Onn 3

ଆଜି ମହରମ୍, ଭଦ୍ରକରେ ୨୫ ପ୍ଲାଟୁନ ପୋଲିସ ମୁତୟନ

State

ଭୁବନେଶ୍ଵର: ଆଜି ମୁସଲମାନ ଧର୍ମାବଲମ୍ବୀଙ୍କ ପବିତ୍ର ପର୍ବ ମହରମ । ବର୍ଷର ଚାରିଟି ପବିତ୍ର ମାସ ମଧ୍ୟରୁ ଏହା ହେଉଛି ଅନ୍ୟତମ । ରମଜାନ ପରେ ଏହା ଦ୍ୱିତୀୟ ପବିତ୍ର ମାସ । ଏହି ମାସରେ ମୁସଲମାନମାନେ ଉପବାସ ପାଳନ କରିଥାନ୍ତି । ଶିୟା ମୁସଲମାନମାନେ ମାସ ସାରା ରୋଜା ପାଳନ କରିଥାନ୍ତି । ସୁନ୍ନୀମାନେ ପ୍ରଥମ ଦଶ ଦିନ ରୋଜା ରଖନ୍ତି । ମହରମ୍‌ ପାଇଁ ଉତ୍ସବମୁଖର ଭଦ୍ରକ ସହର । ରଙ୍ଗ ବେରଙ୍ଗର ଆଲୋକରେ ସଜେଇ ହୋଇଛି ପୁରୁଣା ବଜାରର ସବୁ ମସଜିଦ୍‌ । ଏହି ଅବସରରେ ବିଭିନ୍ନ ସ୍ଥାନରେ ନମାଜ୍ ପାଠ ହେବା ସହ ତାଜିଆ ଶୋଭାଯାତ୍ରା ଅନୁଷ୍ଠିତ ହେବ । ମହରମକୁ ଇସଲାମିକ୍ କ୍ୟାଲେଣ୍ଡରର ପ୍ରଥମ ମାସ ବୋଲି ବିବେଚନା କରାଯାଇଥାଏ । ପ୍ରୋପେଟ୍ ମହମ୍ମଦଙ୍କ ନାତି ହୁସେନଙ୍କ ବଳିଦାନ ଦିବସ ଭାବେ ମହରମକୁ ପାଳନ କରାଯାଇଥାଏ ।

ମହରମ ପାଇଁ ଭଦ୍ରକ ଜିଲ୍ଲାପ୍ରଶାସନ ପକ୍ଷରୁ ସମ୍ପୂର୍ଣ ପ୍ରସ୍ତୁତି କରାଯାଇଛି । ଭଦ୍ରକରେ ସମୁଦାୟ ୪୧ ଟି କାଫିଲା ବାହାରିବ ଓ ୭ ଟି କାଫିଲା ସହର ପରିକ୍ରମା କରିବା ସହ ମଦିନା ମୈଦାନରେ ପହଞ୍ଚିବ । ଶୃଙ୍ଖଳିତ ଯାତ୍ରା ପାଇଁ ଜିଲ୍ଲାରେ ୨୫ ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ କରାଯାଇଛି । ୨ ଜଣ ଅତିରିକ୍ତ ଏସପି, ୫ ଜଣ ଡିଏସପିଙ୍କ ସହ ୧୫ ଜଣ ଇନ୍ସପେକ୍ଟର ୧୧୦ ଜଣ ସବ ଇନ୍ସପେକ୍ଟର ୧୮୦ କନେଷ୍ଟବଳ ସୁରକ୍ଷା ଦାୟିତ୍ୱରେ ରହିବେ । ସହରରେ ପୋଲିସ ପକ୍ଷରୁ ଫ୍ଲାଗମାର୍ଚ୍ଚ ଓ ପୋଲିସ ଭେଇକିଲ ମାର୍ଚ୍ଚ କରାଯାଇଛି । ଡ୍ରୋନ କ୍ୟାମେରା ସହ, ସିସିଟିଭି ଜରିଆରେ ନଜର ରଖିବ ପୋଲିସ । ସାମାଜିକ ଗଣମାଧ୍ୟମରେ କୌଣସି ପ୍ରକାର ଗୁଜବ ସୃଷ୍ଟି ନକରିବାକୁ ଜନସାଧାରଣଙ୍କୁ ଅନୁରୋଧ କରିଛନ୍ତି ଏସପି ।