Onn 3

ମାଂସ ଖାଇଲେ ବ୍ୟାପୁଛି ରହସ୍ୟମୟୀ ରୋଗ, ହଜାର ହଜାର ଆମେରିକୀୟ ସଂକ୍ରମିତ

National & International

ନ୍ୟୁୟର୍କ : ଆମେରିକାର ଅନେକ ଅଞ୍ଚଳରେ ରେଡ୍ ମିଟ୍ ଆଲର୍ଜି ରୋଗ ର ମାମଲା ବଢିବାରେ ଲାଗିଛି । ଏହି ରୋଗ ଲୋନ ଷ୍ଟାର ଟିକ୍ ନାମକ କୀଟ କାମୁଡ଼ିବା ଦ୍ୱାରା ହୋଇଥାଏ । ଏହି କୃମିର ବୈଜ୍ଞାନିକ ନାମ ହେଉଛି ଆମ୍ବଲିଓମା ଆମେରିକାନମ୍ । ଏହି କୀଟ ଯାହାକୁ କାମୁଡ଼ିଥିବ, ସେ ମାଂସ ଖାଇଲେ ତାଙ୍କର ଆଲର୍ଜି ହେବ । ଏହି ଆଲର୍ଜି ପ୍ରଥମେ ସାମାନ୍ୟ ହୋଇଥିଲେ ମଧ୍ୟ ପରବର୍ତ୍ତୀ ସମୟରେ ଏହା ସମସ୍ୟାକୁ ବଢ଼ାଇଥାଏ। ଏହି କାରଣରୁ ହସ୍ପିଟାଲରେ ଭର୍ତ୍ତି ହେବାକୁ ପଡ଼ିପାରେ ।
ଡାକ୍ତରଙ୍କ କହିବା ଅନୁଯାୟୀ, ଲୋନ୍ ଷ୍ଟାର୍ ଟିକରେ ଏକ ସ୍ୱତନ୍ତ୍ର ପ୍ରକାରର ସୁଗାର ରହିଥାଏ। ଯାହାକୁ ଆଲଫା ଗେଲ୍ କୁହାଯାଏ । ଯେତେବେଳେ ଏହି କୀଟ କୌଣସି ବ୍ୟକ୍ତିଙ୍କୁ କାମୁଡ଼ିଥାଏ, ସେତେବେଳେ ଉକ୍ତ ବ୍ୟକ୍ତିଙ୍କ ଶରୀରକୁ ଆଲଫା ଗେଲ୍ ଯାଇଥାଏ । ଅନ୍ୟପକ୍ଷରେ ଏହି କୀଟ ପଶୁମାନଙ୍କୁ ବି କାମୁଡ଼ିଥାଏ । ସେତେବେଳେ ବି ପଶୁଙ୍କ ଶରୀରକୁ ଆଲଫା ଗେଲ୍ ଯାଇଥାଏ । ଯେତେବେଳେ ସଂକ୍ରମିତ ବ୍ୟକ୍ତି ଉକ୍ତ ସଂକ୍ରମିତ ପଶୁଙ୍କ ମାଂସ ଖାଇଥାଏ, ସେତେବେଳେ ଆଲର୍ଜି ଦେଖାଯାଇଥାଏ । ପ୍ରଥମେ ଚର୍ମରେ ଏହି ଆଲର୍ଜି ଦେଖାଯାଏ । ବ୍ୟକ୍ତିର ଚର୍ମ ଲାଲ ପଡ଼ିଯାଏ ଓ ପରେ ଜ୍ବର ଆସେ । ତାସହିତ ବାରମ୍ବାର ଛିଙ୍କ ଆସେ ଓ ପେଟ ଯନ୍ତ୍ରଣା ହୁଏ । ଅଧିକ ଗୁରୁତର ହେଲେ ରୋଗୀକୁ ଡାକ୍ତରଖାନାରେ ଭର୍ତ୍ତି ହେବାକୁ ପଡେ ।