଅମରନାଥ ଯାତ୍ରା ପରେ ଦୁଇ ବିଦେଶୀଙ୍କ ପୂରା ହେଲା ୪୦ବର୍ଷ ପୂର୍ବରୁ ଦେଖିଥିବା ସ୍ବପ୍ନ

National & International

ନୂଆଦିଲ୍ଲୀ: ଚଳିତବର୍ଷ ଯେବେଠାରୁ ଅମରନାଥ ଯାତ୍ରା ଆରମ୍ଭ ହୋଇଛି ସେହିଦିନ ଠାରୁ ଆରମ୍ଭ କରି ଏଯାବତ ୩ଲକ୍ଷ ୬୦ହଜାର ଭକ୍ତ ଅମରନାଥ ବାବାଙ୍କ ଦର୍ଶନ କରି ସାରିଥିବା ଜଣାପଡ଼ିଛି। ଏଥିରେ ଦୁଇଜଣ ଆମେରିକୀୟ ନ‌ାଗରିକ ବି ସାମିଲ ଅଛନ୍ତି। ଏହି ଦୁଇ ବିଦେଶୀ ଭକ୍ତଙ୍କୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ‘ମନ୍ କି ବାତ୍‌’ର ୧୦୩ତମ ଅଧ୍ୟାୟରେ ମନେ ପକାଇଛନ୍ତି।
ଚଳିତ ଥର ‌ମୋଦୀ ‘ମନ୍ କି ବାତ୍‌’ରେ କହିଛନ୍ତି, ‘ଅଯୋଧ୍ୟା, ମଥୁରା, ଉଜ୍ଜୟିନୀ ଭଳି ତୀର୍ଥ କ୍ଷେତ୍ରଗୁଡ଼ିକୁ ଆସୁଥିବା ଶ୍ରଦ୍ଧାଳୁମାନଙ୍କ ସଂଖ୍ୟା ମଧ୍ୟ ଦ୍ରୁତ ଗତିରେ ବୃଦ୍ଧି ପାଉଛି । ସାରା ଦୁନିଆରୁ ଲୋକେ ଆମ ତୀର୍ଥକ୍ଷେତ୍ରଗୁଡ଼ିକୁ ଆସୁଛନ୍ତି । ଏହି କ୍ରମରେ ମୁଁ ଶୁଣିବାକୁ ପାଇଛି କି ଦୁଇଜଣ ଆମେରିକୀୟ ବନ୍ଧୁ କଲିଫର୍ଣ୍ଣିଆରୁ ଅମରନାଥ ଯାତ୍ରା କରିଛନ୍ତି । ଏହି ବିଦେଶୀ ଅତିଥିମାନେ ଅମରନାଥ ଯାତ୍ରା ସମ୍ପର୍କରେ ସ୍ୱାମୀ ବିବେକାନନ୍ଦଙ୍କ ଅନୁଭୂତି ବିଷୟରେ କେଉଁଠି ଶୁଣିଥିଲେ । ଏଥିରୁ ସେମାନେ ଏତେ ପ୍ରେରିତ ହୋଇଥିଲେ ଯେ, ସ୍ୱୟଂ ଅମରନାଥ ଯାତ୍ରା ପାଇଁ ଚାଲିଆସିଲେ । ଏହି ଯାତ୍ରାକୁ ସେମାନେ ଭଗବାନ ଭୋଳାନାଥଙ୍କ ଆଶୀର୍ବାଦ ବୋଲି ମନେ କରୁଛନ୍ତି । ଏହାହିଁ ଭାରତର ବିଶେଷତ୍ୱ ଯେ, ଆମ ଦେଶ ସମସ୍ତଙ୍କୁ ସ୍ୱୀକାର କରିବା ସହିତ କିଛି ନା କିଛି ଦେଇଥାଏ ।’
ଅମରନାଥ ଯାତ୍ରା କରିଥିବା ଆମେରିକାର ଏହି ଦୁଇ ନାଗରିକଙ୍କ କହିବାନୁସାରେ, ସେମାନେ କଲିଫର୍ଣ୍ଣିଆର ଏକ ମନ୍ଦିରର ଆଶ୍ରମରେ ବସବାସ କରନ୍ତି। ଅନେକ ବର୍ଷ ହେବ ଦୁହେଁ ଅମରନାଥ ଯାତ୍ରା ଆସିବାକୁ ଚିନ୍ତା କରୁଥିଲେ ହେଁ ତାହା ସମ୍ଭବ ହୋଇପାରୁ ନଥିଲା। ‌ତେଣୁ ସେମାନେ ପ୍ରତ୍ୟେକ ଦିନ ୟୁଟ୍ୟୁବରୁ ଆଳତି ଭିଡିଓ ଦେଖି ଥାଆନ୍ତି।
ଦୁଇ ଆମେରିକୀୟ ନାଗରିକ କହିଛନ୍ତି, ‘ଆମେ ଦୁହେଁ ସ୍ବାମୀ ବିବେକାନନ୍ଦଙ୍କ ଭକ୍ତ। ସ୍ବାମୀ ବିବେକାନନ୍ଦ ଅମରନାଥ ଯାତ୍ରାରେ ଆସିଥିଲେ। ଏହି ଯାତ୍ରା ସମୟରେ ତାଙ୍କୁ ଏକ ଅଦ୍ଭୁତ ଅନୁଭବ ହୋଇଥିଲା ବୋଲି ଆମେ ଶୁଣିବାକୁ ପାଇଥିଲୁ।
ଏହି ଘଟଣାକୁ ଶୁଣିବାର ୪୦ବର୍ଷ ହୋଇଗଲାଣି। ୪୦ବର୍ଷ ଧରି ଆମେ ବି ଅମରନାଥ ଯାତ୍ରା କରିବାକୁ ସ୍ବପ୍ନ ଦେଖିଥିଲୁ, ଯାହାକି ଆଜି ପୂରା ହୋଇଛି। ବାସ୍ତବରେ ଆମକୁ ଯେଭଳି ଅନୁଭବ ହେଉଛି ତାହାକୁ ଶବ୍ଦରେ ବଖ‌ାଣି ପାରିବୁ ନାହିଁ।’