Onn 3

୨୦୨୩ ଦିନିକିଆ ବିଶ୍ୱକପ୍‌ : ସମସ୍ତ ଷ୍ଟାଡିୟମ୍‌ର ଅନୁଧ୍ୟାନ ପାଇଁ ଭାରତରେ ଆଇସିସି ଦଳ

National & International sports

ନୂଆଦିଲ୍ଲୀ: ଭାରତରେ ଅକ୍ଟୋବର ୫ରୁ ନଭେମ୍ବର ୧୯ ପର୍ଯ୍ୟନ୍ତ ଦିନିକିଆ ବିଶ୍ବକପ୍‌ ଆୟୋଜନ ହେବ। ଏହି ବିଶ୍ବକପ୍‌ର ସମସ୍ତ ମ୍ୟାଚ୍‌ ୧୦ଟି ସହରରେ ଖେଳାଯିବ। ଏହି ୧୦ଟି ସହର ହେଲା- ଅହମ୍ମଦାବାଦ, ବେଙ୍ଗାଲୁରୁ, ଚେନ୍ନଇ, ଦିଲ୍ଲୀ, ଧର୍ମଶାଳା, ହାଇଦରାବାଦ, କଲକାତା, ଲକ୍ଷ୍ନୌ, ମୁମ୍ବଇ ଓ ପୁଣେ। ବିଶ୍ବକପ୍‌ ପୂର୍ବରୁ ଦଳମାନେ ସେପ୍ଟେମ୍ବର ୨୯ରୁ ଅକ୍ଟୋବର ୩ ପର୍ଯ୍ୟନ୍ତ ଗୁଆହାଟୀ ଓ ତିରୁୱନନ୍ତପୁରମ୍‌ରେ ଅଭ୍ୟାସ ମ୍ୟାଚ୍‌ ଖେଳିବେ। ବିଶ୍ବକପ୍‌ ଲାଗି ଏହି ୧୨ଟି ଷ୍ଟାଡିୟମ୍‌ର ପ୍ରସ୍ତୁତି ଏବଂ ଆନୁଷଙ୍ଗିକ ସୁବିଧା ସୁଯୋଗର ତଦାରଖ ଲାଗି ଆଇସିସିର ଏକ ଦଳ ଭାରତ ପହଞ୍ଚିଛି। ସମସ୍ତ ୧୨ଟି ଷ୍ଟାଡିୟମ୍‌ର ନବୀକରଣ କାମ ଚାଲିଥିବା ବେଳେ ଏହାର ଅନୁଧ୍ୟାନ କରିବେ ଆଇସିସିର ପ୍ରତିନିଧି।

ଆଇସିସି ପ୍ରତିନିଧି ଦଳରେ ନିରାପତ୍ତା, କାର୍ଯ୍ୟକ୍ରମ ଆୟୋଜନ ଓ ପ୍ରସାରଣ ବିଶେଷଜ୍ଞ ରହିଛନ୍ତି। ପ୍ରଥମେ ଏହି ଦଳ ମୁମ୍ବଇର ୱାଙ୍ଖେଡ଼େ ଷ୍ଟାଡିୟମ୍‌ର ଅନୁଧ୍ୟାନ କରିଥିଲେ। ମୁମ୍ବଇ କ୍ରିକେଟ୍‌ ଆସୋସିଏସନ୍‌ (ଏମ୍‌ସିଏ)ର ସଭାପତି ଅମୋଲ କାଲେ କହିଛନ୍ତି, ଆମର ସମସ୍ତ ପ୍ରସ୍ତୁତି ନେଇ ଖୁସି। କେବଳ ଟିକଟ ବ୍ୟବସ୍ଥା ନେଇ ନିଷ୍ପତ୍ତି ବାକିଅଛି। ଟିକଟର ଦର କ’ଣ ରହିବ; ତାହା ନିର୍ଦ୍ଧାରଣ କରି ବିସିସିଆଇକୁ ଜଣାଇ ଦିଆଯିବ। ପରେ ଆଇସିସି ଦଳ ଚେନ୍ନଇର ଚେପକ୍ ଷ୍ଟାଡିୟମ୍‌ ପରିଦର୍ଶନ କରିଥିଲେ ସେଠାରେ ସମସ୍ତ ବ୍ୟବସ୍ଥା ନେଇ ସନ୍ତୋଷ ପ୍ରକାଶ କରିଛନ୍ତି। ପରେ ସେମାନେ ତିରୁୱନନ୍ତପୁରମ୍‌ର ଗ୍ରୀନ୍‌ଫିଲ୍‌ଡ ଷ୍ଟାଡିୟମ୍‌ ଓ ବେଙ୍ଗାଲୁରର ଚିନ୍ନାସ୍ବାମୀ ଷ୍ଟାଡିୟମ୍‌ ବୁଲି ଦେଖିଥିଲେ। ଏବେ ସେମାନେ ଅହମ୍ମଦାବାଦର ନରେନ୍ଦ୍ର ମୋଦୀ ଷ୍ଟାଡିୟମ୍‌ରେ ଅଛନ୍ତି। ଏହି ଷ୍ଟାଡିୟମ୍‌ ଉଦ୍‌ଘାଟନୀ ମ୍ୟାଚ୍‌ ସହ ଭାରତ-ପାକିସ୍ତାନ ମୁକାବିଲା ଏବଂ ଫାଇନାଲ ମ୍ୟାଚ୍‌ ଆୟୋଜନ କରିବ। ୩୧ରେ ସେମାନେ ହାଇଦରାବାଦର ଷ୍ଟାଡିୟମ୍‌ ଦେଖିବେ। ସର୍ବୋଚ୍ଚ ନ୍ୟାୟାଳୟ ନିଯୁକ୍ତ ପ୍ରଶାସକ ଏବେ ହାଇଦରାବାଦ କ୍ରିକେଟ୍‌ ଅାସୋସିଏସନ୍‌ ପରିଚାଳନା କରୁଛନ୍ତି। ତାଙ୍କ ତଦାରଖରେ ଷ୍ଟାଡିୟମ୍‌​‌ର ନବୀକରଣ କାର୍ଯ୍ୟ ଚାଲିଛି। ପରେ ଆଇସିସି ଦଳ କମ୍ରାନ୍ବୟରେ ଦିଲ୍ଲୀ, ଧର୍ମଶାଳା, ଲକ୍ଷ୍ନୌ, କଲକାତା ଓ ଗୁଆହାଟୀ ଗସ୍ତକରି ସେଠାକାର ଷ୍ଟାଡିୟମ୍‌ର ଅନୁଧ୍ୟାନ କରିବେ। ଶେଷ ଷ୍ଟାଡିୟମ୍‌ ଭାବେ ସେମାନେ ପୁଣେ ଗସ୍ତକରିବେ। ଆଇସିସି ଦଳର ପରାମର୍ଶ ଅନୁସାରେ ଷ୍ଟାଡିୟମ୍‌​‌େ​‌ର ଆବଶ୍ୟକ ନିର୍ମାଣ କାର୍ଯ୍ୟ କରାଯିବ। ଆଇସିସି ପ୍ରତିନିଧି ଦଳଙ୍କ ସହ ଟୁର୍ଣ୍ଣ​‌ାମେଣ୍ଟ ନିର୍ଦେଶକ ଧୀରଜ ମାଲହୋତ୍ରା ଗସ୍ତ କରୁଛନ୍ତି। ଷ୍ଟାଡିୟମ୍‌ ମଧ୍ୟରେ ଖେଳାଳି ଓ ଦର୍ଶକଙ୍କ ଆବଶ୍ୟକତା ଅନୁସାରେ କିଛି ନିର୍ମାଣ କାର୍ଯ୍ୟ କରିବାକୁ ଆଇସିସି ପ୍ରତିନିଧି ଦଳ ପରାମର୍ଶ ଦେଉଛନ୍ତି। ପୁଣି ମ୍ୟାଚ୍‌ ଅଫିସିଆଲ୍‌ ଓ ସିଧା ପ୍ରସାରଣ ପାଇଁ ଆବଶ୍ୟକ ସୁବିଧା ସୁଯୋଗ ଉପରେ ସେମାନେ ଗୁରୁତ୍ବ ଦେଉଛନ୍ତି।