Onn 3

ରାହୁଲଙ୍କ ପାଇଁ ଝିଅଟିଏ ଖୋଜିଦିଅ, ମହିଳା କୃଷକଙ୍କୁ ଏଭଳି କହିଲେ ସୋନିଆ ଗାନ୍ଧୀ

National & International

ନୂଆଦିଲ୍ଲୀ: କଂଗ୍ରେସ ନେତା ରାହୁଲ ଗାନ୍ଧୀ କିଛି ଦିନ ପୂର୍ବରୁ ସୋନିପତର ମହିଳା କୃଷକମାନଙ୍କୁ ଦିଲ୍ଲୀ ଆସିବାକୁ ନିମନ୍ତ୍ରଣ କରିଥିଲେ | ଆଉ ଆଜି କିଛି ମହିଳା କୃଷକ ଦିଲ୍ଲୀରେ ପହଞ୍ଚିଥିଲେ ଏବଂ ୧୦ ଜନପଥରେ ସୋନିଆ ଗାନ୍ଧୀଙ୍କ ବାସଭବନକୁ ଯାଇଥିଲେ | ମହିଳା କୃଷକମାନଙ୍କୁ ସୋନିଆ ଗାନ୍ଧୀ, ରାହୁଲ ଗାନ୍ଧୀ ଏବଂ ପ୍ରିୟଙ୍କା ଗାନ୍ଧୀ ସ୍ୱାଗତ କରିବା ସହ ସେମାନଙ୍କ ସହ ବସି ଆଲୋଚନା ମଧ୍ୟ କରିଥିଲେ | ଏହି ସମୟରେ ମଜାମସ୍ତି ହୋଇଥିବାର ମଧ୍ୟ ଜଣାପଡିଛି | ଏହି ସମୟରେ ଏକ ମଜାଦାର ଘଟଣା ଘଟିଥିଲା, ଯେତେବେଳେ ସୋନିଆ ଗାନ୍ଧୀଙ୍କ ପାଖରେ ବସିଥିବା ଜଣେ ମହିଳା କୃଷକ ଧୀରେ ତାଙ୍କୁ କହିଥିଲେ ଯେ ରାହୁଲଙ୍କର ବିବାହ କରାଇଦିଅ | ଯେତେବେଳେ ମହିଳା କୃଷକ ରାହୁଲଙ୍କ ବିବାହ ବିଷୟରେ କହିଥିଲେ, ସେତେବେଳେ ସୋନିଆ ଗାନ୍ଧୀ ତୁରନ୍ତ କହିଥିଲେ ଯେ ଆପଣ ରାହୁଲଙ୍କ ପାଇଁ ଝିଅଟିଏ ତ ଖୋଜିଦିଅନ୍ତୁ | ଆପଣ ଝିଅ ଖୋଜିଦିଅନ୍ତୁ, ତାପରେ ବିବାହ କରାଇଦେବା |
ସୋନିଆ ଗାନ୍ଧୀ ଏହା କହିବା ମାତ୍ରେ ସେଠାରେ ବସିଥିବା ଅନ୍ୟ ସମସ୍ତ ମହିଳା ହସିବାକୁ ଲାଗିଲେ। ଏହା ପରେ ରାହୁଲ ଗାନ୍ଧୀ ମଧ୍ୟ କହିଥିଲେ ଯେ ବିବାହ ହୋଇଯିବ । ଉଲ୍ଲେଖ ଥାଉ କି ବିହାରର ପାଟନାରେ ବିରୋଧୀ ଦଳମାନଙ୍କର ପ୍ରଥମ ବୈଠକରେ ମଧ୍ୟ ଆରଜେଡି ସୁପ୍ରିମୋ ଲାଲୁ ଯାଦବ ରାହୁଲଙ୍କୁ ବିବାହ କରିବାକୁ ପରାମର୍ଶ ଦେଇଥିଲେ | ଲାଲୁ କହିଥିଲେ ଯେ, ‘ବିବାହକୁ ନେଇ ମୋର ପରାମର୍ଶ ଗ୍ରହଣ କଲେ ନାହିଁ | ରାହୁଲ ବିବାହ କରିବା ଉଚିତ୍ | ତଥାପି ସମୟ ଅତିବାହିତ ହୋଇନାହିଁ | ବିବାହ କର, ଆମ କଥା ଶୁଣ | ତୁମ ମା ଆମକୁ ଅଭିଯୋଗ କରନ୍ତି ଯେ ତୁମେ ତାଙ୍କ କଥା ଶୁଣୁନାହଁ, ବିବାହ କରୁନ | ତୁମେ ବିବାହ କର, ଆମେ ବରଯାତ୍ରୀ ଯିବୁ’ | ଏହାକୁ ନେଇ ରାହୁଲ ଗାନ୍ଧୀ କହିଥିଲେ ଯେ ଆପଣ କହିଲେଣି ମାନେ ବିବାହ କରିବି |